csstore

ପିଆଇବି ଏଡିଜିଙ୍କ ଭବାନୀପାଟଣା ଗସ୍ତ

ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ(ସିବିସି), ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଅଖିଳ କୁମାର ମିଶ୍ର ଭବାନୀପାଟଣା ଗସ୍ତ କରି ସେଠାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମର ପ୍ରଚାରପ୍ରସାର କାର୍ଯ୍ୟ ସମୀକ୍ଷା କରିଛନ୍ତି । ଶ୍ରୀ ମିଶ୍ର ଭବାନୀପାଟଣାସ୍ଥିତ ଦୂରଦର୍ଶନ ଏବଂ ଆକାଶବାଣୀର ଆଞ୍ଚଳିକ କେନ୍ଦ୍ର ସହିତ ସିବିସିର କ୍ଷେତ୍ରୀୟ କାର୍ଯ୍ୟାଳୟ ପରିଦର୍ଶନ କରି ସେଠାକାର କାର୍ଯ୍ୟଧାରା ଅନୁଧ୍ୟାନ ଏବଂ ସମୀକ୍ଷା କରିଥିଲେ । ସେ ବିଭାଗୀୟ ଅଧିକାରୀମାନଙ୍କ ସହିତ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ଗଣମାଧ୍ୟମ ଜରିଆରେ ପ୍ରଚାରପ୍ରସାର ଏବଂ ଜନସାଧାରଣଙ୍କ ଶିକ୍ଷା, ସୂଚନା ଓ ମନୋରଞ୍ଜନ ପାଇଁ ପ୍ରସାରିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ । ବିଶେଷ କରି ସ୍ଥାନୀୟ କଳା, ସଂସ୍କୃତିର ପ୍ରଚାରପ୍ରସାର ସହିତ କେନ୍ଦ୍ରୀୟ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣକୁ ସଚେତନ କରିବା ଉପରେ ଏଡିଜି ଶ୍ରୀ ମିଶ୍ର ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ସିବିସି, ଦୂରଦର୍ଶନ ଏବଂ ଆକାଶବାଣୀର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.