ସୁନ୍ଦରଗଡ଼ ଠାରେ ଜାତୀୟ ଭୋଟର ଦିବସ ପାଳିତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ସ୍ଥାନୀୟ ବିକାଶ ଭବନ ଠାରେ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ସୂରଜ କୁମାର ପଟ୍ଟନାୟକ, ସଦର ଗୋଷ୍ଠି ଉନ୍ନୟନ ଅଧିକାରୀ ମୋତିଲାଲ ସୁଲିଆ, ସବଡେଗା ଗୋଷ୍ଠି ଉନ୍ନୟନ ଅଧିକାରୀ ବିଶ୍ଵନାଥ ସାହୁ, ଲାଠିକଟା ତହସିଲଦାର ମୂରଲୀଧର ଉରମାଲ, ରାଉରକେଲା ମହାନଗର ନିଗମର ଉପ ଆୟୁକ୍ତ ତରୁଣକାନ୍ତ ଉପସ୍ଥିତ ଥିଲେ । ଏହି ଅବସରରେ ଅତିଥି ମାନଙ୍କ ଦ୍ଵାରା ଭୋଟର ସଚେତନତା ନିମନ୍ତେ ଏକ ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ମତଦାନ ପ୍ରକ୍ରିୟା ହେଉଛି ଏକ ସୁସ୍ଥ ଗଣତନ୍ତ୍ର ପରିଚୟ ଏବଂ ଏହା ଦ୍ଵାରା ଗଣତନ୍ତ୍ର ମଧ୍ୟ ସୁଦୃଢ ହୋଇଥାଏ ବୋଲି ଅତିଥି ମାନେ ନିଜର ମତବ୍ୟକ୍ତ କରିବା ସହିତ ଭୋଟର ସଚେତନତା ସୃଷ୍ଟି ଉପରେ ଗୁରୁତ୍ଵାରୋପ କରିଥିଲେ । ବିଶେଷ କରି ଭୋଟର ଲିଷ୍ଟରେ ନୂତନ ଭୋଟର ମାନଙ୍କ ସଂଯୋଗୀକରଣ ତଥା ସ୍ୱଚ୍ଛ ,ନିରପେକ୍ଷ ଏବଂ ତ୍ରୁଟି ବିହୀନ ଭୋଟର ତାଲିକା ପ୍ରସ୍ତୁତ ହେବ ସେନେଇ ଆଲୋଚନା ମଧ୍ୟ କରାଯାଇଥିଲେ । ସେହିଭଳି କାର୍ଯ୍ୟକ୍ରମରେ ନୂତନ ଭୋଟର ମାନଙ୍କୁ ଭୋଟର ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଜାତୀୟ ଭୋଟର ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ସେହିଭଳି ସମସ୍ତ ନିର୍ବାଚନ ମଣ୍ଡଳୀ ରୁ ଜଣେ ଲେଖାଏଁ ଶ୍ରେଷ୍ଠ ବୁଥ ସ୍ତରୀୟ ଅଧିକାରୀ, ଶ୍ରେଷ୍ଠ ବୁଥ ସ୍ତରୀୟ ସୁପରଭାଇଜର, ଶ୍ରେଷ୍ଠ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଏଇଆର୍‌ଓ), ଶ୍ରେଷ୍ଠ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଶ୍ରେଷ୍ଠ ଚୁନାବ ପାଠଶାଳା ଭାବେ ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଛତାସର୍ଗି, ଭବାନୀ ଶଙ୍କର ଉଚ୍ଚ ବିଦ୍ୟାଳୟ, ସୁନ୍ଦରଗଡ଼ ଏବଂ ଗୋପିନାଥପୁର ସରକାରୀ ବିଦ୍ୟାଳୟ, ବଣାଇ କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସର ରେ ଏକ ସଂକଳ୍ପ ପାଠ ମଧ୍ୟ କରାଯାଇଥିଲା । କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ପରିଚାଳନା କରିଥିଲେ ଏବଂ ଡେପୁଟି କଲେକ୍ଟର ଜ୍ୟୋତି ରଞ୍ଜନ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ବରିଷ୍ଠ ନାଗରିକ, ଶିକ୍ଷକ ଶିକ୍ଷୟିତ୍ରୀ, ବୁଥ ସ୍ତରୀୟ ଅଧିକାରୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.