କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ହତ୍ୟା ଧମକ ଘଟଣା : ମହମ୍ମଦ ଇମ୍ରାନକୁ କରାଗଲା କୋର୍ଟ ଚାଲାଣ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ବୁଧବାର ବିଳମ୍ବିତ ରାତିରେ ବେଆଇନ ଦାଦନ ଚାଲାଣ ହେଉଥିବା ଘଟଣାରେ ସ୍ଥାନୀୟ ବିଜେପି ବିଧାୟକଲକ୍ଷ୍ମଣ ବାଗ ଓ ବିଜେଡି କାଉନସିଲର ମୁହାଁମୁହିଁ ହେଇଥିବା ଦେଖିବାକୁ ମିଳିଥିଲା । ଘଟଣାକୁ ନେଇ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ତାଙ୍କୁ ହତ୍ୟା ଧମକ ଦିଆଯାଇଥିବା ନେଇ ଜିଆର୍‌ପି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ବୁଧବାର ରାତିରେ କଣ୍ଟାବାଞ୍ଜି ବିଧାୟକ ଶ୍ରୀ ବାଗ ରେଳ ଷ୍ଟେସନକୁ ଯାଇଥିବା ବେଳେ ହାଇଦ୍ରାବାଦ ଓ ବିଜୟୱାଡା ଅଭିମୁଖେ ୫୦ରୁ ଅଧିକ ଶ୍ରମିକ ବେଆଇନ ଭାବରେ ଚାଲାଣ ହେଉଥିବା ଜାଣିବାକୁ ପାଇ ପୁଲିସକୁ ସୂଚନା ଦେଇଥିଲେ । ଅପରପକ୍ଷରେ କଣ୍ଟାବାଞ୍ଜି ସହରର ବିଜେଡି କାଉନସିଲର ମହମ୍ମଦ ଇମ୍ରାନ ଖାନ୍ ତାଙ୍କ ଭାଇଙ୍କୁ ରେଳ ଷ୍ଟେସନରେ ଛାଡ଼ିବାକୁ ଆସିଥିଲେ, ତେବେ ସେଠାରେ ବିଧାୟକଙ୍କ ପାଟି ଶୁଣି କ’ଣ ହେଲା ବୋଲି ପାଖକୁ ଦେଖିବାକୁ ଗଲାପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ତେବେ ଏନେଇ ବିଧାୟକ ଶ୍ରୀ ବାଗଙ୍କ ସହ ପାଟିତୁଣ୍ଡ କରିବା ସହ ତାଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି । ବିଧାୟକଙ୍କ ଏତଲାକୁ ଭିତ୍ତିକରି ଟିଟିଲାଗଡ ଜିଆରପି ଥାନାରେ ମହମ୍ମଦ ଇମ୍ରାନ ଖାନ ଓ ତାଙ୍କ ସହଯୋଗୀ ବଣ୍ଟି ବେହେରାଙ୍କ ନାମରେ କେସ ନଂ ୧୨୬/୨୫ ରୁଜୁ ହୋଇଥିବା ବେଳେ ମହମ୍ମଦ ଇମରାନ ଖାଁଙ୍କୁ ଗିରଫ କରିଛି ଟିଟିଲାଗଡ଼ ଜିଆରପି । ଏନେଇ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ବିନୟ କୁମାର ଭୋଇ ସୂଚନା ଦେଇଥିବା ବେଳେ ଅପରପକ୍ଷରେ ବିଧାୟକଙ୍କ ନାମରେ ମଧ୍ୟ ପାଲଟା ଅଭିଯୋଗ ହୋଇଥିବା ବେଳେ ଏଯାବତ୍ କୌଣସି ମାମଲା ରୁଜୁ ହୋଇ ନଥିବା ସୂଚନା ମିଳିଛି । ତେବେ କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଲାଗିଥିବା ସିସିଟିଭି ଯାଞ୍ଚ କଲାପରେ କିଏ କଣ କରିଛି ସବୁ ତଥ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି । ତେବେ ଆଜି ୧୧.୩୦ ସମୟରେ ଟିଟିଲାଗଡ଼ ଜିଆରପି ପୋଲିସ ମହମ୍ମଦ ଇମ୍ରାନଙ୍କୁ କଣ୍ଟାବାଞ୍ଜି କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.