ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ୧୬ ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ କୋଶଳ କଳା ମଣ୍ଡଳ ପରିସରରୁ ଏକ ସଚେତନତା ରାଲିର ଆୟୋଜନ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ଼. ବିଜୟାନନ୍ଦ ସେଠୀ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଏହି ରାଲିକୁ ଶୁଭାରମ୍ଭ କରିଥିଲେ । ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ, ନିର୍ବାହୀ ଅଧିକାରୀ, ପୌର ପରିଷଦ ସନ୍ତୋଷ ବେହେରା, ସହକାରୀ ଜିଲ୍ଲାପାଳ ଦେବସ୍ମିତ୍ ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝୀ ଏବଂ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଏନ.ସି.ସି, ରେଡ କ୍ରସ, ସିଭିଲିଆନ ଦଳର ଛାତ୍ରୀ ଏବଂ ଜନସାଧାରଣ ଏହି ରାଲିରେ ଯୋଗ ଦେଇଥିଲେ । ଉକ୍ତ ରାଲି ମହିଳା ମହାବିଦ୍ୟାଳୟଠାରେ ସମାପ୍ତ ହୋଇଥିଲା । ଏଠାରେ ଉପସ୍ଥିତ ଅତିଥିମାନେ ଛାତ୍ରଛାତ୍ରୀଙ୍କ ସହିତ ଜାତୀୟ ମତଦାତା ଦିବସ ପାଳନର ଆଭିମୁଖ୍ୟ ଓ ଭୋଟଦାନ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ । ଏହାସହ ଏକ ସଂକ୍ଷିପ୍ତ ପ୍ରଶ୍ନୋତ୍ତର ସ୍ପର୍ଦ୍ଧା ଦ୍ୱାରା ମତଦାନ ସମ୍ପର୍କିତ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସେମାନଙ୍କୁ ସଚେତନ କରାଇବା ସହ ମତଦାନ କରିବାକୁ ଶପଥ ପାଠ କରାଇଥିଲେ । ଉକ୍ତ ଦିବସ ଉପଲକ୍ଷେ ମହିଳା ମହାବିଦ୍ୟାଳୟଠାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର କହିଥିଲେ, ଗଣତନ୍ତ୍ରର ମୁଖ୍ୟ ଉପାଦାନ ଭାବେ ନାଗରିକର ମତଦାନ ଅଧିକାର ସାବ୍ୟସ୍ତ ସହ ନିରପେକ୍ଷ ଓ ସ୍ୱଚ୍ଛ ନିର୍ବାଚନ କରାଇବା ଉଦ୍ଦେଶ୍ୟରେ ଆଜିର ଏହି ଦିବସ ପାଳନ କରାଯାଉଛି । ନାଗରିକଙ୍କୁ ମିଳିଥିବା ମତଦାନର ଅଧିକାର ବ୍ୟବହାର ସହ ଭୋଟ ହାର ବୃଦ୍ଧି କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ତତ୍ସହିତ ନୂତନ ଯୁବ ଭୋଟରଙ୍କୁ ଭୋଟଦାନ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ । ଏହା ସହ ଜାତୀୟ ମତଦାତା ଦିବସ ପାଳନର ଯଥାର୍ଥତା ସମ୍ପର୍କରେ ଆଲୋଚନା କରିଥିଲେ । ଜାତୀୟ ମତଦାତା ଦିବସ ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ଯଥା; ବକ୍ତୃତା, କୁଇଜ଼, ରିଲ୍ ଆଦିର କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହା ସହିତ ଜିଲ୍ଲାର ବିଭିନ୍ନ ନିର୍ବାଚନୀ ମଣ୍ଡଳରେ ନିର୍ବାଚନ ପ୍ରସ୍ତୁତିରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଅଧିକାରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।