କଂଗ୍ରେସ ପକ୍ଷରୁ ଧାନ ଉଠିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାରେ ବିଭିନ୍ନ ମଣ୍ଡିରେ ଚାଷୀଙ୍କ ଧାନ ଉଠିବା ବିଳମ୍ବ ଓ ବିଭିନ୍ନ ସମସ୍ୟାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଦୀର୍ଘଦିନ ହେବ ଜିଲ୍ଲାର ମଣ୍ଡିମାନଙ୍କରେ ଚାଷୀଙ୍କ ଧାନ ଉଠି ନ ପାରିବାରୁ ଲୋକେ ପ୍ରବଳ ଥଣ୍ଡା କାକରରେ ଦିନରାତି ମଣ୍ଡିରେ ଜଗି ରହି ନାନା କଷ୍ଟ ପାଉଥିବା ଦେଖିବାକୁ ମିଳୁଛି । ତେଣୁ ଧାନ ଉଠିବା ପ୍ରକ୍ରିୟାକୁ ତୁରନ୍ତ ବ୍ୟବସ୍ଥିତ ଓ ତ୍ୱରାନ୍ୱିତ କରାଗଲେ ପ୍ରଶାସନ ପାଖରେ ଚାଷୀକୂଳ ଉପକୃତ ହେବେ ଓ କୃତଜ୍ଞ ହେବେ ବୋଲି ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ପ୍ରାକ୍ତନ ବିଧାୟକ ବିନୋଦ ପାତ୍ର ଓ ଜିଲ୍ଲା ସଭାପତି ସଂଗ୍ରାମ କେଶରୀ ନାୟକ । ଜିଲ୍ଲା ମୁଖ୍ୟ ବେସାମରିକ ଯୋଗାଣ ଅଧିକାରୀ ନିରୋଦ ରଞ୍ଜନ ଦାସଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଯେ, କିଛି ସ୍ଥାନରେ ସେହି ସମସ୍ୟା ରହିଛି କାରଣ ଚଳିତ ବର୍ଷ ସମାନ ସମୟରେ ମିଲରମାନେ ଚାଉଳ ମଧ୍ୟ ଏଫ୍‌ସିଆଇକୁ ଦେଉଥିବାରୁ ଆବଶ୍ୟକ ମୁତାବକ ଗାଡି ମଣ୍ଡିକୁ ପଠାଇ ପାରୁନାହାନ୍ତି । ଅଳ୍ପ କିଛିଦିନ ଭିତରେ ସମସ୍ୟାର ସମାଧାନ ହୋଇଯିବ । କିନ୍ତୁ ଯଦି ଆମେ ଦେଖିବା ଗତ ବର୍ଷ ଜାନୁଆରୀ ୧୫ ପର୍ଯ୍ୟନ୍ତ ୨୨ ଲକ୍ଷ କ୍ଵିଣ୍ଟାଲ ଧାନ କିଣା ସରିଥିବା ବେଳେ ଚଳିତ ବର୍ଷ ମଧ୍ୟ ଆଜି ୧୫ ଜାନୁୟାରୀ ପର୍ଯ୍ୟନ୍ତ ସମ ପରିମାଣ ୨୨ ଲକ୍ଷ କ୍ଵିଣ୍ଟାଲ ଧାନ ବିଭିନ୍ନ ମଣ୍ଡିରୁ ଉଠି ସାରିଛି । ଏହି ପ୍ରତିନିଧି ଦଳରେ ବିଧାୟକ ଶ୍ରୀ ପାତ୍ର ଓ ଶ୍ରୀ ନାୟକଙ୍କ ସମେତ କଂଗ୍ରେସ ନେତା ରାଜେନ୍ଦ୍ର ପ୍ରସାଦ ଦୀପ, ରବିନ୍ଦ୍ର ହୋତା, ପ୍ରମୋଦ ଗୁରୁ, ରାଜେଶ ମିଶ୍ର, ଲଛମନ ସୁନା ପ୍ରମୁଖ ନେତା ଆଜିର ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ ।

Leave A Reply

Your email address will not be published.