ପବିତ୍ର ବେଦବ୍ୟାସ ପୀଠକୁ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ ନେଇ ସଚେତନତା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପବିତ୍ର ବେଦବ୍ୟାସ ପୀଠକୁ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ ନେଇ ପୂର୍ବରୁ ଘୋଷଣା କରାଯାଇଥିଲା । ଏଥି ନେଇ ଆଜି ପୁଣି ଏକ ସଚେତନତା କାର୍ଯ୍ୟକ୍ରମ ଏସପିସିବିର ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ୟୁଥ ମୁଭମେଣ୍ଟ ଫେଡେରେସନ ଅଫ ଇଣ୍ଡିଆ ଓ ଗୁରୁକୁଳ ସଂସ୍କୃତ ମହାବିଦ୍ୟାଳୟ, ବେଦବ୍ୟାସର ଏନ୍‌ଏସ୍‌ଏସ୍‌ ୟୁନିଟର ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା । ଏହି ଅବସରରେ ଏକ ଶୋଭାଯାତ୍ରା ସଂସ୍କୃତ ମହାବିଦ୍ୟାଳୟରୁ ବାହାରି ମନ୍ଦିର ପରିସରକୁ ଯାଇଥିଲା । ସେଠାରେ ସଫେଇ ସହ ଦୋକାନୀ ମାନଙ୍କୁ ସଚେତନତା କରାଯାଇଥିଲା । ଏସ୍‌ପିସିବିର ରାଉରକେଲା ଆଞ୍ଚଳିକ ଅଧିକାରୀ ଡ଼. ଅନୁପ କୁମାର ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ ଏଥିରେ ବିଭାଗୀୟ ଉପ ପରିବେଶ ଯନ୍ତ୍ରୀ ରଜତ କୁମାର ସେଠି ଯୋଗ ଦେଇ ମନ୍ଦିର ପରିସରରେ ପ୍ଲାଷ୍ଟିକ ଉତ୍ପାଦନ ଓ ବ୍ୟବହାରକୁ ନିଷିଦ୍ଧ ଘୋଷଣା କରିଥିଲେ । ମନ୍ଦିରକୁ ପୂଜା ଭୋଗ ନେବାବେଳେ ପଲିଥିନ ବଦଳରେ ବାଉଁଶ ପାଛିଆ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିଲା । ଏନ୍‌ଏସ୍‌ଏସ୍‌ ଛାତ୍ରଛାତ୍ରୀମାନେ ମନ୍ଦିର ପରିସରକୁ ଝାଡୁ କରି ସଫା କରିଥିଲେ । ବ୍ୟାସ ପୀଠ ଭାବେ ସୁପରିଚିତ ବେଦବ୍ୟାସ ଧାମର ସ୍ୱଚ୍ଛତା ଓ ପବିତ୍ରତାକୁ ବାଜୟୀ ରଖିବାକୁ ଆହ୍ୱାନ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଗୁରୁକୁଳ ସଂସ୍କୃତ ମହାବିଦ୍ୟାଳୟର ପ୍ରିନସିପାଲ ଡ଼. ପରମେଶ୍ୱର ଶତପଥି, ଏନ୍‌ଏସ୍‌ଏସ୍‌ ପ୍ରୋଗ୍ରାମ ଅଫିସର ଶ୍ରୀମତୀ ଜ୍ୟୋସ୍ନା ରାଣୀ ଦାଶ, ଓଡ଼ିଆ ଅଧ୍ୟାପିକା ଶ୍ୟାମମାଳା ଦାଶ, ବେଡଦବ୍ୟାସ ମନ୍ଦିର ଟ୍ରଷ୍ଟର ଇଓ ଗୋଲାପ ଚନ୍ଦ୍ର କୌଶିକ ପ୍ରମୁଖ ଉପସ୍ଥିତ ଥିଲେ । ୱାଇଏମ୍‌ଏଫ୍‌ଆଇର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଅନୁଷ୍ଠାନର ସ୍ୱେଚ୍ଛାସେବୀଗଣଙ୍କ ସହ ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.