ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ରାମକୃଷ୍ଣ ମିଶନ ଠାରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରୁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକ ଶୋଭାଯାତ୍ରାରେ ଆସି ରାମକୃଷ୍ଣ ମିଶନ ଠାରେ ପହଞ୍ଚିଥିଲେ । ମିଶନର ସଭାପତି ଭାରତ ଭୂଷଣ ମହାନ୍ତିଙ୍କ ଅଧ୍ୟକ୍ଷତା ଓ ଡ. ସରିତା ମଲ୍ଲଙ୍କ ମଞ୍ଚ ସଂଯୋଜନାରେ ସମ୍ପାଦକ ଦିବ୍ୟ ସ୍ୱରୂପାନନ୍ଦଜୀ ମହାରାଜ, ସହ ସମ୍ପାଦକ ପୂଜାନନ୍ଦଜୀ ମହାରାଜ, ହମିରପୁର ଉନ୍ନୟନ ପରିଷଦର ସଭାପତି ଡ. ସୁମନ ଦତ୍ତ, ଶିକ୍ଷକ ରଞ୍ଜନ କୁମାର ସାମଲ, ଦିବ୍ୟଜ୍ୟୋତି ରାୟ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ୱାମୀ ବିବେକାନନ୍ଦଙ୍କ ବାଣୀ, ଜୀବନାଦର୍ଶ ଓ ସମଗ୍ର ଭାରତବର୍ଷ ତଥା ବିଶ୍ୱକୁ ତାଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ସମ୍ପାଦକ ଦିବ୍ୟ ସ୍ୱରୂପାନନ୍ଦଜୀ ମହାରାଜ ଅନୁଷ୍ଠାନର ଗଦାଧର ଅଭ୍ୟୁଦୟ ପ୍ରକଳ୍ପ ଓ ମିଶନ ଠାରେ ଦିଆଯାଉଥିବା ଶିକ୍ଷା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସଭାପତି ଶ୍ରୀ ମହାନ୍ତି ଛାତ୍ରଛାତ୍ରୀମାନଙ୍କୁ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ । ପୂଜାନନ୍ଦଜୀ ମହାରାଜ ବିବେକାନନ୍ଦ ଓ ମିଶନ ସମ୍ପର୍କିତ ସଂଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ହମିରପୁରର ବିବେକାନନ୍ଦ ଯୁବକ ସଂଘ, ସେକ୍ଟର ୩ ର ବାଜି ରାଉତ ଶିକ୍ଷା ନିକେତନ, ସେକ୍ଟର ୨୦ ର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ରେଲୱେ କଲୋନୀର ସିଟି ଇଂଲିଶ ସ୍କୁଲ, ଗୋପବନ୍ଧୁପାଲିର ଆନନ୍ଦଧାମ ଓ ହମିରପୁର ଗୋପବନ୍ଧୁ ହାଇସ୍କୁଲର ଛାତ୍ରଛାତ୍ରୀମାନେ ପ୍ରଭାତଫେରୀରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ମିଶନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । ଶେଷରେ ଉପସ୍ଥିତ ସମସ୍ତଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ସଂଯୋଜକ ଡ. ମଲ୍ଲ ଧନ୍ୟବାଦ ଅର୍ପଣ କରିଥିଲେ ।