ପି.ଏମ.ଶ୍ରୀ ଅନସ୍ଲୋ ସରକାରୀ ହାଇସ୍କୁଲର ବାର୍ଷିକ କ୍ରୀଡା ସମାରୋହ ଉଦଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରସ୍ଥ ଅନସ୍ଲୋ ମିନି- ଷ୍ଟାଡିୟମରେ ଶୁକ୍ରବାର ସକାଳେ ଅନସ୍ଲୋ ସରକାରୀ ହାଇସ୍କୁଲ୍ ପକ୍ଷରୁ ଆୟୋଜିତ ବାର୍ଷିକ କ୍ରୀଡା ଉଦ୍‌ଘାଟିତ ହୋଇଛି । ଛତ୍ରପୁରରେ ଦୌଡରାଣୀ ଦୂତୀ ଚାନ୍ଦଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ପରିଶ୍ରମ ଓ ଇଚ୍ଛା ଶକ୍ତି ବଳରେ ଜଣେ ଦକ୍ଷତାର ଶୀର୍ଷସ୍ଥଳରେ ପଦାର୍ପଣ କରିପାରିବେ ବୋଲି ଅତିଥି ଦେବ ଶିଶୁ କ୍ରୀଡ଼ାବିତଙ୍କୁ ଉତ୍ସାହିତ କରି କହିଛନ୍ତି । ଆୟୋଜିତ ବାର୍ଷିକ କ୍ରୀଡା ସମାରୋହରେ ଦୌଡରାଣୀ ଦୂତୀ ଚାନ୍ଦ ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ରୀଡାବିତଙ୍କୁ ଉତ୍ସାହିତ କରିଛନ୍ତି । ପି.ଏମ. ଶ୍ରୀ ଅନସ୍ଲୋ ସରକାରୀ ହାଇସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ସମାରୋହରେ ଆୟୋଜିତ ଏହି ଉଦଘାଟନୀ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ୍ ସେନାଧିକାରୀ ବିଶିଷ୍ଟ କ୍ରୀଡ଼ା ଶିକ୍ଷକ, ପ୍ରଖ୍ୟାତ ଖେଳାଳୀ ସିମାଞ୍ଚଳ ବାରିକ୍ ଯୋଗଦେଇ ଅଧିକା ପରିଶ୍ରମ ବଳରେ ଜଣେ ଦକ୍ଷତା ହାସଲର ସୁଯୋଗ ମିଳିବ ବୋଲି ଶ୍ରୀ ବାରିକ୍ ଶିଶୁ କ୍ରୀଡ଼ାବିତ୍‌ଙ୍କୁ ଉତ୍ସାହିତ କରିଛନ୍ତି । ଅନସ୍ଲୋ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସୁଚିତ୍ରା ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀ ସୁଜିତ୍ କୁମାର ପାଢ଼ୀ, ସ୍କୁଲ୍ ପରିଚାଳନା କମିଟି ସଭାପତି ଉମାଶଙ୍କର ଦାସ୍ ପ୍ରମୁଖ ମଞ୍ଚାସୀନ ଥିଲେ । ଆନୁଷ୍ଠାନିକ ସଭା ପରେ ମୁଖ୍ୟଅତିଥି ଦୂତୀ ଚାନ୍ଦ ଏବଂ ସମ୍ମାନୀତ ଅତିଥି ସିମାଞ୍ଚଳ ବାରିକ୍ ପ୍ରଥମେ ଦୌଡ଼ ପ୍ରତିଯୋଗିତାକୁ ସବୁଜ ପତାକା ଦେଖାଇ ଖେଳକୁଦ ସମାରୋହକୁ ଶୁଭାରମ୍ଭ କରିଥିଲେ । ପରେ ବିଭିନ୍ନ ବର୍ଗର ଖେଳକୁଦର ଆସର ପ୍ରତିଯୋଗିତା ଆଦି ପ୍ରଥମ ଦିବସରେ ମଧ୍ୟାହ୍ନରେ ସମ୍ପନ୍ନ ହୋଇଛି । କ୍ରୀଡ଼ା ଉତ୍ସବର ଉଦଯାପନୀ ସମାରୋହ ରବିବାର ପ୍ରାତଃ କାଳୀନରେ ଆରମ୍ଭ ହୋଇ ପୂର୍ବାହ୍ନ ସୁଦ୍ଧା ସମାହିତ ହେବ ବୋଲି ଅନସ୍ଲୋ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି ।

Leave A Reply

Your email address will not be published.