ରାଉରକେଲା/ଝାରସୁଗୁଡା, (ସସ୍ମିତା ପ୍ରଧାନ) : ଶ୍ରୀପୁରା ଗ୍ରାମରେ ଥିବା ଜଙ୍ଗଲ ଜମିକୁ କିଛି ପ୍ରାଇଭେଟ ସଂସ୍ଥା ବେଆଇନ ରାସ୍ତା ରୂପେ ବ୍ୟବହାର କରି ଏହା ଉପରେ ଭାରୀଯାନ ଚଳାଚଳ କରୁଥିବା ଦ୍ୱାରା ସୃଷ୍ଟି କରାଯାଇଥିବା ନୂତନ ଜଙ୍ଗଲର କ୍ଷତି ହୋଇଥିବାରୁ ସମ୍ପୃକ୍ତ ପ୍ରାଇଭେଟ ସଂସ୍ଥା ଗୁଡିକ ବିରୋଧରେ ଶ୍ରୀପୁରା ସରପଞ୍ଚ ବୁଧବାର ପୂର୍ବାହ୍ନରେ ବଡ଼ମାଳ ଥାନାରେ ଏତଲା ଦେଇଛନ୍ତି । ଶ୍ରୀପୁରା ସରପଞ୍ଚଙ୍କ ଏତଲା ଅନୁଯାୟୀ ଶ୍ରୀପୁରା ଗ୍ରାମର ଜଙ୍ଗଲ ଜମିରେ ଏକ ପେଡ ମା’ କେ ନାମ ଯୋଜନାରେ ଚାରା ରୋପଣ କରାଯାଇଛି । ଯେଉଁ ଜଙ୍ଗଲ ଜମିରେ ଚାରା ରୋପଣ କରାଯାଇଛି, ଉକ୍ତ ଜଙ୍ଗଲ ଜମି ଉପରେ ବାଲାଜୀ ଏଞ୍ଜିକ୍ସନ ଲିମିଟେଡ଼, କେଇସି ଇଣ୍ଟରନେସନାଲ ଲିମିଟେଡ଼, ଥରମୋସିଷ୍ଟମ ପ୍ରାଇଭେଟ ଲିମିଟେଡ଼, ଶର୍ମା ଫେବ୍ରିକେସନ ପ୍ରାଇଭେଟ ଲିମିଟେଡ଼, ଶର୍ମା ଏଣ୍ଡ ଆସୋସିଏଟ ପ୍ରାଇଭେଟ ଲିମିଟେଡ଼, ରାଣ୍ଡିନ ଇଞ୍ଜିନିଅରିଂ ଭଳି ପ୍ରାଇଭେଟ ସଂସ୍ଥା ଗୁଡିକ ଭାରୀଯାନ ଚଳାଚଳ କରି ସୃଷ୍ଟି କରାଯାଇଥିବା ନୂତନ ଜଙ୍ଗଲର ଚାରା ଓ ବୃକ୍ଷ ଉପରେ ବହୁତ କ୍ଷୟକ୍ଷତି ପହଞ୍ଚାଉଛନ୍ତି । ଶ୍ରୀପୁରା ଗ୍ରାମବାସୀ କେନ୍ଦ୍ର ସରକାରଙ୍କ ଏକ ପେଡ ମା’ କେ ନାମରେ ଏତେ ପରିଶ୍ରମ କରି ୧ ହଜାରରୁ ଅଧିକ ବୃକ୍ଷ ରୋପଣ କରି ତାର ଯତ୍ନ ଏବଂ ସୁରକ୍ଷା କରୁଥିବା ବେଳେ ଏହି ବେସରକାରୀ ସଂସ୍ଥା ଗୁଡିକ ଏହି ଜଙ୍ଗଲ ଜମି ଅଞ୍ଚଳରେ ବେଆଇନ ପାର୍କିଂ କରିବା ସହିତ ଏହି ପଲ୍ଲବୀତ ହେଉଥିବା ନୂତନ ଜଙ୍ଗଲ ଉପରେ ବହୁ କ୍ଷତି ପହଞ୍ଚାଉଛନ୍ତି । ଏଣୁ ଉପରୋକ୍ତ କମ୍ପାନୀ ଗୁଡିକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶ୍ରୀପୁରା ଗ୍ରାମ ପଞ୍ଚାୟତ ସରପଞ୍ଚ ଯଶୋବନ୍ତୀ ପାଣ୍ଡେ ଏକ ଲିଖିତ ଏତଲା ବଡ଼ମାଳ ଆଇଆଇସିଙ୍କୁ ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ, ଜଙ୍ଗଲ ଜମିରେ କରାଯାଇଥିବା ଚାରା ରୋପଣର ଉପଯୁକ୍ତ ଯତ୍ନ ଏବଂ ସୁରକ୍ଷା ପାଇଁ ପୋଲିସର ସହାୟତା ଲୋଡିଛନ୍ତି ଗ୍ରାମବାସୀ । ଗ୍ରାମବାସୀ ବଡ଼ମାଳ ଆଇଆଇସିଙ୍କୁ ଦେଇଥିବା ଦାବିପତ୍ରରେ ଲେଖି ଜଣାଇଛନ୍ତି ଯେ, ଗତ ବର୍ଷା ଋତୁରେ କେନ୍ଦ୍ର ସରକାରଙ୍କ ଜନ ମଙ୍ଗଳକାରୀ ଯୋଜନା ଦ୍ୱାରା ଗ୍ରାମର ଜଙ୍ଗଲ ଜମିରେ ଏକ ହଜାରରୁ ଅଧିକ ଚାରା ରୋପଣ କରାଯାଇଥିଲା । ଏହାର ସୁରକ୍ଷା ଏବଂ ଯତ୍ନ ପାଇଁ ଗତ କିଛି ଦିନ ହେବ ଗ୍ରାମବାସୀ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ପାରି ନ ଥିଲା । ଏଣୁ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ଯଶୋବନ୍ତୀ ପାଣ୍ଡେଙ୍କ ସଭାପତିତ୍ୱରେ ଗତ ଜାନୁୟାରୀ ୧୫ ତାରିଖ ଦିନ ଗ୍ରାମସଭା କରି ଉକ୍ତ ଜଙ୍ଗଲ ଜମିରେ ରୋପଣ କରାଯାଇଥିବା ଚାରା ତଥା ବୃକ୍ଷଗୁଡିକର ଉପଯୁକ୍ତ ଯତ୍ନ ଏବଂ ସୁରକ୍ଷା କରିବା, ଉକ୍ତ ଜଙ୍ଗଲ ଜମିରେ କୌଣସି ଯାନବାହାନ ପ୍ରବେଶ କରାଇ ନ ଦେବା ନେଇ ସର୍ବସମ୍ମତି କ୍ରମେ ଗ୍ରାମସଭାରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଯାହାକି ଆସନ୍ତା ଫେବୃଆରୀ ୨ ତାରିଖ ଠାରୁ ଆରମ୍ଭ କରାଯିବ । ତେଣୁ ଗ୍ରାମବାସୀ ବଡ଼ମାଳ ଆଇଆଇସିଙ୍କୁ ଅନୁରୋଧ କରିଛନ୍ତି ଯେ, ଏହି ମା’ କେ ପେଡ ଯୋଜନାରେ ଲଗାଯାଇଥିବା ଚାରାର ଯତ୍ନ ଓ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଥିବାବେଳେ ପୋଲିସ ଉପସ୍ଥିତ ରହି ବେଆଇନ ଯାନବାହାନ ପ୍ରବେଶ ତଥା ସୃଷ୍ଟି ହୋଇଥିବା ଚାରା ଉପରେ ଯେପରି କୌଣସି ପ୍ରଭାବ ନ ପଡିବ ସେଥିପାଇଁ ସୁରକ୍ଷା ଓ ସହାୟତା ପ୍ରଦାନ କରନ୍ତୁ ବୋଲି ଦାବିପତ୍ରରେ ଗ୍ରାମବାସୀ ନିବେଦନ କରିଛନ୍ତି । ଏହି ଦାବିପତ୍ରର ଅବିକଳ ନକଲ ଝାରସୁଗୁଡା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ବଡ଼ମାଳ ଆଇଆଇସିଙ୍କ ଜରିଆରେ ପ୍ରଦାନ କରାଯାଇଛି । ବଡ଼ମାଳ ଆଇଆଇସି ପବିତ୍ର ଭୋଇଙ୍କୁ ଏହି ଦାବିପତ୍ର ଦେବା ସମୟରେ ଶ୍ରୀପୁରା ଗ୍ରାମର ଜିଲ୍ଲା ପରିଷଦ ସଭ୍ୟ ଦିଗାମ୍ବର ଭୋଇ, ବ୍ଲକ ଅଧ୍ୟକ୍ଷା ଚିତ୍ରାଣୀ ପଟେଲ, ସରପଞ୍ଚ ଯଶୋବନ୍ତୀ ପାଣ୍ଡେ, ବିରଞ୍ଚି ମାଝୀ, ରୀନା ବାଗ, ମିନତୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।