ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରେଙ୍ଗାଲିରେ ପ୍ରଥମ ବାର୍ଷିକ କ୍ରୀଡା ଉତ୍ସବ ସଫଳତାର ସହିତ ସମାପ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଗ୍ରାମ ପଞ୍ଚାୟତରେ ଅବସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ରେଙ୍ଗାଲିରେ ଦୁଇଦିନ ଧରି ଆୟୋଜିତ ପ୍ରଥମ ବାର୍ଷିକ କ୍ରୀଡା ଉତ୍ସବ ଆନନ୍ଦମୟ ପରିବେଶ ମଧ୍ୟରେ ସଫଳତାର ସହିତ ସମାପ୍ତ ହୋଇଯାଇଛି । ପ୍ରଧାନଶିକ୍ଷକ ବୀର କିଶୋର ଶତପଥୀଙ୍କ ତତ୍ତ୍ୱାବଧାନ ଓ ପ୍ରେରଣାରେ ପ୍ରଥମଥର ପାଇଁ ଆୟୋଜିତ ଏହି କ୍ରୀଡା ଉତ୍ସବରେ ରେଙ୍ଗାଲି, କପିଲବାହାଲ ଓ ବାଗଡ଼ୁଙ୍ଗୁରୀ ଅଞ୍ଚଳର ଶିଶୁବାଟିକା ଠାରୁ ଦଶମଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ । ଉତ୍ସବର ପ୍ରଥମଦିନ ରେଙ୍ଗାଲି ଗ୍ରାମରେ ଏକ ଆକର୍ଷଣୀୟ ମଶାଲ ଯାତ୍ରା ସହ ଉଦ୍ଘାଟନ ସମାରୋହ ଅନୁଷ୍ଠିତ ହୋଇଥିଲା । ଉଦ୍ଘାଟନୀ ସମାରୋହରେ ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ, ସଦସ୍ୟ ତଥା ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଉଦୟ ସିଂ ଠାକୁର ଶାରୀରିକ ସୁସ୍ଥତା ଓ ସମଗ୍ର ବିକାଶ ପାଇଁ କ୍ରୀଡାର ଆବଶ୍ୟକତା ଉପରେ ଜୋର ଦେଇ ଛାତ୍ରଛାତ୍ରୀମାନଙ୍କୁ ନିୟମିତ ଖେଳକୁଦରେ ଅଂଶଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଦୀର୍ଘ ବର୍ଷ ପରେ ଏପରି ଏକ କ୍ରୀଡା ଉତ୍ସବ ଆୟୋଜନ କରିଥିବାରୁ ସେ ପ୍ରଧାନଶିକ୍ଷକଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଅନ୍ୟତମ ଅତିଥି କୃଷ୍ଣ ଚନ୍ଦ୍ର ରାଜପୁତ ଓ ହୃଷୀକେଶ ସାହୁ ଅନ୍ତର୍ଜାତୀୟ କ୍ରୀଡାବିତ୍ ମାନଙ୍କ ଉଦାହରଣ ଦେଇ ଛାତ୍ରଛାତ୍ରୀମାନଙ୍କୁ ଖେଳୁଆଡ଼ ମନୋଭାବ, ଶିଷ୍ଟାଚାର ଓ ଶିସ୍ତ ରଖି ଆଗକୁ ବଢ଼ିବା ପାଇଁ ଉତ୍ସାହିତ କରିଥିଲେ । ଦୌଡ଼, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ପୁଚି ଖେଳ ସହ ଦଶାଧିକ କ୍ରୀଡା ପ୍ରତିଯୋଗିତାରେ ଶତାଧିକ ଛାତ୍ରଛାତ୍ରୀ ଭାଗ ନେଇ ନିଜ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ । ସମାପନୀ ସମାରୋହରେ କୃତୀ ପ୍ରତିଯୋଗୀମାନଙ୍କୁ ସାର୍ଟିଫିକେଟ, ମେଡାଲ ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନଙ୍କର ସକ୍ରିୟ ସହଯୋଗ ଓ ଗ୍ରାମବାସୀଙ୍କ ଉପସ୍ଥିତି ଦ୍ୱାରା ବେଶ ସଫଳ କରାଯାଇପାରିଥିଲା । ପ୍ରଥମଥର ପାଇଁ ଆୟୋଜିତ ହୋଇଥିବା ଏହି ବାର୍ଷିକ କ୍ରୀଡା ଉତ୍ସବ ଗ୍ରାମ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ ସ୍ୱୀକୃତି ଲାଭ କରିଛି ।

Leave A Reply

Your email address will not be published.