ଧାନକିଣା ଅବ୍ୟବସ୍ଥାକୁ ନେଇ ଗର୍ଜିଲା ବଲାଙ୍ଗିର ଜିଲ୍ଲା କୃଷକ ସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଧାନକିଣା ଅବ୍ୟବସ୍ଥାକୁ ନେଇ ଆଜି ଜୋର୍‌ସୋର୍‌ ସ୍ୱର ଉତ୍ତୋଳନ କରିଛି ବଲାଙ୍ଗିର ଜିଲ୍ଲା କୃଷକ ସଂଘ । ଆଜି ପୂର୍ବାହ୍ନରୁ ସଂଘର ଶତାଧିକ ସଦସ୍ୟ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୭ ଦଫା ଦାବୀପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲା କୃଷକ ସଂଘ ପକ୍ଷରୁ କୁହାଯାଇଛି ଯେ, ସରକାରଙ୍କ ନିର୍ଦ୍ଦେଶ ମତେ ବଲାଙ୍ଗିର ଜିଲ୍ଲାରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ସ୍ତରୀୟ ଧାନକିଣା ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ, ଡିସେମ୍ବର ୫ ତାରିଖରୁ ଜିଲ୍ଲାସାରା ଧାନ ମଣ୍ଡି ଖୋଲାଯାଇ ଚାଷୀଙ୍କ ଠାରୁ ଧାନ କିଣା ଯିବ । ରେଜିଷ୍ଟ୍ରିଭୁକ୍ତ ଚାଷୀମାନଙ୍କୁ ତାଙ୍କର ନିୟମ ମୁତାବକ ଧାନ ବିକ୍ରି ଟୋକନ୍‌ ପ୍ରଦାନ କରାଯିବାକୁ ମଧ୍ୟ କୁହାଯାଇଥିଲା । କିନ୍ତୁ ନିର୍ଦ୍ଧାରିତ ଧାନକିଣା ତାରିଖ ଠାରୁ ୧୫ ଦିନ ବିତି ସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଜିଲ୍ଲାରେ ଅଧିକାଂଶ ସ୍ଥାନରେ ଧାନମଣ୍ଡି ଖୋଲାଯାଇନାହିଁ । ଏଥିପାଇଁ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛି । ତେବେ ବଲାଙ୍ଗିର ଜିଲ୍ଲା କୃଷକ ସଂଘର ସଦସ୍ୟମାନେ ସରକାରଙ୍କ ଧାନକିଣା ଅବ୍ୟବସ୍ଥା ନେଇ ପ୍ରଚଣ୍ଡ ବର୍ଷିଛନ୍ତି । ସେମାନଙ୍କର ପ୍ରମୁଖ ଦାବୀଗୁଡ଼ିକ ହେଲା- ବଲାଙ୍ଗିର ଜିଲ୍ଲାରେ ତୁରନ୍ତ ସମସ୍ତ ମଣ୍ଡି ଖୋଲାଯାଇ ଚାଷୀଙ୍କ ଧାନକ୍ରୟ କରାଯାଉ । ଧାନକିଣା କେନ୍ଦ୍ରରେ ମିଲ୍‌ ମାଲିକଙ୍କ ଉପସ୍ଥିତିକୁ ବାରଣ କରାଯାଇ କଟ୍‌ନି ଛଟ୍‌ନି ବନ୍ଦ କରାଯାଉ । କେନ୍ଦ୍ର ସରକାରଙ୍କ ସର୍ବନିମ୍ନ ସହାୟକ ମୂଲ୍ୟ ୨୩୬୯ ଟଙ୍କା ଏବଂ ରାଜ୍ୟ ସରକାରଙ୍କ ୮୦୦ ଟଙ୍କା ବୋନସ ମିଶାଇ କ୍ୱିଣ୍ଟାଲ ପ୍ରତି ୩୧୬୯ ଟଙ୍କା ଚାଷୀଙ୍କୁ ପ୍ରଦାନ କରାଯାଉ । ମଣ୍ଡିଗୁଡ଼ିକରେ ସିସି ଟିଭି କ୍ୟାମେରାର ବନ୍ଦୋବସ୍ତ କରାଯାଉ । ଜିଲ୍ଲାରେ ମଣ୍ଡି ଖୋଲିବା ବିଳମ୍ବ ଯୋଗୁଁ ଧାନ କିଣା ବିଳମ୍ବ ହେଉଛି । ତେଣୁ ଧାନର ଆଦ୍ରତା କମି ଧାନର ଓଜନ ହ୍ରାସ ପାଉଥିବାରୁ ଚାଷୀଙ୍କୁ ଏହାର କ୍ଷତିପୂରଣ ରାଜ୍ୟ ସରକାର ପ୍ରଦାନ କରନ୍ତୁ । ଚାଷୀ ଉତ୍ପାଦନ କରୁଥିବା ସମସ୍ତ ଧାନ ସରକାର କିଣନ୍ତୁ । ଅଭାବୀ ବର୍ଷା ଯୋଗୁଁ ଦେଓଗାଁ ବ୍ଲକ୍‌ର ୧୪ଟି ପଂଚାୟତରେ ହୋଇଥିବା ମରୁଡ଼ି ଜନିତ କ୍ଷତିର ଆକଳନ କରି ତାର କ୍ଷତିପୂରଣ ପ୍ରଦାନ କରାଯାଉ । ଏହି ଦାବୀଗୁଡ଼ିକ ଯଥାଶୀଘ୍ର ପୂରଣ ନହେଲେ ଆଗାମୀ ଦିନରେ ଘନଘୋର ଆନ୍ଦୋଳନ କରିବ ବଲାଙ୍ଗିର ଜିଲ୍ଲା କୃଷକ ସଂଘ ବୋଲି ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.