ଗଜ ରକ୍ଷା ଜନ ସୁରକ୍ଷା ନେଇ ପଥପ୍ରାନ୍ତ ନାଟକ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବନଖଣ୍ଡ ପକ୍ଷରୁ ଗଜ ରକ୍ଷା ଜନ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ ବୀରମିତ୍ରପୁର ରେଞ୍ଜ ଓ ବିଶ୍ରାରେ ଆଜି ଅନୁଷ୍ଠିତ ହୋଇଯାଇଛି । ରାଉରକେଲା ଡ଼ିଏଫଓ ଯଶୋବନ୍ତ ସେଠିଙ୍କ ନିର୍ଦେଶ କ୍ରମେ ହାତିବାରୀ ହାଟ (ବଜାର) ଓ ନୂଆଗାଁ ହାଟ ଠାରେ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା । ବୀରମିତ୍ରପୁର ରେଞ୍ଜର ସୁଦେଷ୍ଣା ଶୁଭଦର୍ଶିନୀ ପ୍ରଧାନ, ହାତିବାରୀ ଫରେଷ୍ଟର ସୁଶୀଲ କେରକେଟା, ଫରେଷ୍ଟ ଗାର୍ଡ ସବିତା ରଣା, ସ୍କ୍ୱାର୍ଡ ଆକାଶ ଶେଖର ଦେଓ, ଗାଜସାଥି ପରମେଶ୍ୱର, ସମର୍‌ଜିତ ମିଞ୍ଜ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ବିଶ୍ରା ରେଞ୍ଜର ଭାଲୁଲତା ହାଟ ଓ ଦରେଇକେଲା ଛକ ଠାରେ ଅନୁରୂପ ପଥ ପ୍ରାନ୍ତ ନାଟକ ପ୍ରଦର୍ଶନ କରାଯାଇଥିଲା । ବିଶ୍ରା ଫରେଷ୍ଟର ସ୍ମୃତି ମହାରଣା, ଫରେଷ୍ଟ ଗାର୍ଡ ଓ ସ୍କାର୍ଡ, ଗଜସାଥି ପ୍ରମୁଖ ଉପସ୍ଥିତ ଥିଲେ । ୱା.ଇ.ଏମ.ଏଫ.ଆଇର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସଙ୍କ ରଚିତ ଓ ତତ୍ୱାବଧାନରେ ଅନୁଷ୍ଠିତ ପଥପ୍ରାନ୍ତ ନାଟକ ମାଧମରେ ସଚେତନତାର ବାତ୍‌ର୍ତ୍ତା ପ୍ରଦାନ କରିଥିଲେ କଳାକାର ବୃନ୍ଦ । ହାତୀ ଦାଉରୁ ଧନ ଜୀବନ ସୁରକ୍ଷା ପାଇଁ ସମସ୍ତେ ସଚେତନ ହେବାକୁ ଆହ୍ୱାନ କରାଯାଇଥିଲା । ଅନ୍ଧାରୁଆ ଓ ଭୋର ସମୟରେ ଶୌଚ ପାଇଁ ପଦାକୁ ଗଲେ ସତର୍କତା ଅବଲମ୍ବନ କରିବା, ହାତୀ ଜନବସତି ମୁହାଁ ହେଲେ ତା ସମ୍ମୁଖକୁ ନଯିବା, ତାକୁ ଆକ୍ରମଣ ନକରିବା, ହାତୀକୁ ବିଚଳିତ ନକରି ବନ ବିଭାଗକୁ ସୂଚନା ଦେବା, ହାତୀ ଯୋଗୁଁ ଧନ ଜୀବନ କ୍ଷତି ହେଲେ ଏଥି ପାଇଁ ରହିଥିବା କ୍ଷତିପୂରଣ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା । ଚାଷୀ ଓ ଗ୍ରାମବାସୀମାନଙ୍କୁ ବ୍ୟକ୍ତିଗତ କିମ୍ବା ଗୋଷ୍ଠୀଗତ ଭାବେ ସୌର ବାଡ଼ ନିର୍ମାଣ ପାଇଁ ରହିଥିବା ପ୍ରୋତ୍ସାହନ ରାଶି ସମ୍ପର୍କରେ ମଧ୍ୟ ଅବଗତ କରାଯାଇଥିଲା । ବିଭିନ୍ନ କାର୍ଯ୍ୟକ୍ରମ ସ୍ଥଳରେ ବହୁ ସଂଖ୍ୟାରେ ଲୋକେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.