ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶାର ଖ୍ୟାତି ଅର୍ଜନ କରିଥିବା ୧୮୫୫ ମସିହାରେ ସ୍ଥାପିତ ଗଞ୍ଜାମ ଜିଲ୍ଲାର ବହୁ ପୁରାତନ ପ୍ରତିଷ୍ଠିତ ସରକାରୀ ହାଇସ୍କୁଲ୍ ଅନସ୍ଲୋ ଶିକ୍ଷାନୁଷ୍ଠାନର ସ୍ମୃତିକୁ ଆଦରି ନେଇଥିବା ୧୯୭୭ ମସିହା ବ୍ୟାଚ୍ ଏକାଦଶ ଶ୍ରେଣୀରେ ଅଧ୍ୟୟନ କରୁଥିବା ପୂର୍ବତନ ଛାତ୍ରଙ୍କ ନିଆରା ପରମ୍ପରାର ବନ୍ଧୁ ମିଳନ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଦୀର୍ଘ ୪୯ ବର୍ଷର ବ୍ୟବଧାନ ପରେ ବାଲ୍ୟବନ୍ଧୁଙ୍କ ମିଳନ ହୋଇ ପରସ୍ପର ସହିତ ମେଳାପି ପୂର୍ଣ୍ଣ ଭାଇଚାରାର ଅନୁରାଗ ସମ୍ପନ୍ନ ସମ୍ପର୍କକୁ ସାଉଁଟେଇଛନ୍ତି । ଏହା ଯେ, ସମାଜକୁ ଏକ ନୂତନ ବାର୍ତ୍ତା ବହନ କରିଛି । ଛତ୍ରପୁର ନିକଟସ୍ଥ ମା’ ଉଜ୍ଜେଲେଶ୍ୱରୀ ମନ୍ଦିର ନିକଟବର୍ତ୍ତୀ ଏସ.ଭି.ଆର. କଲ୍ୟାଣମଣ୍ଡପ ଠାରେ ରବିବାର ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାନୁଷ୍ଠାନର ପୂର୍ବତନ ଶିକ୍ଷକ କୁମୁଦ ଚନ୍ଦ୍ର ତ୍ରିପାଠୀଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୌକନ ଦେଇ ପୂର୍ବତନ ଛାତ୍ରମାନେ ସମ୍ମାନିତ କରିଥିଲେ । ଏଥିସହ ପୂର୍ବତନ ଛାତ୍ରମାନେ ସାର୍ଙ୍କ କୃପାବଚନ ଓ ଆଶୀର୍ବାଦ ଗ୍ରହଣ କରିଥିଲେ । ଛାତ୍ରମାନେ ପରସ୍ପର ମଧ୍ୟରେ ଅନେକ ସ୍ମୃତି ଓ ଅନୁଭୂତିକୁ ଉପସ୍ଥାପନ କରି ନିଜ ନିଜ ମଧ୍ୟରେ କେଇଟା ସମୟରେ ଭାବବିନିମୟ ସହ ଆଦାନ ପ୍ରଦାନ ହୋଇ ନିଆରା ଭାତୃଭାବ ପ୍ରେମ ଶ୍ରଦ୍ଧା ଅଜାଡ଼ି ଦେଇଥିଲେ । ଶିକ୍ଷକ ଶ୍ରୀ ତ୍ରିପାଠୀ ସାର୍ ଦୀର୍ଘ ବର୍ଷ ପରେ ମଧ୍ୟ ଛାତ୍ରମାନଙ୍କୁ ମନେ ପକାଇ ନିଜର ଅନୁଭୂତିକୁ ବର୍ଣ୍ଣନା କରି ଖୁସିବ୍ୟକ୍ତ କରିଥିଲେ । ଆସନ୍ତା ବର୍ଷକୁ ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଅଧିକରୁ ଅଧିକ ସଂଖ୍ୟାରେ ଯୋଗାଯୋଗ ରକ୍ଷା କରି ସଭିଁଏ ବନ୍ଧୁଙ୍କ ସହଯୋଗରେ ଯାକଜମକରେ ଏକ ବନ୍ଧୁମିଳନ ପାଳନ କରିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ପୁରାତନ ଛାତ୍ରମାନେ ସକ୍ରୀୟ ଯୋଗଦେଇ ଉକ୍ତ ବନ୍ଧୁମିଳନରେ ସାମିଲ୍ ହେଇଥିଲେ ।
Next Post