ଜିଲ୍ଲା ସ୍ତରୀୟ ସାଂସ୍କୃତିକ ଓ କ୍ରୀଡା ପ୍ରତିଯୋଗିତା

  • “ଦିବ୍ୟାଙ୍ଗ ଶିଶୁ ମାନେ ଆମ ସମାଜର ଗୁରୁତ୍ୱ ପୂର୍ଣ୍ଣ ଅଙ୍ଗ”

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମଗ୍ର ଶିକ୍ଷା ବଲାଙ୍ଗିର ତରଫରୁ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସକାରାତ୍ମକ ପରିବେଶ ସୃଷ୍ଟି ନିମନ୍ତେ ଜିଲ୍ଲା ସ୍ତରୀୟ ସାଂସ୍କୃତିକ ଓ କ୍ରୀଡା ପ୍ରତିଯୋଗିତା ସମାରୋହ-୨୦୨୫ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ତଥା ଏହି କାର୍ଯ୍ୟକ୍ରମର ନୋଡାଲ ଅଫିସର ସେବାଶ୍ରୀ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ସଦର ବ୍ଳକ ଶିକ୍ଷା ଅଧିକାରୀ ନୀଳମଣି ପଟେଲ, ବିଇଡି କଲେଜର ଆସିଷ୍ଟାଣ୍ଟ ପ୍ରଫେସର ଡ.ସୁଧାଂଶୁବାଲା ତ୍ରିପାଠୀ, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ର, ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ପ୍ରଶାନ୍ତ ସରାଫ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ନାଗ ନିଜ ବକ୍ତବ୍ୟରେ ଦିବ୍ୟାଙ୍ଗ ଶିଶୁମାନେ ଆମ ସମାଜର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ସମାଜର ସକ୍ରିୟ ଓ ସମାନ ସଦସ୍ୟ ଭାବେ ସେମାନଙ୍କୁ ଗଢି ତୋଳିବା ପାଇଁ ଶିକ୍ଷା ସହ ସାଂସ୍କୃତିକ ଓ କ୍ରୀଡା ପ୍ରତିଯୋଗିତାର ଭୂମିକା ଅତ୍ୟନ୍ତ ଗ୍ରୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଏହି ଅବସରରେ ଆୟୋଜିତ ଜୁନିଅର ବିଭାଗର ସଂଗୀତ ପ୍ରତିଯୋଗିତାରେ ପ୍ରଥମ ସମୀର ଷାଣ୍ଢ, ଦ୍ଵିତୀୟ ମମିତା ସାହୁ ଏବଂ ତୃତୀୟ ବବିତା ତ୍ରିପାଠୀ, ମ୍ୟୁଜିକ ଚେୟାରରେ ପ୍ରଥମ ଶ୍ରଦ୍ଧାଞ୍ଜଳି ଜାଲ, ଦ୍ଵିତୀୟ ହେମନ୍ତ ଦେଓ,ତୃତୀୟ ପୁଷ୍ପେନ୍ଦ୍ର ବଛା, ବକ୍ତୃତାରେ ପ୍ରଥମ ସଗୁନ କୁଅଁର, ଦ୍ଵିତୀୟ ଅନୁଭବ ସାହୁ, ତୃତୀୟ ପ୍ରାଚୀ ସ୍ୱାଇଁ, ଚାମଚ ଦୌଡ ପ୍ରତିଯୋଗିତାରେ ପ୍ରଥମ କେଶବ ସା, ଦ୍ଵିତୀୟ ମୋହନ ଦଳାଇ, ତୃତୀୟ ସ୍ଥାନ ପରମେଶ୍ୱର ପଧାନ ଅଧିକାର କରିଥିବା ବେଳେ ସିନିଅର ବିଭାଗର ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ଆରାଧ୍ୟା ବିଶି, ଦ୍ଵିତୀୟ ହରିପ୍ରିୟା ଛାତ୍ରିଆ, ତୃତୀୟ ଅନ୍ୱେଷା କୁମ୍ଭାର ସେହିପରି ସଂଗୀତ ପ୍ରତିଯୋଗିତାରେ ପ୍ରଥମ ଈଶ୍ୱର ହରପାଲ, ଦ୍ଵିତୀୟ ନେହା ପୁଟେଲ, ତୃତୀୟ ଅଲିଶା ଛତ୍ରିଆ, ଚାମଚ ଦୌଡ ପ୍ରତିଯୋଗିତାରେ ପ୍ରଥମ ମୋହିନୀ ମାଝୀ, ଦ୍ଵିତୀୟ, ତିଲୋତ୍ତମ ଜାନି, ତୃତୀୟ ରାହୁଲ କୁମାର ଖୁଆସ, ମ୍ୟୁଜିକ ଚେୟାରରେ ପ୍ରଥମ ରମାକାନ୍ତ ସୁନାନୀ, ଦ୍ଵିତୀୟ ଭଂଜନୀ ମାଝୀ ଏବଂ ପୁଷ୍ପାଞ୍ଜଳି ମେହେର ତୃତୀୟ ସ୍ଥାନ ଅଧିକାର କରିଥିଲେ । ଉଦଯାପନୀ ଉତ୍ସବରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ, ପ୍ରବୀର କୁମାର ପଣ୍ଡା, ରୀନା କୁମାରୀ ବେହେରା, ସଇଁତଲା ବିଇଓ ଦିଲୀପ ଯୋଶୀ, ବଲାଙ୍ଗିର ସଦର ବ୍ଲକ ବିଇଓ ନୀଳମଣି ପଟେଲ ପ୍ରମୁଖ ଯୋଗଦେଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ବିଆର୍‌ଟି ଅଳକା ଦାଶ । ଜିଲ୍ଲାର ୧୪ଗୋଟି ବ୍ଲକର ସମସ୍ତ ବ୍ଲକ ସାଧନକର୍ମୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସହ ତାଙ୍କ ଅଭିଭାବକ ଯୋଗ ଦେଇଥିଲେ ।

Leave A Reply

Your email address will not be published.