ବାସନ୍ତୀ ପାଠାଗାରର ୪୦ତମ ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବାସନ୍ତୀ ପାଠାଗାରର ୪୦ତମ ବାର୍ଷିକୋତ୍ସବ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ପ୍ରସନ୍ନ କୁମାର ସାବତଙ୍କ ଅଧ୍ୟକ୍ଷତା, ସାଧାରଣ ସମ୍ପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱ ଓ ଅଧ୍ୟାପିକା ଧରିତ୍ରୀ ପାଇକରାୟଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ଉଦ୍‌ଘାଟକ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି, ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲର ଅଧ୍ୟକ୍ଷ ଜଳଧର ମହାପାତ୍ର ସମ୍ମାନିତ ଅତିଥି, ଫକୀର ମୋହନ ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଡ. କୁମରବର ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଡ. ଦାସ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଜ୍ଞାନର ଉପାଦାନ ନମ୍ରତା । ଦୀକ୍ଷା ହେଉଛି ସଂସ୍କୃତି । ସାମ୍ପ୍ରତିକ ସମୟରେ ଭୋଗବାଦରୁ ଆତ୍ମହତ୍ୟା ପ୍ରବଣତା ବଢୁଛି । ସେହିପରି କୋଠା ଅଛି କିନ୍ତୁ ପରିବାର ନାହିଁ, ତାହାହିଁ ସଂକଟ। ବିଜ୍ଞାନ ବିଜ୍ଞାନ ନୁହେଁ,ଏହା ସୂଚନା ମାତ୍ର । ଏହାସହ ମା’, ମାଟି ଓ ମାତୃଭାଷା ତଥା ବିକଶିତ ଭାରତରେ ପାଠାଗାରର ଭୂମିକା ଉପରେ ଆଲୋଚନା କରିଥିଲେ । ଉଦଘାଟକ ଶ୍ରୀ ତନ୍ତୀ ଓ ମୁଖ୍ୟଅତିଥି ଶ୍ରୀ ନାୟକ ସମାଜରେ ପାଠାଗାରର ଦାୟିତ୍ଵବୋଧ ଓ ଅନ୍ଧାର ରୂପକ ମନକୁ ପାଠାଗାର କିପରି ଆଲୋକିତ କରେ ତଥା ସମ୍ମାନିତ ଅତିଥି ଶ୍ରୀ ମହାପାତ୍ର ପାଠାଗାରର ଭୂମିକାକୁ ପ୍ରଶଂସା କରିଥିଲେ । ଏହି ଅବସରରେ ଶିକ୍ଷାବିତ ତାରିଣୀ ଚରଣ ସାହୁ ଓ ସମାଜସେବୀ ଲିତାଞ୍ଜଳୀ ପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ସଭାପତି ଶ୍ରୀ ସାବତ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ଓ ସାଧାରଣ ସମ୍ପାଦକ ଶ୍ରୀ ଆଚାର୍ଯ୍ୟ ବାର୍ଷିକ ବିବରଣୀ ଓ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଅନୁଷ୍ଠାନର ସ୍ମରଣିକା ୨୦୨୬କୁ ଅତିଥିମାନେ ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମରେ ଏମେଜିଙ୍ଗ ଭିଜନ ଅଫ୍ ଡ୍ୟାନ୍ସ ଓ ବାସନ୍ତୀ ପାଠାଗାରର ଯୋଗଗୃପ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା । ସେହିପରି ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ସହ ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପାଠାଗାରର ଡ଼ଃ. ଶକ୍ତି ପ୍ରସାଦ ସାମନ୍ତରାୟ, ଅଜୟ କୁମାର ପ୍ରଧାନ, ବସନ୍ତ ମହାରଣା, ବିଭୁଦତ୍ତ ବେହେରା, ଗଦାଧର ରଥ, କୁଳମଣି ଦାସ, ରବିନ୍ଦ୍ର ଠାକୁର, ଗୌତମ ଦାସ, ଶରତ ସ୍ୱାଇଁ, ଶରତ ରାଉତ, ନାରାୟଣ ଖଣ୍ଡେଲୱାଲ, ସରୋଜ ପାତ୍ର, ଦିଗମ୍ବର ପାଢ଼ୀ, ସୁମନ୍ତ ପତି, ପ୍ରିୟା ପାତ୍ର, କବିତା ଦାଶ, ଗୀତାଞ୍ଜଳି ମହାରଣା, ଜୟା ବଡ଼ାଇକ, ସୁଭାଷିନୀ ସାହୁ, ସସ୍ମିତା ଭଞ୍ଜଦେଓ, ସୁଧାରାଣୀ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.