- ବିବେକ ବିହୀନ ବିଜ୍ଞାନ ମାରାତ୍ମକ : ଡ. କୁମର ବର
- ଭାରତୀୟ ଶିକ୍ଷାଦାନ ବ୍ୟବସ୍ଥା ମୂଲ୍ୟବୋଧଭିତ୍ତିକ : ପ୍ର. ରଥ
ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୩୪ତମ ଦ୍ୱିଦିବସୀୟ ବାର୍ଷିକ ଉତ୍ସବ “ଚିନ୍ମୟ ସ୍ପନ୍ଦନମ୍” ମହାସମାରୋହରେ ସମ୍ପନ୍ନ ହୋଇଯାଇଛି । ବିଦ୍ୟାଳୟର ସଭାପତି ଶିକ୍ଷାବିତ୍ ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଡ. କୁମରବର ଦାସ ମୁଖ୍ୟଅତିଥି, ସମ୍ମାନିତ ଅତିଥି ଭାବେ ଚିନ୍ମୟ ମିଶନ ରାଉରକେଲାର ବ୍ରହ୍ମକୁମାରୀ ପ୍ରତିଭା ଚୈତନ୍ୟ, ପରିଚାଳନା କମିଟିର ସାଧାରଣ ସମ୍ପାଦକ ରମାକାନ୍ତ ପଣ୍ଡା ଓ ଦ୍ୱିତୀୟ ଦିବସରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ଅମୀୟ କୁମାର ରଥ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଚିନ୍ମୟ ମିଶନର ମୁଖ୍ୟ ସ୍ୱାମୀ ଅରୁପାନନ୍ଦଜୀ ଯୋଗ ଦେଇଥିଲେ । ପ୍ରଥମ ଦିବସର ମୁଖ୍ୟଅତିଥି ଡ. ଦାସ ଛାତ୍ରଛାତ୍ରୀଙ୍କୁ ଆଶ୍ରିବଚନ ପ୍ରଦାନ କରି କହିଲେ ଯେ, ପେଶା ନିଶା ଏକାଠି ହେଲେ ସଫଳତା ମିଳିଥାଏ । ବିଦ୍ୟାଳୟ ଏକ ମଣିଷ ତିଆରି କାରଖାନା ନୁହେଁ, ମଣିଷ ଭିତରେ ମାନବିକତା ଭରିଦେବାର ଅନୁଷ୍ଠାନ । ଗୋଟିଏ ଶିକ୍ଷାର୍ଥୀ ପାଇଁ ବାପା ଶକ୍ତିଶାଳୀ, ଜନନୀ ସୁନ୍ଦରମୟ ଓ ଗୁରୁ ପ୍ରଶଂସନୀୟ । ବିବେକ ବିହୀନ ବିଜ୍ଞାନ ମାରାତ୍ମକ । ସମୁହ ମଙ୍ଗଳରେ ମୋର ମଙ୍ଗଳ, ମୋର ମଙ୍ଗଳରେ ସାମୁହିକ ମଙ୍ଗଳ ନଥାଏ । ଦ୍ୱିତୀୟ ଦିବସର ମୁଖ୍ୟଅତିଥି ପ୍ର ରଥ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଭାରତୀୟ ଶିକ୍ଷାଦାନ ବ୍ୟବସ୍ଥା ମୂଲ୍ୟବୋଧଭିତ୍ତିକ ଦିଗ ସମ୍ପର୍କରେ ତଥା ଏହା ସମଗ୍ର ବିଶ୍ୱ ପାଇଁ ପ୍ରେରଣା ଯାହା ଭାରତର ବିଶାଳ ମାନବ ସମ୍ବଳ ସମସ୍ତ ବିଶ୍ୱକୁ ଆମ ଆଡକୁ ଆକର୍ଷିତ କରିବାରେ ସଫଳ ହୋଇଛି ବୋଲି ମତ ରଖିଥିଲେ । ସଭାପତିତ୍ୱ ଅଭିଭାଷଣରେ ଶିକ୍ଷାବିତ ଶ୍ରୀ ତ୍ରିପାଠୀ କହିଲେ ଯେ, ସମ୍ବେଦନଶୀଳତା ଭଲ ମଣିଷ ତିଆରି କରେ । ଏହାସହ ସେ ସକରାତ୍ମକ ଓ ନକରାତ୍ମକ ଦିଗ ଉପରେ ଆଲୋକପାତ ତଥା ମୂଲ୍ୟବୋଧଭିତ୍ତିକ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ସମ୍ମାନିତ ଅତିଥି ବ୍ରହ୍ମଚାରିଣୀ ପ୍ରତିଭା ଚୈତନ୍ୟ ବିଦ୍ୟାର୍ଥୀ ଜୀବନରେ ଶିକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଓ ପୂଜ୍ୟ ଅରୁପାନନ୍ଦଜୀ ଚିନ୍ମୟ ମିଶନର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବିଶତପଥୀ ବାର୍ଷିକ ବିବରଣୀ ସହ ବିଦ୍ୟାଳୟର ଛାତ୍ରଛାତ୍ରୀ କିପରି ଜାତୀୟ ସ୍ତରୀୟ ଶିକ୍ଷାନୁଷ୍ଠାନରେ ଶିକ୍ଷା ଲାଭ କରି ଦେଶ ବିଦେଶରେ ନିଜର ତଥା ବିଦ୍ୟାଳୟର ନାମକୁ ଉଚ୍ଚ ସ୍ତରକୁ ନେଇଛନ୍ତି, ସେ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ପରୀକ୍ଷା ଓ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି ଅବସରରେ ପ୍ରଥମ ଦିବସରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ରାଣୀ ସୁକଦେଇ ନାଟକ ଦ୍ୱିତୀୟ ଦିବସରେ ଉଭୟ ଓଡ଼ିଆ ଓ ହିନ୍ଦୀ ନାଟକ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ ତମସା ପାତ୍ର ଓ ଶାଶ୍ୱତୀ ମହାପାତ୍ର ସଂଯୋଜନା କରିଥିବା ବେଳେ ଶେଷରେ ପରିଚାଳନା ସମିତିର ସାଧାରଣ ସମ୍ପାଦକ ରମାକାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଆଲୋକ କୁମାର ମଲ୍ଲିକ, ସୁବ୍ରତ ମହାପାତ୍ର, ଅଭୟ କୁମାର ଦାସ, ନିହାରିକା ବସ୍ତିଆ, ରାଜୀବ ପାଣି, ନବଘନ ସାହୁ, ମହେନ୍ଦ୍ର ପଟ୍ଟନାୟକ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ହରିହର ଶତପଥୀ, ଆଲୋକ କବି ଶତପଥୀ, କାଶୀନାଥ ନନ୍ଦୀଙ୍କ ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ ।