କଲମପୁର ବ୍ଲକରେ ଖୋଲିଲା ମଣ୍ଡି ତିନି ଜଣ ଚାଷୀଙ୍କ ୧୮୩ କୁଇଣ୍ଟାଲ ଧାନକ୍ରୟ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଚଳିତ ଖରିଫ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା ବହୁ ବିଳମ୍ବ ହୋଇଥିଲେହେଁ ଶୁକ୍ରବାର ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ କଲମପୁର ବ୍ଲକର କେତେକ ମଣ୍ଡିର ଶୁଭାରମ୍ଭ ହୋଇଛି । କଲମପୁର ପ୍ରାଥମିକ ସମବାୟ ସମିତି ଅନ୍ତର୍ଗତ କଲମପୁର ମଣ୍ଡି ସମେତ ପାଣ୍ଡିଗାଁ, ଦେପୁର, ବଙ୍କାପଲା ମଣ୍ଡି ଉଦଘାଟିତ ହୋଇଛି । ମଣ୍ଡି ଉଦ୍ଘାଟନ ସମୟରେ ବିଡ଼ିଓ ତଥା ପର୍ଯ୍ୟବେକ୍ଷକ ବିଜୟ କୁମାର ମାଣ୍ଡାଙ୍ଗି, ତହସିଲଦାର ସ୍ମରଣିକା ତୁଲ, ପେକ୍ସ ସଭାପତି ଶଙ୍କର୍ଷଣ ବେହେରା, ସଦସ୍ୟ ମହେନ୍ଦ୍ରନାଥ ସାହୁ, ଘନଶ୍ୟାମ ନାଏକ, ରାଜସ୍ୱ ନିରୀକ୍ଷକ ସୁଶାନ୍ତ କୁମାର ପାତ୍ର, ଯୋଗାଣ ନିରୀକ୍ଷକ ଲିସା ସାହୁ, ନିୟନ୍ତ୍ରିତ ବଜାର କମିଟି କର୍ମଚାରୀ ମଧୁସୂଦନ ପାତ୍ର, ମିଲ ମାଲିକ ମୁକେଶ କୁମାର ରାଜ ପୁରୋହିତ, ଏଜେଣ୍ଟ ପିଣ୍ଟୁ ଜୈନ, ରାଜେଶ ସାହୁ ଏବଂ ଅଞ୍ଚଳର କିଛି ସଚେତନ ଚାଷୀ ଉପସ୍ଥିତ ଥିଲେ । ପୂଜାର୍ଚ୍ଚନା ଏବଂ ଧାନର ମାନ ପରୀକ୍ଷା ପରେ କଲମପୁର ମଣ୍ଡିରେ ଦୁଇଜଣ ଚାଷୀଙ୍କ ୧୦୮ କୁଇଣ୍ଟାଲ ଏବଂ ଇଚ୍ଛାପୁର ମଣ୍ଡିରୁ ଜଣେ ଚାଷୀଙ୍କ ୭୫ କୁଇଣ୍ଟାଲ ଧାନକ୍ରୟ କରାଯାଇଥିବା ସୂଚନା ମିଳିଛି । ଚଳିତ ଖରିଫ ଋତୁରେ ଏଫ ଏ କ୍ୟୁ ମାନର ଧାନକୁ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କାରେ କ୍ରୟ କରାଯିବ ବୋଲି କଲମପୁର ପ୍ରାଥମିକ ସମବାୟ ସମିତି କାର୍ଯ୍ୟନିର୍ବାହୀ ଶ୍ରୀ ବାଗ ସୂଚନା ଦେଇଛନ୍ତି । ଏଯାଏଁ ବାବୁକେନ୍ଦୁଗୁଡା ଶ୍ରୀକ୍ରୀଷ୍ଣା ରାଇସ ମିଲ ଏବଂ କେସିଙ୍ଗାର ବାସୁଦେବ ଫୁଡକୁ ଧାନ ସଂଗ୍ରହ ପାଇଁ ଦାୟିତ୍ୱ ଦିଆଯାଇଥିବା ଜଣାଯାଇଛି । ମଣ୍ଡି ଆରମ୍ଭ ହେବା ବହୁ ବିଳମ୍ବ ହୋଇଥିବାରୁ ନିୟମିତ ଭାବେ ମଣ୍ଡି ମାନଙ୍କରେ ଧାନକ୍ରୟ କରିବାପାଇଁ ଚାଷୀ ମହଲରେ ଦାବୀ ହୋଇଛି ।

Leave A Reply

Your email address will not be published.