ଖପ୍ରାଖୋଲରେ ଧୁମଧାମରେ ପାଳିତ ୭୭ତମ ବ୍ଲକ ସ୍ତରୀୟ ଗଣତନ୍ତ୍ର ଦିବସ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ ସ୍ତରୀୟ ୭୭ତମ ଗଣତନ୍ତ୍ର ଦିବସ ଉତ୍ସବ ଖପ୍ରାଖୋଲ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆରେ ଅତ୍ୟନ୍ତ ଭବ୍ୟ ଓ ଶୃଙ୍ଖଳିତ ଭାବେ ପାଳିତ ହୋଇଯାଇଛି । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶିଷ୍ଟାଚାର ଓ ଦେଶପ୍ରେମର ପରିଚୟ ଦେଇ ଆକର୍ଷଣୀୟ ପ୍ୟାରେଡ ପ୍ରଦର୍ଶନ କରିଥିଲେ । ମୁଖ୍ୟ ଅତିଥି ଭାବେ ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିବେକାନନ୍ଦ ଷଡ଼ଙ୍ଗୀ ଜାତୀୟ ପତାକା ଉତ୍ତୋଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ । ତାଙ୍କ ଉଦବୋଧନରେ ବିଡ଼ିଓ ଶ୍ରୀ ଷଡ଼ଙ୍ଗୀ ଭାରତୀୟ ସଂବିଧାନର ମୂଲ୍ୟବୋଧ, ଗଣତନ୍ତ୍ରର ମହତ୍ତ୍ୱ, ନାଗରିକଙ୍କ କର୍ତ୍ତବ୍ୟ ଓ ଯୁବପିଢ଼ିଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ଦେଶର ଉନ୍ନତି ପାଇଁ ଏକତା, ଶୃଙ୍ଖଳା ଓ ସାମୂହିକ ପ୍ରୟାସ ଅତ୍ୟାବଶ୍ୟକ ବୋଲି ସେ ଉଲ୍ଲେଖ କରିଥିଲେ । ସମ୍ମାନିତ ଅତିଥି ଭାବେ ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତର, ଅତିରିକ୍ତ ତହସିଲଦାର ସତ୍ୟସୁନ୍ଦର ରାଉତରାୟ, ସହକାରୀ ଯନ୍ତ୍ରୀ ରାଜକିଶୋର ନାଏକ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ପଟେଲ, ବିଧାୟକ ପ୍ରତିନିଧି ପଦ୍ମନ ସିଂ ବରିହା ଓ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ବେଟିଖାଇ ସେନ୍ଦରିଆ ଉପସ୍ଥିତ ଥିଲେ । ଏହାସହ ଖପ୍ରାଖୋଲ ଥାନା ପରିସର ଓ ହରିଶଙ୍କର ରେଞ୍ଜ କାର୍ଯ୍ୟାଳୟରେ ମଧ୍ୟ ଗଣତନ୍ତ୍ର ଦିବସ ପାଳିତ ହୋଇଥିଲା । ଏହି ଅବସରରେ ଥାନା ପକ୍ଷରୁ କୁନି କୁନି ଛାତ୍ରଛାତ୍ରୀମାନଙ୍କୁ ଖାତା ଓ କଲମ ବଣ୍ଟନ କରାଯାଇ, ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବାର ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଥିଲା ।

Leave A Reply

Your email address will not be published.