ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ସଂଗଠନ ଜଗନ୍ନାଥ ଡ୍ରାମା କ୍ରିଏସନର ପ୍ରଥମ ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ସମାହିତ ହୋଇଯାଇଛି । ଛତ୍ରପୁର ଏନ.ଏ.ସି. କଲ୍ୟାଣ ମଣ୍ଡପର ଅବସ୍ଥିତ ରଙ୍ଗମଞ୍ଚରେ ଅନୁଷ୍ଠିତ ସାଂସ୍କୃତିକ ବିଦ୍ଭବ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଆମ କଳା ଓ ସଂସ୍କୃତିକୁ ଆଗକୁ ବଢ଼ିବାରେ ଅନୁଷ୍ଠାନର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ଜିଲ୍ଲା ସଂସ୍କୃତି ପରିଷଦର ସଦସ୍ୟ ଅରୁଣ କୁମାର ଶତପଥୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଛତ୍ରପୁର ସହରର ମଞ୍ଚ ନାଟକର ଐତିହ୍ୟ ପରମ୍ପରା ଥିଲା ଏକ ମହନୀୟ ବୋଲି ଆଲୋକପାତ କରିଥିଲେ । ଓଡ଼ିଶାର କଳା ସଂସ୍କୃତିକୁ ବଞ୍ଚାଇ ରଖିବା କ୍ଷେତ୍ରରେ ସହରର ଭୂମିକା ଉପସ୍ଥାପନ କରିଥିଲେ । ସମ୍ମାନୀୟ ଅତିଥୀ ଅଭିନେତା ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିଶ୍ଵଜିତ୍ ସାହୁ ଓ ବରିଷ୍ଠ ଖ୍ୟାତନାମା ଜନପ୍ରିୟ ଗୁରୁ ଓ କଣ୍ଠଶିଳ୍ପୀ ଗଣେଶ ପଟ୍ଟନାୟକ, ନାଟକ ଓ ସଙ୍ଗୀତ ମାଧ୍ୟମରେ ମନୋରଞ୍ଜନ କାର୍ଯ୍ୟକ୍ରମ ସହିତ ସମାଜରେ ସଂସ୍କାର ଅଣାଯାଇପାରିବ ବୋଲି କହିଥିଲେ । ଅନୁଷ୍ଠାନର ମୁଖ୍ୟ ଉଦ୍ୟକ୍ତା ସୁମନ ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ କୃତି ଛାତ୍ରଛାତ୍ରୀ / ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇ ଉତ୍ସାହିତ କରାଯାଇଥିଲା । ବରିଷ୍ଠ ସଙ୍ଗୀତ ସାଧକ ପ୍ରଫୁଲ୍ଲ ମହାପାତ୍ର, ସ୍ୱର୍ଗତ ବିଜୟା କୁମାରୀ ପଟ୍ଟନାୟକ, ସଙ୍ଗୀତଜ୍ଞ ତଥା ବାଦ୍ୟଯନ୍ତ୍ର ନିର୍ଦ୍ଦେଶକ ସ୍ୱର୍ଗତ ଜୟକୃଷ୍ଣ ମହାରଣାଙ୍କୁ ମରୋଣତ୍ତର ସମ୍ମାନାର୍ଥେ ତାଙ୍କରି ଧର୍ମପତ୍ନୀ ଶ୍ରୀମତୀ ରୁକ୍ମିଣୀ ମହାରଣାଙ୍କୁ ମାନପତ୍ର ସହ ଉପଢୌକନ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ସେହିପରି ସ୍ୱର୍ଗତ ରାମଚନ୍ଦ୍ର ପଟ୍ଟନାୟକ, କଳାପ୍ରେମୀ, ସଙ୍ଗୀତ ଭୂଷଣ ପ୍ରଫୁଲ୍ଲ ପଟ୍ଟନାୟକଙ୍କୁ ସ୍ୱର୍ଗତ ଜ୍ୟୋତ୍ସ୍ନାରାଣୀ ପଟ୍ଟନାୟକ ଓ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀଙ୍କୁ ସ୍ୱର୍ଗତ ସୂର୍ଯ୍ୟନାରାୟଣ ପଟ୍ଟନାୟକ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କ୍ଷୁଦ୍ର ନାଟକ “ସଂସ୍କାର” ଦର୍ଶକଙ୍କ ମନକୁ ଆକର୍ଷିତ କରିବାସହ ପ୍ରଶଂସା ସାଉଁଟିଥିଲା । ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଏନଏସି ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି. ପାପା ରାଓ, ସମ୍ମାନୀୟ ଅତିଥି ଭାବରେ ଯୋଗଦେଇ କଳାକାରଙ୍କୁ ଉତ୍ସାହିତ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ସୁମନ କୁମାର ପଟ୍ଟନାୟକ ଓ ଝରଣା ପଟ୍ଟନାୟକ, ସଭାପତି ଦିନେଶ ସାହୁ, ସମ୍ପାଦକ ଦୁର୍ଗା ପ୍ରସାଦ ମାର୍ଥା, ଉପଦେଷ୍ଟା ପ୍ରଶାନ୍ତ ପଟ୍ଟନାୟକ ଓ ନୃତ୍ୟଗୁରୁ ଗୌତମ ନାୟକ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।