ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ଜୟନ୍ତୀ ଅବସରରେ ନେତାଜୀ ସଂଗ୍ରାମୀ ପରିଷଦର ୩୪ତମ ପ୍ରତିଷ୍ଠା ଦିବସ ସୁଭାଷ ପରବ ଅନୁଷ୍ଠିତ
ବଲାଙ୍ଗିର, (କେପିଏନ୍ଏସ୍) : କାଳଜୟୀ ମହାନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ଜୟନ୍ତୀ ଅବସରରେ ନେତାଜୀ ସଂଗ୍ରାମୀ ପରିଷଦର ୩୪ତମ ପ୍ରତିଷ୍ଠା ଦିବସ ସୁଭାଷ ପରବ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ସହର ସ୍ଥିତ ନେତାଜୀଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ନେତାଜୀ ସଂଗ୍ରାମୀ ପରିଷଦର ସଭାପତି ଲକ୍ଷ୍ମୀନାରାୟଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ୱାମୀ ପରମାନନ୍ଦ ସରସ୍ୱତୀ ଅତିଥି ବକ୍ତା ଭାବେ ଉପସ୍ଥିତ ରହିଥିବା ବେଳେ ବଲାଙ୍ଗିର ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ସମ୍ମାନିତ ଅତିଥି ଭାବେ ଓ ଉତ୍ତମ ସଂଗଠକ ଅଶୋକ ମିଶ୍ର ଅନ୍ୟତମ ବକ୍ତା ଭାବେ ମଂଚ ମଣ୍ଡନ କରିଥିଲେ । ସଭା ପ୍ରାରମ୍ଭରେ ପରିଷଦର ଶୁଭାକାଂକ୍ଷୀ ସଂଜୟ ଶେଖର ଭୋଇଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ନେତାଜୀ ସଂଗ୍ରାମୀ ପରିଷଦର ଆବାହକ ବିରେନ୍ଦ୍ର କୁମାର ବନ୍ଛୋର୍ଙ୍କ ଆହ୍ୱାନ କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିଷଦର ତ୍ରୟ ମାସିକ ମୁଖପତ୍ର ସୁଭାଷ ଚିନ୍ତନର ଚତୁର୍ଥ ବର୍ଷ ପ୍ରଥମ ସଂଖ୍ୟା ଅତିଥି ଓ ସମବେତ ବୁଦ୍ଧିଜୀବୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ସୁଭାଷ ଚିନ୍ତନ ସଂପର୍କରେ ମତପ୍ରଦାନ କରିଥିଲେ ଗାଳ୍ପିକ ପ୍ରଦୀପ ମିଶ୍ର । ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ କବିରାଜ ଭୋଇ ।