mahavir

୩୭ ତମ ସର୍ବଭାରତୀୟ ଲାଲମନି କ୍ରିକଫେଷ୍ଟ ଉଦଘାଟିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ ସଂଘ ପକ୍ଷରୁ ଆଜି ସୋନପୁର ଗାନ୍ଧି ଷ୍ଟାଡିୟମ୍ ଠାରେ ୩୭ ତମ ସର୍ବଭାରତୀୟ ଲାଲମନି କ୍ରିକଫେଷ୍ଟ୍ ୨୦୨୬ ମହାସମାରୋହରେ ଶୁଭ ଉଦ୍‌ଘାଟନ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଇଞ୍ଜିନିୟର ରଘୁନାଥ ଜଗଦଲା ଯୋଗଦେଇ ଲାଲମନି କ୍ରିକେଟର ଭିତ୍ତିଭୂମିର ଉନ୍ନତି ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସହଯୋଗ ଯୋଗାଇ ଦେବା ସହ ଏକ ସ୍ପୋର୍ଟସ ହଷ୍ଟେଲ ଶୀଘ୍ର ନିର୍ମାଣ ପାଇଁ ପ୍ରତିଶୁତି ଦେଇଥିଲେ । ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଓ ଏସପି ନାରାୟଣ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା କ୍ରିକେଟ୍ ସଂଘକୁ ଓସିଏର ପୂର୍ଣ୍ଣ ସହଯୋଗ ତଥା ଜିଲ୍ଲାବାସୀ ଓ ରାଜ୍ୟ ସରକାରଙ୍କ ସହଯୋଗରେ ଆଜି ସର୍ବ ଭାରତୀୟ ସ୍ତରରେ ଏହି କ୍ରିକେଟ ଖ୍ୟାତି ଅର୍ଜନ କରିଛି ବୋଲି ଭୂୟସୀ ପ୍ରଶଂସା କରିଥିଲେ । ଏହି ଅୟୋଜନର ଆହୁରି ଆଡମ୍ବର ଓ ସଫଳତା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗକୁ ସମସ୍ତ ସହାୟତା ଯୋଗାଇ ଦେବାକୁ କହି ଆଗାମୀ ଦିନରେ ଓସିଏ ସଭାପତି ତଥା ଶିଳ୍ପପତି ପଙ୍କଜ ଲୋଚନ ମହାନ୍ତିଙ୍କ କ୍ରିକେଟ୍ ଓ ଶିଳ୍ପ କ୍ଷେତ୍ରରେ ଆମ ଜିଲ୍ଲା ସହିତ ଉଭୟ ସଂପର୍କ ଯୋଡ଼ି ହୋଇ ରହିଲେ କ୍ରିକେଟର ବିକାଶ ସହ ଜିଲ୍ଲାର ମଧ୍ୟ ବିକାଶ ହେବ ବୋଲି ପ୍ରକାଶ କରିଥିଲେ । ସଭାରେ ସ୍ୱତନ୍ତ୍ର ଅତିଥି ଓଡ଼ିଶାର ପ୍ରାକ୍ତନ ବିଚାରପତି ତଥା ଲାଲମନି କ୍ରିକେଟ ସଂଘର ମୂଖ୍ୟ ଉପଦେଷ୍ଟା ଜଷ୍ଟିସ ଚିତ୍ତରଞ୍ଜନ ଦାଶ ଅନୁପସ୍ଥିତ ଥିବା ବେଳେ ତାଙ୍କ ଏକ ଶୁଭେଛା ବାର୍ତ୍ତା ପଠନ କରାଯାଇଥିଲା । ଓଡ଼ିଶା କ୍ରିକେଟ ସଂଘର ସଭାପତି ଶ୍ରୀ ମହାନ୍ତି ଓ କୋଷାଧ୍ୟକ୍ଷ ବିକାଶ ପଧାନ ଯୋଗ ଦେଇ ଏହାର ଅୟୋଜନକୁ ପ୍ରଶଂସା କରିଥିଲେ । କ୍ରିକେଟ ସଂଘ ସଭାପତି ରାମ ଶଙ୍କର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂପାଦକ ପ୍ରଦୀପ କୁମାର ସେଠୀ ମଞ୍ଚାସୀନ ଥିଲେ । ବି.ସତ୍ୟ ନାରାୟଣ ରାଓ ଧନ୍ୟବାଦ୍ ଅର୍ପଣ କରିଥିଲେ । ପରେ ପରେ ଅତିଥି ମାନଙ୍କ ଦ୍ୱାରା ଲାଲମନି କ୍ରିକେଟର ପତାକା ଉତ୍ତୋଳନ ଓ ଟ୍ରଫି ଉନ୍ମୋଚନ ହୋଇଥିବା ବେଳେ ଉଭୟ ଦଳର ଖେଳାଳୀ ମାନଙ୍କ ସହ ଅତିଥି ପରିଚୟ ପ୍ରଦାନ କରାଯାଇଥିଲା । ପରେ ପରେ ପଡ଼ିଆରେ ଜାତୀୟ ସଙ୍ଗୀତ ଗାନ କରାଯାଇ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା । ପରେ ସୋନପୁରର ଏସ୍‌ଡିସିଏ ଓ ବଲାଙ୍ଗିରର ୟଙ୍ଗ ଷ୍ଟାର କ୍ରିକେଟ କ୍ଲବ୍ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ମ୍ୟାଚ୍ ଅନୁଷ୍ଠିତ ହୋଇଥିବା ବେଳେ ୟଙ୍ଗ ଷ୍ଟାର ଦଳ ବିଜୟୀ ହୋଇଥିଲା ।

Leave A Reply

Your email address will not be published.