ଆର୍‌ଏସ୍‌ପି କର୍ତ୍ତୃପକ୍ଷ ଓଡ଼ିଆ ତଥା ଓଡିଶା ବିରୋଧୀ ଲାଇସେନ୍ସ କ୍ୱାର୍ଟର ସରକୁଲାର ପ୍ରତ୍ୟାହାର କରନ୍ତୁ : ଉତ୍କଳ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନା ନିର୍ମାଣ କରିବା ପରିପ୍ରେକ୍ଷୀରେ ଓଡିଶା ସରକାର ପ୍ରାୟ ୨୦ ହଜାର ଏକର ଜମି ଓ ମନ୍ଦିରା ଡ୍ୟାମ ନିର୍ମାଣ ପାଇଁ ୧୨ ହଜାର ଏକର ଜମି ଯୋଗାଇ ଦେଇଥିଲେ । କିନ୍ତୁ ରାଉରକେଲା ଇସ୍ପାତ କାରଖାନା ନିର୍ମାଣ ପାଇଁ ଅଦ୍ୟାବଧି ୫ ହଜାର ଏକର ଜମି, ସହରାଞ୍ଚଳ ପାଇଁ ୬ ହଜାର ଏକର ଜମି ବ୍ୟବହୃତ ହେଉଥିବା ବେଳେ ଅବଶିଷ୍ଟ ଜମି ବଳକା ରହିଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ଆବଶ୍ୟକତାକୁ ଲକ୍ଷ୍ୟ କରି ପାଖାପାଖି ୪ହଜାର ୫ଶହ ଏକର ଜମି ଆର୍‌ଏସ୍‌ପି କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଫେରାଇ ଦେଇ ସାରିଛନ୍ତି । ଅପର ପକ୍ଷରେ ପ୍ରାୟ ୪ଶହ ଏକର ଜମି ଜବରଦଖଲକାରୀଙ୍କ କବଳରେ ରହିଛି । ଆର୍‌ଏସ୍‌ପିର କର୍ମଚାରୀ ଏବଂ ଅଧିକାରୀଙ୍କ ପାଇଁ ୨୪ ହଜାର କ୍ୱାର୍ଟର ନିର୍ମାଣ କରାଯାଇଥିଲା ବେଳେ ଦିନକୁ ଦିନ ଉତ୍ପାଦନ ଢେର ବୃଦ୍ଧି ହୋଇଥିଲେ ମଧ୍ୟ କର୍ମଚାରୀ ଏବଂ ଅଧିକାରୀ ଙ୍କ ସଂଖ୍ୟା ହ୍ରାସ ଯୋଗୁଁ ଏବେ ମାତ୍ର ୧୦ହଜାର କ୍ବାର୍ଟର ର ଆଵଶ୍ୟକତା ରହିଛି। ବଳକା ୧୪ହଜାର କ୍ବାଟର ରୁ ୫ହଜାର କ୍ୱାର୍ଟରକୁ ଲାଇସେନ୍ସ ଜରିଆରେ ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଆର୍‌ଏସ୍‌ପିର ଭୂତପୂର୍ବ କର୍ମଚାରୀ ଏବଂ ଅଧିକାରୀ ମାନଙ୍କୁ ଆବଣ୍ଟନ କରିସାରିଛନ୍ତି ଏବଂ ଏହି ପ୍ରକ୍ରିୟା ମଧ୍ୟ ଅଦ୍ୟାବଧି ଜାରି ରହିଛି । ଉପରୋକ୍ତ ଆବଣ୍ଟନ ପ୍ରକ୍ରିୟାକୁ ଅନ୍ୟାୟ ଭାବରେ ବିଡିଂ ଜରିଆରେ କର୍ତ୍ତୃପକ୍ଷ ଜୁଆ ଖେଳ ପରି ଆବଣ୍ଟନ କରୁଥିଲେ । କର୍ମଚାରୀ ଓ ଅଧିକାରୀମାନେ ଏହି ଅନ୍ୟାୟକୁ ଆବଶ୍ୟକତା ପରିପ୍ରେକ୍ଷୀରେ ମଥାପାତି ସହିବା ସହିତ ବିଡିଂ ପ୍ରକ୍ରିୟାରେ ଭାଗ ନେବାକୁ ବାଧ୍ୟ ହେଉଥିଲେ । କିନ୍ତୁ ଏକତରଫା ଭାବେ ଅକ୍ଟୋବର ୩୧ ତାରିଖ ଦିନ ଜାରି କରିଥିବା ସରକୁଲାରକୁ ପୁଣି ବଦଳାଇ ଡିସେମ୍ବର ୩ ତାରିଖ ଦିନ ପୁରୁଣା ସର୍ତ୍ତ ବଦଳରେ ନୂଆ ସର୍ତ୍ତ ଜାରି କରି ଏହି ଲାଇସେନ୍ସ ପ୍ରକ୍ରିୟାକୁ ସେଲର ସମସ୍ତ ୟୁନିଟ ଅର୍ଥାତ ‘ସେଲ’ର ସମସ୍ତ କାରଖାନା ସମେତ ଆର୍‌ଏମ୍‌ଡି ଏବଂ କୋଲିଆରୀ ତଥା ସମସ୍ତ ସେଲ କାର୍ଯ୍ୟାଳୟର କର୍ମଚାରୀ ଓ ଅଧିକାରୀ ମାନଙ୍କୁ ଏହି ବିଡିଂରେ ଭାଗ ନେବା ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି । ଏଠାରେ ସ୍ୱତଃ ପ୍ରବୃତ୍ତ ପ୍ରଶ୍ନ ଉଠେ ଏହିଭଳି ସୁଯୋଗ ସୃଷ୍ଟି କରିବାର ଅସଲ ଉଦ୍ଦେଶ୍ୟ ହେଉଛି ଅଣଓଡ଼ିଆ ତଥା ରାଜ୍ୟ ବାହାରର ଲୋକ ମାନଙ୍କୁ ରାଉରକେଲାରେ ସୁଲଭ ମୂଲ୍ୟରେ ଘର ଯୋଗାଇ ଦେବାର ମନ୍ଦ ଉଦ୍ଦେଶ୍ୟ ବୋଲି ସ୍ପଷ୍ଟ ବାରି ହେଉଛି । ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକଙ୍କର ଓଡ଼ିଆ ବିରୋଧୀ ଓ ଓଡିଶା ବିରୋଧୀ ମନୋଭାବ ମଧ୍ୟ ସ୍ପଷ୍ଟ ବାରି ହେଉଛି । ଏ ପ୍ରକାର ଓଡ଼ିଆ ବିରୋଧୀ ଓ ଓଡିଶା ବିରୋଧୀ ମନୋଭାବରୁ କ୍ଷାନ୍ତ ହୋଇ ଏ ସରକୁଲାରକୁ ତୁରନ୍ତ ପ୍ରତ୍ୟାହାର କରି ନେବାକୁ ଉତ୍କଳ ସମ୍ମିଳନୀ ପକ୍ଷରୁ ଦୃଢ଼ ଦାବୀ କରାଯାଇଛି । କୌଣସି ପରିସ୍ଥିତିରେ ବାହାର ରାଜ୍ୟ ର ଲୋକମାନଙ୍କୁ ଲାଇସେନ୍ସ କ୍ୱାର୍ଟର ପ୍ରଦାନ କଲେ ସେମାନଙ୍କୁ ରାଉରକେଲାରେ ରହିବାକୁ ଉତ୍କଳ ସମ୍ମିଳନୀ ଦେବ ନାହିଁ ବୋଲି ଉତ୍କଳ ସମ୍ମିଳନୀ ପକ୍ଷରୁ ଚେତାବନୀ ଦିଆଯାଇଛି । ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଇସ୍ପାତ ଉତ୍ପାଦନ କରିବା ବଦଳରେ ଲାଇସେନ୍ସ କ୍ୱାର୍ଟର ନାମରେ କୋଟି କୋଟି ଟଙ୍କାର ରାଜସ୍ୱ ଆଦାୟ ବା ଜନଜାତି ସମୁଦାୟ ସୁନ୍ଦରଗଡ଼ ଜିଲ୍ଲା ଜନଜାତିଙ୍କ ମାଟିରେ “ଜମି-ବେପାର” କରିବାକୁ ତୀବ୍ର ବିରୋଧ କରାଯିବ । ଅନ୍ୟପକ୍ଷରେ ଏହିଭଳି ଓଡ଼ିଆ ତଥା ଓଡିଶା ବିରୋଧୀ ନିଷ୍ପତ୍ତି ନେଉଥିବା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କୁ ରାଉରକେଲାରୁ ପ୍ରତ୍ୟାହାର କରିନେବାକୁ ମଧ୍ୟ ଉତ୍କଳ ସମ୍ମିଳନୀ ପକ୍ଷରୁ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଇସ୍ପାତ ମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, କେନ୍ଦ୍ର ଆଦିବାସୀ କଲ୍ୟାଣମନ୍ତ୍ରୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ରାଜସ୍ୱମନ୍ତ୍ରୀ, ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ବିଧାୟକଙ୍କ ସମେତ ସୁନ୍ଦରଗଢ଼ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି । ଏହି ନିଷ୍ପତି ପ୍ରତ୍ୟାହାର ନ କଲେ ରାଉକେଲାରେ ଯେଉଁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ଆର୍‌ଏସ୍‌ପିର ଭାରପ୍ରାପ୍ତ ନିର୍ଦ୍ଦେଶକ ଦାୟୀ ରହିବେ ବୋଲି ଉତ୍କଳ ସମ୍ମିଳନୀ ପକ୍ଷରୁ କୁହାଯାଇଛି । ଏହି ଭଳି ନିଷ୍ପତ୍ତିରୁ ଓହରି ଯିବା ପାଇଁ ରାଉରକେଲାର ସମସ୍ତ ରାଜନୈତିକ ଦଳ ସମେତ ସମସ୍ତ ଶ୍ରମିକ ସଂଗଠନ ଦାବି କରିଥିବା ବେଳେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଏହି ବ୍ୟାପାରରେ ହସ୍ତକ୍ଷେପ କରିବା ପାଇଁ ନିବେଦନ କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିହାର ଓ ଝାଡ଼ଖଣ୍ଡର ବଛାବଛା ଠିକାଦାରଙ୍କୁ ଆର୍‌ଏସ୍‌ପି କାମରେ ନିୟୋଜିତ ତଥା ଉଦ୍ଦେଶ୍ୟମୂଳକ ଭାବେ ଓଡ଼ିଆ ଅଧିକାରୀ ମାନଙ୍କୁ ଅନ୍ୟତ୍ର ବଦଳି କରାଯିବାକୁ ନେଇ ରାଉରକେଲାରେ ଅଶାନ୍ତିର ବାତାବରଣ ଜାରି ରହିଥିବା ବେଳେ ପୁଣି ଓଡ଼ିଆ ତଥା ଓଡିଶା ବିରୋଧୀ କାରନାମା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ସାବ୍ୟସ୍ତ ହୋଇଛି । ଅନ୍ୟପକ୍ଷରେ ଲାଇସେନ୍ସ କ୍ୱାର୍ଟର ପ୍ରଦାନ କ୍ଷେତ୍ରରେ ପୂର୍ବ ପରି ଆର୍‌ଏସ୍‌ପିର ଭୂତପୂର୍ବ କର୍ମଚାରୀ ଓ ଅଧିକାରୀ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଏବଂ ଜନଜାତି ସମୁଦାୟ ସୁନ୍ଦରଗଢ଼ ଜିଲ୍ଲା ତଥା ଓଡ଼ିଶାର ସକଳ ଶ୍ରେଣୀର ଜନସାଧାରଣଙ୍କୁ ଏଥିରେ ସାମିଲ କରିବାକୁ ମଧ୍ୟ ଦୃଢ଼ ଦାବୀ କରାଯାଇଛି । ଓଡ଼ିଆ ଅସ୍ମିତାକୁ କୌଣସି ପରିସ୍ଥିତିରେ ନଷ୍ଟ କରିବାକୁ ଓଡ଼ିଶାର ଉପାନ୍ତ ଅଞ୍ଚଳ ରାଉରକେଲାରେ ଦିଆଯିବ ନାହିଁ ବୋଲି ଉତ୍କଳ ସମ୍ମିଳନୀ ପକ୍ଷରୁ ଚେତାଇ ଦିଆଯାଇଛି ।

Leave A Reply

Your email address will not be published.