ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଠାରେ ମଙ୍ଗଳବାର ରାତି ୧୧ଟା ବେଳେ ଯାଜ୍ଞସେନୀ କପଡ଼ା ଦୋକାନରେ ହୋଇଥିବା ଭୟାବହ ଅଗ୍ନିକାଣ୍ଡ ସାରା ଅଞ୍ଚଳରେ ଆଲୋଚନା ବିଷୟ ହୋଇଛି । ବିଜୁଳି ସର୍ଟ ସର୍କିଟରୁ ଏହି ଘଟଣା ଘଟିଥିବା କୁହାଯାଉଛି । କ୍ଷଣକରେ ପ୍ରାୟ ୪୦ ଲକ୍ଷ ଟଙ୍କାର କପଡ଼ା ଜଳିପୋଡ଼ି ଛାର୍ଖାର୍ ହୋଇଯାଇଛି । ଦୋକାନ ମାଲିକ ଯୋଗୀନ୍ଦ୍ର ମେହେର, ଯାହାଙ୍କ ଘର ବେଲପଡା, ଦୀର୍ଘବର୍ଷରୁ ଖପ୍ରାଖୋଲରେ ରହିବା ସହ କପଡ଼ା ଦୋମାନ କରି ପରିବାର ପରିପୋଷଣ କରୁଥିଲେ । କିନ୍ତୁ ଗତ ରାତିର ଏହି ଅଭାବନୀୟ ଘଟଣା ତାଙ୍କ ସମସ୍ତ ଆଶା ଓ ସ୍ଵପ୍ନକୁ ଚୁର୍ମାର୍ କରିଦେଇଛି । ଦୋକାନ ବନ୍ଦ କରି ଘରକୁ ପହଞ୍ଚିଥିବାର କିଛି ସମୟ ପରେ ପଡ଼ୋଶୀ ଦୋକାନୀ ନୀଳ ଗଡତ୍ୟା ଦୋକାନରେ ନିଆଁ ଲାଗିଯାଇଛି ବୋଲି ତାଙ୍କୁ ଫୋନ୍ କରି ଜଣାଇଥିଲେ । ଏହି କଥା ଜଣିବା ପରେ ଯୋଗୀନ୍ଦ୍ର ଦୌଡ଼ି ଦୌଡ଼ି ଦୋକାନକୁ ଆସିଥିଲେ । ସେ ପର୍ୟ୍ୟନ୍ତ ସମସ୍ତ ଦୋକାନ ଲାଲ ଅଗ୍ନିଶିଖାରେ ଘେରି ଯାଇଥିଲା । ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରାତି ୧୨ଟା ଯାଏଁ କଠୋର ପରିଶ୍ରମ ପରେ ନିଆଁକୁ ଲିଭାଇବାରେ ସଫଳ ହୋଇଥିଲେ କିନ୍ତୁ ସେତିକି ବେଳ ପର୍ୟ୍ୟନ୍ତ ସବୁ କିଛି ଜଳି ପୋଡ଼ି ପାଉଁଶ ହୋଇସାରିଥିଲା । ଏହି ଅଭାବନୀୟ ଘଟଣା ସ୍ଥାନୀୟ ଲୋକଙ୍କୁ ଗଭୀର ଭାବେ ବ୍ୟଥିତ କରିଛି । ସ୍ଥାନୀୟ ଲୋକଙ୍କ ସହ ଖପ୍ରାଖୋଲ ବଣିକସଙ୍ଘ ଦୋକାନୀ ଶ୍ରୀ ମେହେରଙ୍କ ପ୍ରତି ସହାନୁଭୂତି ଓ ସମର୍ଥନ ଜଣାଇଛନ୍ତି । ଏହି ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।