ପାଇକମାଲ ବିଡିଓଙ୍କ ବିଭିନ୍ନ ଧାନମଣ୍ଡି ପରିଦର୍ଶନ : ଚାଷୀ ସୁବିଧା ଉପରେ ଗୁରୁତ୍ୱ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚାଷୀମାନଙ୍କୁ ସୁବିଧାଜନକ ଓ ସୁଚାରୁ ଧାନ କ୍ରୟ ବ୍ୟବସ୍ଥା ନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଜି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ପଞ୍ଚାୟତ ସମିତି ଅନ୍ତର୍ଗତ ବିଭିନ୍ନ ଧାନମଣ୍ଡିକୁ ପାଇକମାଲ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ) ପ୍ରଫୁଲ୍ଲ ଅଦୁ ପରିଦର୍ଶନ କରିଥିଲେ । ଏହି ପରିଦର୍ଶନ କାର୍ଯ୍ୟକ୍ରମ ପାଇକମାଏ ବ୍ଲକ ଅନ୍ତର୍ଗତ ଟେମରୀ, ବୁକୁରାମୁଣ୍ଡା, ସରେଇକେଲା ଓ ଲଖମରା ଧାନମଣ୍ଡିଗୁଡ଼ିକୁ ଯାଇ ପରିସ୍ଥିତି ଅବଲୋକନ କରିଥିଲେ । ପରିଦର୍ଶନ ସମୟରେ ବିଡିଓ ଶ୍ରୀ ଅଦୁ ଧାନମଣ୍ଡିରେ ଚାଷୀମାନଙ୍କ ପାଇଁ ପିଇବା ପାଣି, ବସିବା ବ୍ୟବସ୍ଥା, ଛାଉଣି, ଶୌଚାଳୟ ଓ ସ୍ୱଚ୍ଛତା ସମ୍ପର୍କିତ ବ୍ୟବସ୍ଥାଗୁଡ଼ିକ ସଠିକ୍ ଭାବେ ରହିଛି କି ନାହିଁ ତାହା ସଂପୂର୍ଣ୍ଣ ଭାବେ ତଦାରଖ କରିଥିଲେ । ବର୍ତ୍ତମାନ ଧାନ କ୍ରୟ ଋତୁ ଚାଲି ଥିବାରୁ ଚାଷୀମାନେ ଯେମିତି କୌଣସି ପ୍ରକାରର ଅସୁବିଧାର ସମ୍ମୁଖିନ ନ ହୁଅନ୍ତୁ, ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରୟାସ କରାଯାଉଛି ବୋଲି ସେ କହିଥିଲେ । ବିଡିଓ ଧାନମଣ୍ଡିରେ ଉପସ୍ଥିତ ଥିବା ସ୍ଥାନୀୟ ଚାଷୀମାନଙ୍କ ସହ ସିଧାସଳଖ ଆଲୋଚନା କରି ତାଙ୍କ ସମସ୍ୟା, ଅଭିଯୋଗ ଓ ପ୍ରସ୍ତାବ ଗୁଡ଼ିକୁ ଶୁଣିଥିଲେ । ଚାଷୀମାନେ ଧାନ ଓଜନ, ଓଜନ ମାପ, ଧାନ ଭର୍ତ୍ତି ପ୍ରକ୍ରିୟା, ଅନଲାଇନ ଟୋକନ ବ୍ୟବସ୍ଥା ଓ ଧାନର ଉଚିତ ମୂଲ୍ୟ ସମ୍ପର୍କରେ ନିଜ ମତାମତ ରଖିଥିଲେ । ସେମାନଙ୍କ ଅଭିଯୋଗକୁ ଗୁରୁତ୍ୱ ସହ ନେଇ ସମାଧାନ ପାଇଁ ସମ୍ପୃକ୍ତ କର୍ମଚାରୀ ଓ ମଣ୍ଡି ଚଳାଉଥିବା କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଥିଲା । ଏହାସହିତ ବିଡିଓ ମଣ୍ଡି ଚଳାଉଥିବା ସଂସ୍ଥା ମାନଙ୍କୁ ସରକାରୀ ନିୟମ ଓ ନିର୍ଦ୍ଦେଶାବଳୀକୁ କଡାକଡି ଭାବେ ପାଳନ କରିବାକୁ ଓ ଚାଷୀମାନଙ୍କୁ ସମ୍ମାନ ସହିତ ସେବା ଦେବାକୁ ଉପଦେଶ ଦେଇଥିଲେ । ପ୍ରଶାସନ ପକ୍ଷରୁ ଆଗାମୀ ଦିନରେ ମଧ୍ୟ ଏଭଳି ପରିଦର୍ଶନ ଓ ନିରୀକ୍ଷଣ ଜାରି ରହିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.