ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସାରନଗରୀ ଶାଖା ତରଫରୁ ଫର୍ଟିଲାଇଜର ସ୍ଥିତ ଚିନ୍ମୟ ଏକାଡେମୀ ଠାରେ ବନ୍ଦେ ମାତରଂ ଓ ସ୍ୱାଧୀନତା ସଂଗ୍ରାମରେ ସାହିତ୍ୟିକଙ୍କ ଭୂମିକା ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଶିକ୍ଷାବିତ୍ ତଥା ଏକାଡେମୀର ନିର୍ଦ୍ଦେଶକ ତ୍ରିନାଥ ଦାଶ ମୋହନୀଙ୍କ ସଭାପତିତ୍ୱ, ଉପସଭାପତି ସୁବାସ ଚନ୍ଦ୍ର ପାତ୍ରଙ୍କ ଆବାହକତ୍ୱ ଓ କବି ସୁଚିସ୍ମିତା ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟଅତିଥି, ଅନୁଷ୍ଠାନର ସଭାପତି ତଥା ଗାନ୍ଧୀ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଡ. ସୁରେନ୍ଦ୍ର କୁମାର ବେହେରା ମୁଖ୍ୟବକ୍ତା ତଥା ବିଷୟ ବିଶେଷଜ୍ଞ ଭାବେ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗର ମତ ରଖିଥିଲେ । ବିଷୟ ବିଶେଷଜ୍ଞ ଡ. ବେହେରା ତାଙ୍କ ବକ୍ତବ୍ୟରେ କହିଲେ ଯେ, ୧୮୦୦ ମସିହା ପରବର୍ତ୍ତୀ କାଳ ଆମ ସମସ୍ତଙ୍କ ପାଇଁ ଆଲୋକବର୍ତ୍ତିକା ଦେଖାଇଥିଲା । ବନ୍ଦେ ମାତରଂ ଏକ ସାଧାରଣ ଗୀତ ନୁହେଁ ଏହା ଏକ ଆନ୍ଦୋଳନ । ଏହାର ରଚୟିତା ବଙ୍କିମ ଚନ୍ଦ୍ର ଜଣେ ଜାତୀୟ ଚେତନାର ପୁରୁଷ ବୋଲି ଅବହିତ କରି ଭାରତ ମାତାର ୩ଟି ରୂପ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥି ଶ୍ରୀ ରାଉତ ବଙ୍କିମ ଚନ୍ଦ୍ରଙ୍କ ଜୀବନାଦର୍ଶ ଓ ସ୍ୱାଧୀନତା ସଂଗ୍ରାମ ସମୟରେ ଗୋପବନ୍ଧୁ, ଫକୀର ମୋହନ, ମଧୁସୂଦନଙ୍କ ଲେଖା କିପରି ଜନମାନସକୁ ଉଦ୍ବୁଦ୍ଧ କରିଥିଲା, ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅନ୍ୟତମ ବକ୍ତା ଭାବେ କରୁଣାକର ପାଟ୍ଟଶାଣୀ, ପ୍ରତିଭା ଦାଶ ମୋହିନୀ, ଶ୍ୱେତଲିନା ଶତପଥୀ ପ୍ରମୁଖ ପ୍ରସଙ୍ଗ ସମ୍ବନ୍ଧରେ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ । ସଭାପତି ଶ୍ରୀ ମୋହିନୀ ସଭାପତିତ୍ୱ ଅଭିଭାଷଣ ସହ ଗୋପବନ୍ଧୁ, ସଚ୍ଚି ରାଉତରାୟ ଓ ତତ୍କାଳୀନ ସମୟରେ କବି ସାହିତ୍ୟିକଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ଆବାହକ ଶ୍ରୀ ପାତ୍ର କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଶ୍ୱେତଲୀନା ଶତପଥୀ, ସୁଚିସ୍ମିତା ପଣ୍ଡା ଓ କୁଞ୍ଜବିହାରୀ ରାଉତ ଦେଶାତ୍ମବୋଧକ କବିତା ପାଠ କରିଥିଲେ । ଶେଷରେ ସାଧାରଣ ସମ୍ପାଦକ ମନୋଜ କୁମାର ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନୃସିଂହ ଚରଣ ପାତ୍ର, ବ୍ରଜକିଶୋର ଦୋରା, ସରିତା ସିଂ, ମାଧୁରୀ ପ୍ରଧାନ, ମାନସୀ ସାହୁ, ସୁଶିଲ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଶ୍ୱେତଲୀନା ଶତପଥୀ ଓ ସୁଚିଶ୍ମିତା ପଣ୍ଡା ଆଜୀବନ ସଦସ୍ୟତା ଗ୍ରହଣ କରିଥିବାରୁ ଅନୁଷ୍ଠାନ ତରଫରୁ ଉତ୍ତରୀୟ ଦିଆଯାଇ ସମ୍ମାନିତ କରାଯାଇଥିଲା ।
Next Post