-“ପ୍ରତ୍ୟେକ ଶିଶୁଙ୍କୁ ବିଦ୍ୟାଳୟ ସହ ଯୋଡିବା ଆମର ପ୍ରଧାନ ଲକ୍ଷ୍ୟ”
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସଭାଗୃହଠାରେ “ଆସ ସ୍କୁଲ ଯିବା” କାର୍ଯ୍ୟକ୍ରମ ଉପରେ ଏକ ଦିବସୀୟ ଓରିଏନଟେସନ ଓ ରିଭ୍ୟୁ ମିଟିଙ୍ଗ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏଡିଇଓ ସେବାଶ୍ରୀ ଭୋଇ, ପ୍ରବୀର କୁମାର ପଣ୍ଡା, ରିନା କୁମାରୀ ବେହେରା ଯୋଗଦେଇ ପ୍ରତ୍ୟେକ ଶିଶୁଙ୍କୁ ବିଦ୍ୟାଳୟ ସହ ଯୋଡିବା ଆମର ପ୍ରଧାନ ଲକ୍ଷ୍ୟ ହେଉ ବୋଲି କହିବା ସହ ଅଧାରୁ ପାଠ ଛାଡ଼ିଥିବା ଛାତ୍ରଛାତ୍ରୀଙ୍କୁ ପୁନଃ ମୁଖ୍ୟ ସ୍ରୋତକୁ ଆଣିବା ସହ ଡ୍ରପ ଆଉଟ ସଂଖ୍ୟାକୁ କିପରି ରୋକାଯାଇପାରିବ ସେ ଦିଗରେ ନୂଆ ରଣନୀତି ପ୍ରସ୍ତୁତ । ଅଭିଭାବକଙ୍କ ସଚେତନତା ବଢାଇବା ସହ ଶିଶୁ ଶିକ୍ଷାରେ ସାମାଜିକ ଭାଗିଦାରୀ ବଢାଇବା, ପ୍ରତ୍ୟେକ ଶିଶୁ କିପରି ସମାନ ଅବସର ଓ ଗୁଣବତ୍ତା ମୂଳକ ଶିକ୍ଷା ପାଇବେ ସେ ଦିଗ ପ୍ରତି ଯତ୍ନଶୀଳ ହେବା ଓ ପୂର୍ବ କାର୍ଯ୍ୟର ବିଶ୍ଳେଷଣ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନାଗ ନିଜ ବକ୍ତବ୍ୟରେ ଶିଶୁମାନେ ଦେଶର ଭବିଷ୍ୟତ ଓ ସମାଜର ଶକ୍ତି । ସେମାନଙ୍କୁ ନିୟମିତ ଶିକ୍ଷା, ସୁରକ୍ଷା ଓ ସୁନିଶ୍ଚିତ ଅଧିକାର ଦେବା ପାଇଁ ସମସ୍ତେ ନିରନ୍ତର ପ୍ରୟାସ ଜାରି ରଖନ୍ତୁ ବୋଲି କହିବା ସହ କୌଣସି ଶିଶୁ ଯେମିତି ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତୁ ଓ ସମସ୍ତ ଶିଶୁ ସ୍କୁଲ ସହ ଯୋଡି ହେବେ ସେ ଦିଗ ପ୍ରତି ସମସ୍ତେ ଯତ୍ନବାନ ହୁଅନ୍ତୁ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଏମଆଇଏସ କୋଅର୍ଡିନେଟର ଦେବେଶ ମିଶ୍ର ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ନିଆଯାଇଥିବା ନୂଆ ପଦକ୍ଷେପ ସମ୍ପର୍କରେ ପାୱାର ପଏଣ୍ଟ ମାଧ୍ୟମରେ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୧୪ଗୋଟି ବ୍ଲକର ବ୍ଲକ ଶିକ୍ଷା ଅଧିକାରୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ, ଜିଲ୍ଲାର ସମସ୍ତ ସିଆରସିସି, ବିଆରସିସି, ଏସଆଇଓଏସ ଦାୟିତ୍ୱରେ ଥିବା ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ରହି ନିଜ ନିଜ ମତ ଉପସ୍ଥାପନ କରିଥିଲେ ।