ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ସାଇବର ଠକେଇ ସଚେତନତା ଶିବିର

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ବ୍ଲକ ମିଶନ୍ ଶକ୍ତି ଭବନ ସୋନପୁର ଠାରେ ଜିଲ୍ଲା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ଅଧ୍ୟକ୍ଷତାରେ ସାଇବର ଠକେଇରୁ ସୁରକ୍ଷା ନିମନ୍ତେ ବ୍ଲକ ସ୍ତରୀୟ ସଚେତନତା ବା ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବରେ ସୋନପୁର ବିଡ଼ିଓ ପ୍ରତୀକ କୁମାର କର ଓ ସମ୍ମାନିତ ଅତିଥି ଭାବରେ ସୁରକ୍ଷା ଅଧିକାରୀ ବାସନ୍ତୀ ଭୋଇ ଯୋଗ ଦେଇଥିଲେ । କର୍ମଶାଳାରେ ସୋନପୁର ଡିଏସପି ରେଣୁକା ସୁନା, କମ୍ପ୍ୟୁଟର ସାଇନ୍ସ ଏଚଓଡି ଆଶିଷ କୁମାର ଅଗ୍ରୱାଲ ଓ ଆଇନଜୀବୀ ମନୋଜ ବିଶି, ସନ୍ଧ୍ୟାରାଣୀ ମିଶ୍ର ତାଲିମ୍ ଶିବିରରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଡିଏସପି ସୁନା ଏବଂ ଶ୍ରୀ ଅଗ୍ରୱାଲ ଉପସ୍ଥିତ ଏସଏଚଜି ଗ୍ରୁପ୍, ଆଙ୍ଗନୱାଡି କର୍ମୀ, କିଶୋରୀ ବାଳିକାମାନଙ୍କୁ ପିପିଟି ଓ ଭିଡ଼ିଓ ମାଧ୍ୟମରେ ଶିକ୍ଷାଦାନ କରିଥିଲେ । ଅନଲାଇନ ଠକେଇ କିପରି ହୋଇଥାଏ ଓ କିପରି ଆମେ ଏହି ଠକାମୀରୁ ସୁରକ୍ଷା ପାଇବା ସେହି ବିଷୟରେ ଉପଦେଶ ଦେଇଥିଲେ । ଏହା ସହିତ ଫେସ୍ ବୁକ୍, ହ୍ଵାଟସ୍ ଆପ, ଇନଷ୍ଟାଗ୍ରାମ, ବ୍ୟାଙ୍କ ନେଟୱାର୍କିଂ ଇତ୍ୟାଦି ବିଭିନ୍ନ ଆପର୍ ବ୍ୟବହାର ବିଷୟରେ ତାଲିମ୍ ଦେଇଥିଲେ । ଆଇନରେ ଥିବା ଧାରା ଏବଂ ଦଣ୍ଡବିଧାନ ବିଷୟରେ କହିଥିଲେ । ବ୍ଲକ ଉନ୍ନୟନ ଅଧିକାରୀ ନାରୀ ମାନଙ୍କର ସମସ୍ତ ପ୍ରକାର ସୁରକ୍ଷା ଉପରେ ଆଲୋଚନା କରିଥିଲେ । ଏହି ତାଲିମ୍ ଶିବିରକୁ ସମନ୍ଵିତ ଶିଶୁ ବିକାଶ ଅଧିକାରୀ ସାଗରିକା ସ୍ଵାଇଁ ପରିଚାଳନା କରିବା ସହିତ ତାଲିମରେ ଉପସ୍ଥିତ ବିଭିନ୍ନ ଗ୍ରାମରୁ ଆସିଥିବା ଅଙ୍ଗନୱାଡି କର୍ମୀ, କିଶୋରୀ ବାଳିକା, ଏସ୍‌ଏଚଜି ଏବଂ ଉପସ୍ଥିତ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ କରିଥିଲେ ।

Leave A Reply

Your email address will not be published.