ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ମୁଖପତ୍ର ‘ପ୍ରଗତି ପ୍ରବାହ’ ଉନ୍ମୋଚିତ

  • ମୁଖ୍ୟମନ୍ତ୍ରୀଙ୍କ ସହ ଯୁବ ଚାଷୀ କଲେ ପ୍ରଗତି ପ୍ରବାହର ଉନ୍ମୋଚନ
  • ଝାରସୁଗୁଡ଼ାର ସଫଳ ଯୁବ ଚାଷୀ ହୃଦାନନ୍ଦ ବିଶିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ, ଜିଲ୍ଲା ପ୍ରଶାସନକୁ ସମସ୍ତ ସହାୟତା ଯୋଗାଇବାକୁ ନିର୍ଦ୍ଦେଶ
  • ପ୍ରଗତି ପ୍ରବାହ, ରାଜ୍ୟ ବିକାଶର ଚଳନ୍ତି ପ୍ରତିଛବି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଉନ୍ମୋଚିତ ହୋଇଛି ରାଜ୍ୟ ସରକାରଙ୍କ ମୁଖପତ୍ର “ପ୍ରଗତି ପ୍ରବାହ” । ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପ୍ରକାଶିତ ଏହି ପୁସ୍ତିକାଟିକୁ ମୁଖ୍ୟମନ୍ତ୍ରୀ ନିଜ ବାସଭବନ ତଥା ଆବାସିକ କାର୍ଯ୍ୟାଳୟ ଠାରେ ଉନ୍ମୋଚନ କରିଥିଲେ । ପ୍ରଗତି ପ୍ରବାହ, ରାଜ୍ୟ ବିକାଶର ଚଳନ୍ତି ପ୍ରତିଛବି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଥିଲେ ଏବଂ ଏହି ପୁସ୍ତିକାର ପ୍ରକାଶନ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଧନ୍ୟବାଦ ଦେଇଥିଲେ । ସୂଚନା ଯୋଗ୍ୟ ଯେ, “ପ୍ରଗତି ପ୍ରବାହ”ର ଉନ୍ମୋଚନ ସମୟରେ ଝାରସୁଗୁଡା ଜିଲ୍ଲାର ଲଖନପୁର ଗ୍ରାମର ଜଣେ ସଫଳ ଯୁବ ଚାଷୀ ହୃଦାନନ୍ଦ ବିଶି ମଧ୍ୟ ଉପସ୍ଥିତ ଥିଲେ । ଏହି ପୁସ୍ତିକାରେ ହୃଦାନନ୍ଦଙ୍କ ସଫଳ କାହାଣୀ ମଧ୍ୟ ଉଲ୍ଲେଖ ଅଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ହୃଦାନନ୍ଦ ବିଶିଙ୍କୁ ସମ୍ମାନିତ କରିବା ସହିତ ତାଙ୍କ ସଫଳତା ପାଇଁ ଶୁଭେଚ୍ଛା ପ୍ରଦାନ କରିଥିଲେ । ଏହା ସହିତ ଆଗକୁ କିଭଳି ଆହୁରି ସରକାରଙ୍କ ହିତାକାଂକ୍ଷୀ ଯୋଜନା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ପି.ଏମ କିଷାନ ଓ ‘ସିଏମ- କିଷାନ’ ମାଧ୍ୟମରେ ଆହୁରି ନିଜର କୃଷି କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ ସେ ବିଷୟରେ ପରାମର୍ଶ ଦେଇଥିଲେ । “ଆମ ସରକାର ଚାଷୀ ମାନଙ୍କ ଉନ୍ନତି ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରୁଛି । ଚାଷୀ ଟିଏ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ” ଆତ୍ମନିର୍ଭରଶୀଳ ଭାରତ”ର ଉଦ୍ଦେଶ୍ୟକୁ ପୂରଣ କରୁଛି । ଚାଷୀ ନିଜ ଫସଲ ଦ୍ୱାରା ଗୋଟିଏ ପରିବାର ନୁହେଁ ଅନେକ ପରିବାର ଚଳାଇବାର କ୍ଷମତା ରଖୁଛି, ଯାହାକି ଆମ ଦେଶର ପ୍ରକୃତ ଷ୍ଟାର୍ଟ-ଅପ ବୋଲି ମୁଖ୍ୟମନ୍ତ୍ରୀ ସଫଳ ଚାଷୀ ଶ୍ରୀ ବିଶିଙ୍କ ସହ କଥା ହୋଇ ତାଙ୍କୁ କହିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିଏସ୍‌ସି (ଫିଜିକ୍ସ), ଏମ୍‌ବିଏ ଏବଂ ମେକାନିକାଲ୍‌ ଇଂଞ୍‌ଞ୍ଜିନିୟରିଂ ଭଳି ଉଚ୍ଚଶିକ୍ଷା ଲାଭ କରିବା ପରେ ମଧ୍ୟ ବାହାରେ ଚାକିରି ନକରି ନିଜ ମାଟିରେ ସୁନା ଫଳାଇବା ନିଶାରେ ଶ୍ରୀ ବିଶି ଚାଷକୁ ଆପଣାଇଥିଲେ । ଆଧୁନିକ ଜ୍ଞାନକୌଶଳ ଯଥା ଡ୍ରିପ୍‌ ଇରିଗେସନ୍‌ ଓ ମଲ୍‌ଜିଙ୍ଗ ପଦ୍ଧତିରେ ଚାଷ କରି ସେ ଆଜି ଜଣେ ‘ଲକ୍ଷପତି ଚାଷୀ’ ଭାବେ ଉଭା ହୋଇଛନ୍ତି । ତାଙ୍କର ଏହି ପ୍ରେରଣାଦାୟୀ ସଫଳତା କାହାଣୀ ‘ପ୍ରଗତି ପ୍ରବାହ’ ପତ୍ରିକାରେ ସ୍ଥାନ ପାଇଛି । ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ବିଶିଙ୍କୁ ସରକାରୀ ସହାୟତା ଓ ସବସିଡି ମିଳୁଛି କି ନାହିଁ ସେ ସମ୍ପର୍କରେ ପଚାରି ବୁଝିଥିଲେ । ଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଜରିଆରେ ସମସ୍ତ ସରକାରୀ ସହାୟତା ତୁରନ୍ତ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ବିଶେଷ କରି କୋଲ୍ଡ କୃଷି ଭିତ୍ତିଭୂମିର ବିକାଶ ପାଇଁ ଜିଲ୍ଲାପାଳ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସେ ସ୍ପଷ୍ଟ କରିଥିଲେ । ଏଥିସହିତ ବିଭିନ୍ନ କୃଷି ଯୋଜନାର ସୁଯୋଗ ନେଇ ନିଜର କୃଷି କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହ ଚାଷୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ପୂର୍ବତନ ବିଧାୟକ ନାଉରି ନାଏକ, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକ, ଝାରସୁଗୁଡା ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀ ସୁଶ୍ରୀ କୃଷ୍ଣାକେଶୀ ବଳିଆରସିଂହଙ୍କ ସମେତ ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.