ଏସ୍‌ଏସ୍‌ବି ଅଧ୍ୟାପକ ଅଧ୍ୟାପିକାଙ୍କ ପ୍ରତିବାଦ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ପ୍ରବଣନ ମଣ୍ଡଳୀ, ଓଡ଼ିଶା (ଏସ୍.ଏସ୍.ବି) ଦ୍ୱାରା ନିଯୁକ୍ତ ୪୮୮ ବର୍ଗର ମହାବିଦ୍ୟାଳୟ ସ୍ତରୀୟ ଅଧ୍ୟାପକ ଏବଂ ଅଧ୍ୟାପିକା ମାନେ ଓଡ଼ିଶା ଶିକ୍ଷା ସେବା ଅଧିନିୟମ ୧୯୬୯ ଏବଂ ୧୯୭୪ ହିସାବରେ ବିଭିନ୍ନ ମହାବିଦ୍ୟାଳୟ ମାନଙ୍କରେ ନିଯୁକ୍ତି ପାଇଥିଲେ ମଧ୍ୟ ଏହି ନିୟମ ଅନୁଯାୟୀ ସେମାନଙ୍କ ପଦବୀ ତଥା ଦରମା ପ୍ରଦାନ କରାଯାଉନଥିବା, ଉଲ୍ଲେକ୍ଷିତ ନିୟମାନୁସାରେ ନିଯୁକ୍ତିର ୮ ବର୍ଷ ପୁରଣରେ ପ୍ରଥମ ପଦୋନ୍ନତି ବ୍ୟବସ୍ଥା ଥିଲେ ମଧ୍ୟ ୨୦୧୬ ମସିହାରେ ନିଯୁକ୍ତ ଅଧ୍ୟାପକ ଅଧ୍ୟାପିକାଙ୍କୁ ଏ ଯାବତ୍ ପଦୋନ୍ନତି ନ ଦିଆଯିବା, ସରକାରୀ ମହାବିଦ୍ୟାଳୟରେ କାର୍ଯ୍ୟରତ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ଭଳି ସମାନ ପ୍ରକାରର କାର୍ଯ୍ୟ କରୁଥିଲେ ମଧ୍ୟ ସରକାରୀ ମାନ୍ୟତା, ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ନମିଳିବା, ଘରଭଡ଼ା ଏବଂ ଅନ୍ୟାନ୍ୟ ସୁବିଧା ସୂଯୋଗ ନ ପାଇବା ପ୍ରଭୃତି କାରଣରୁ ଏହି ଅଧ୍ୟାପକ ଅଧ୍ୟାପିକାମାନେ ଦୀର୍ଘଦିନ ଧରି ସରକାରଙ୍କ ନିକଟରେ ଶାନ୍ତିପୂର୍ଣ୍ଣ ଭାବେ ଓଡ଼ିଶା ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ ଲେକଚର୍ସ୍ ଆସୋସିଏସନ୍ (ଓସଲା) ନେତୃତ୍ୱରେ ଦାବିମାନ ଉପସ୍ଥାପନ କରିଆସୁଛନ୍ତି । ଓସଲାର କେନ୍ଦ୍ରୀୟ କାର୍ଯ୍ୟ କାର୍ଯ୍ୟକାରିଣୀ ଦ୍ୱାରା ଡ଼ିସେମ୍ବର ୬, ୨୦୨୫ରେ ଲୋୟର୍ ପି.ଏମ୍.ଜି. ଭୁବନେଶ୍ୱର ଠାରେ ଏକ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଆୟୋଜନ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥ ତଥା ଏ.ଏନ୍.ଏମ୍ / ଜି.ଏନ୍.ଏମ୍ ଭଳି ସରକାରୀ ପରୀକ୍ଷାରେ ନିରୀକ୍ଷକ ଦାୟିତ୍ୱରେ ଥିବା କାରଣରୁ ଅନେକ ଅଧ୍ୟାପକ ଅଧ୍ୟାପିକା ଭୁବନେଶ୍ୱରର ବିକ୍ଷୋଭ ଧାରଣାରେ ଯୋଗଦେଇ ପାରି ନଥିବା କାରଣରୁ ମହାବିଦ୍ୟାଳୟ ସ୍ତରରେ କଳା ମୁଖା ପରିଧାନ ପୂର୍ବକ ଓସଲାର ବିକ୍ଷୋଭକୁ ସମର୍ଥନ କରି ତୃଟିପୂର୍ଣ୍ଣ ନିୟମ ବିରୁଦ୍ଧରେ ପ୍ରତିବାଦ ପ୍ରଦର୍ଶନ କରିଥିଲେ । ଏହି ବିରୋଧ ପ୍ରଦର୍ଶନୀରେ ରାଉରକେଲାର ମ୍ୟୁନିସିପାଲ ମହାବିଦ୍ୟାଳୟ, ବେଦବ୍ୟାସ ମହାବିଦ୍ୟାଳୟ, ପ୍ରିୟଦର୍ଶିନୀ ମହିଳା ମହାବିଦ୍ୟାଳୟ ପ୍ରମୁଖ ଶିକ୍ଷାନୁଷ୍ଠାନ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ୫୦୦ରୁ ଅଧିକ ସଂଖ୍ୟକ ଏହି ବର୍ଗର ମହାବିଦ୍ୟାଳୟ ଥିବାବେଳେ ପ୍ରାୟ ୪୦୦୦ ସଂଖ୍ୟକ ଅଧ୍ୟାପକ ଅଧ୍ୟାପିକା କାର୍ଯ୍ୟରତ । ଏହି ଦିନ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟମାନଙ୍କରେ ଏସ୍. ଏସ୍. ବି ଅଧ୍ୟାପକ ଅଧ୍ୟାପିକା ସାମୁହିକ ଛୁଟି ନେଇ କଳାମୁଖା ପିନ୍ଧି ପ୍ରତିବାଦ ପ୍ରଦର୍ଶନ କରିଥିଲେ ।

Leave A Reply

Your email address will not be published.