ରାଉରକେଲା ମହାନଗର ନିଗମ ତରଫରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

  • ରାଉରକେଲା ସହରର ବିକାଶ ପାଇଁ ଗଣମାଧ୍ୟମ ଜରିଆରେ ସମସ୍ତ ଜନସାଧାରଣଙ୍କ ସହଯୋଗ କାମନା କଲେ କମିଶନର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମହାନଗର ନିଗମ ଅଞ୍ଚଳରେ ରହିଥିବା ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ତଥା ନୂତନ ପ୍ରକଳ୍ପ ସମ୍ବନ୍ଧରେ ସବିଶେଷ ତଥ୍ୟ ଦେବା ପାଇଁ ମହାନଗର ନିଗମ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ରାଉରକେଲା ମହାନଗର ନିଗମ ଅଞ୍ଚଳରେ ରହିଥିବା ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା କରାଯିବା ସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପମାନ କାର୍ଯ୍ୟକାରୀ କରାଯାଇ ରାଉରକେଲାର ବିକାଶକୁ କିଭଳି ନୂତନ ଗତି ଦିଆଯାଇ ପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା । ସହରରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ଉପୋଯୋଗ କରି ସବୁଜ ଶକ୍ତି ଉତ୍ପାଦନ ପାଇଁ ରାଉରକେଲା ମହାନଗର ନିଗମ ତରଫରୁ ସେକ୍ଟର ୧୪ ଠାରେ ବାୟୋ-ମିଥାନେସନ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଉଛି । ଏହା ଖୁବ୍ କାର୍ଯ୍ୟକ୍ଷମ ହେବ ବୋଲି କମିଶନର ସୂଚନା ଦେଇଥିଲେ । ଏଥିସହ ବାଲୁଘାଟ ଠାରେ ବାୟୋ-ମାସ ପେଲେଟ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇ ସେଥିରୁ ଜାଳେଣୀ ଉତ୍ପାଦନ କରାଯାଉଥିବା ସେ କହିଥିଲେ । ସେଠାରେ ନଡ଼ିଆ ଖୋଳପା ଓ ପାର୍କ ଗୁଡିକରୁ ବାହାରୁଥିବା ଶୁଖିଲା ବର୍ଜ୍ୟବସ୍ତୁରୁ ପେଲେଟ୍ ପ୍ରସ୍ତୁତ କରାଯାଇ ପ୍ଲାଣ୍ଟକୁ ଦିଆଯିବ ବୋଲି ସେ କହିଥିଲେ । ଏହା ସହ ଟିସ୍କୋ ପୋଖରୀର ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ ଖୁବ୍ ଶୀଘ୍ର କରାଯିବାକୁ ଥିବା ବେଳେ, ଟିସ୍କୋ ନିକଟରେ ହିଁ ଶୁକ୍ରବାର ହାଟରେ ବସୁଥିବା ବ୍ୟବସାୟୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପିଣ୍ଡିର ନିର୍ମାଣ କରାଯିବ ବୋଲି କମିଶନର କହିଥିଲେ । ରାଉରକେଲା ସହରର ଡ୍ରେନେଜ୍ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ତଥା ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ସକାଶେ ଖୁବ୍ ଶୀଘ୍ର ଷ୍ଟର୍ମ ୱାଟର ଡ୍ରେନେଜ୍ ସିଷ୍ଟମ୍ ପ୍ରକଳ୍ପ ସର୍ଭେ ଚାଲିଥିବା ବେଳେ ଦୟାନନ୍ଦ ନଗର ଓ ପିକେ ଦାସ କଲୋନୀରେ ଡ୍ରେନ୍ କାର୍ଯ୍ୟ ଆରମ୍ଭ ହୋଇଥିବା ସେ ସୂଚନା ଦେଇଥିଲେ । ଏହା ସହ ଆର୍‌ଏମ୍‌ସି ତରଫରୁ ବିକଶିତ ପାଞ୍ଚଟି ପ୍ରାଥମିକ ବିଦ୍ୟାଳୟର ଉଦଘାଟନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା କରାଯାଇଥିବା ବେଳେ ଆଉ ୬ଟି ବିଦ୍ୟାଳୟର ପୁନଃରୁଦ୍ଧାର କାର୍ଯ୍ୟ ହାତକୁ ନିଆଯାଇଥିବା ସେ ସୂଚନା ଦେଇଥିଲେ । ମହାନ୍ ସ୍ଵାଧୀନତା ସଂଗ୍ରାମୀ ବୀର ବିର୍ସା ମୁଣ୍ଡାଙ୍କ ନାମରେ ଏକ ପାର୍କ ପ୍ରତିଷ୍ଠା କରାଯାଉଥିବା ସେ ସୂଚନା ଦେଇଥିଲେ । ସହରରେ ଜବରଦଖଲ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ଏହାର ସମାଧାନ ପାଇଁ ରାଉରକେଲା ମହାନଗର ନିଗମ ତରଫରୁ ଏକ ସ୍ଵତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଉଥିବା ସେ କହିବା ସହ ରାଉରକେଲାବାସୀଙ୍କୁ ଏଥିରେ ସହଯୋଗ କରିବା ପାଇଁ ଆହ୍ଵାନ ଦେଇଥିଲେ । ଏହା ସହ ବୁଲା ଗାଈଗୋରୁଙ୍କ ଲାଗି କାଞ୍ଜିଆହୁଦା ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ କରାଯିବ ବୋଲି ସେ ସୂଚନା ଦେବା ସହ ମୃତପଶୁଙ୍କ ମୃତଦେହ ଅତ୍ୟାଧୁନିକ ମେସିନ୍ ସାହାଯ୍ୟରେ ଦାହ କରିବା ପାଇଁ ଆରଏମସି ତରଫରୁ ପଦକ୍ଷେପ ନିଆଯାଇଥିବା ସେ ସୂଚନା ଦେଇଥିଲେ ।

Leave A Reply

Your email address will not be published.