ଟାଟା ଷ୍ଟିଲ ସ୍ପେସିଆଲ ଇକୋନୋମିକ ଜୋନ୍ ପକ୍ଷରୁ ଅର୍ନ୍ତଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଟାଟା ଷ୍ଟିଲ ସ୍ପେସିଆଲ ଇକୋନୋମିକ ଜୋନ୍ ପକ୍ଷରୁ ଗୋପାଳପୁର ସ୍ଥିତ ଜେ.ଏନ୍. ଟାଟା ବୈଷୟିକ ଶିକ୍ଷା କେନ୍ଦ୍ରଠାରେ ଅର୍ନ୍ତଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏଥିରେ କମ୍ପାନୀ ଆଖପାଖ ଗ୍ରାମ ଗୁଡ଼ିକରୁ ୪୨ଜଣ ଭିନ୍ନକ୍ଷମ, ସେମାନଙ୍କ ପିତାମାତା ଏବଂ ପଞ୍ଚାୟତ ସ୍ତରୀୟ ଜନପ୍ରତିନିଧି ଯୋଗଦେଇଥିଲେ । ଭିନ୍ନକ୍ଷମ ମାନଙ୍କ ପାଇଁ ଅନ୍ତର୍ଭୁକ୍ତିକରଣ ବିକାଶ ଓ ସମାନ ସୁଯୋଗ ସୁନିଶ୍ଚିତ ନେଇ ସଚେତନତା ସୃଷ୍ଟି ଓ ସ୍ଥାନୀୟ ଅଂଶୀଦାରଙ୍କ ସହ ସହଯୋଗିତା ସୁଦୃଢ଼ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ଭିନ୍ନକ୍ଷମମାନଙ୍କ ପାଇଁ ରହିଥିବା ବିଭିନ୍ନ ସରକାରୀ ଯୋଜନା ନେଇ ଏକ ଆଲୋଚନା ଚକ୍ର ଆୟୋଜନ ହେବା ସହ ଏକ ପ୍ରେରଣାଦାୟୀ ଚଳଚ୍ଚିତ୍ର ମଧ୍ୟ ପ୍ରଦର୍ଶିତ ହୋଇଥିଲା । ହିତାଧିକାରୀମାନେ କିପରି ସୁବିଧାରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ ଜରିଆରେ ସରକାରୀ ଯୋଜନା ଗୁଡ଼ିକର ଲାଭ ଉଠାଇ ପାରିବେ ସେ ନେଇ କାର୍ଯ୍ୟକ୍ରମରେ ଉପସ୍ଥିତ ଅଧିକାରୀମାନେ ସୂଚନା ପ୍ରଦାନ କରିଥଲେ । ଏହା ସହ ଯୋଜନା ଗୁଡ଼ିକର ମହତ୍ତ୍ଵ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା । ଏହି ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଟାଟା ଷ୍ଟିଲ ସ୍ପେସିଆଲ ଇକୋନୋମିକ ଜୋନ୍‌ର ପରିଚାଳନା ନିର୍ଦ୍ଦେଶକ ମଣିକାନ୍ତ ନାଏକ ଅନ୍ତର୍ଭୁକ୍ତିକରଣ, ଅଭିଗମ୍ୟତା ବିଷୟରେ ମତ ପ୍ରକାଶ କରିବା ସହ ପରିବାର ଭିତରେ ଓ ସମାଜରେ ଭିନ୍ନକ୍ଷମମାନଙ୍କ ପାଇଁ ସମ୍ମାନ ସୁନିଶ୍ଚିତ କରିବା ନେଇ ଗୁରୁତ୍ୱାରୋପ କରିଥିଲେ । ଅନ୍ୟାନ୍ୟ ଅଧିକାରୀଙ୍କ ସହ କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ ଫାଉଣ୍ଡେସନ ଗୋପାଳପୁର ୟୁନିଟ୍ ମୁଖ୍ୟ ଜୟନ୍ତ କୁମାର ତ୍ରିପାଠୀ ଯୋଗଦେଇ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଭିନ୍ନକ୍ଷମଙ୍କ ପାଇଁ ଥିବା ସୁବିଧା ସୁଯୋଗ, ସରକାରୀ ବ୍ୟବସ୍ଥା ତଥା ଏସବୁର ସୁଗମ ଉପଲବ୍ଧି ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନର ନିରନ୍ତର ସହଯୋଗ ନେଇ ସେ ତଥ୍ୟ ପ୍ରଦାନ କରିଥିଲେ ।

Leave A Reply

Your email address will not be published.