ଅଟଳ ବିହାରୀ ପଣ୍ଡାଙ୍କ ୯୪ତମ ଜୟନ୍ତୀ ପାଳିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଅଟଳ ପଣ୍ଡା ସ୍ମୃତି କମିଟି ପକ୍ଷରୁ ଗତକାଲି ବିଶିଷ୍ଟ ନାଟ୍ୟକାର ତଥା ଶଲାବୁଢ଼ା ସିନେମାର କିମ୍ବଦନ୍ତୀ ତାରକା ଅଟଳ ବିହାରୀ ପଣ୍ଡାଙ୍କ ୯୪ତମ ଜୟନ୍ତୀ ସ୍ଥାନୀୟ ବିଜୁ ପଟ୍ଟନାୟକ ଯୁକ୍ତ ଦୁଇ ମହିଳା ମହାବିଦ୍ୟାଳୟରେ ପାଳିତ ହୋଇଯାଇଛି । ସ୍ମୃତି କମିଟିର ସଭାପତି ବିରଞ୍ଚି ନାରାୟଣ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ.ନୃପରାଜ ସାହୁ ଯୋଗଦେଇ ଅଟଳ ପଣ୍ଡାଙ୍କ ଅନେକ ସିନେମାର ଡାଇଲଗ ଓ ଅଭିନୟ କଥାର ଉଦାହରଣ ଦେଇ ଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ ଏବଂ ଶ୍ରୀ ପଣ୍ଡାଙ୍କ ନିଖୁଣ ଅଭିନୟକୁ ହିଁ ଲୋକେ ଯୁଗେ ଯୁଗେ ମନେ କରିବେ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ନାଟ୍ୟଶ୍ରୀ ଗଦାଧର ବାରିକ, ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷା ପ୍ରିତିମୟୀ ମିଶ୍ର ପ୍ରମୁଖ ଯୋଗଦେଇ କଳା ସଂସ୍କୃତି ଓ ସମ୍ବଲପୁରୀ ସିନେ ଜଗତ ପାଇଁ ସ୍ମରଣୀୟ ହୋଇ ରହିବେ ଅଟଳ ବୋଲି କହିଥିଲେ । ଆଗାମୀ ଯୁବପିଢ଼ି ଓ କଳାପ୍ରେମୀ ଶ୍ରୀ ଅଟଳଙ୍କୁ ଅନୁସରଣ କରିବାକୁ କହି ଶ୍ରୀ ପଣ୍ଡାଙ୍କ ସ୍ମୃତି ଚାରଣ କରିଥିଲେ । ସ୍ମୃତି କମିଟି ସଂପାଦକ ସୌମ୍ୟ ରଞ୍ଜନ ପୂଜାରୀ ଅଟଳ ବିହାରି ପଣ୍ଡାଙ୍କ ବିରଳ ବ୍ୟକ୍ତିତ୍ଵ ତଥା ତାଙ୍କର ସାଧନାର ପରାକାଷ୍ଠା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । କଲେଜ ଛାତ୍ରୀ ସ୍ଵାଗତ ସଙ୍ଗୀତ ଗାନ କରି ଅତିଥିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲା ବେଳେ ସଭାକୁ ପ୍ରଜ୍ଞା ପରମିତା ଦାଶ ସଭା ସଂଯୋଜନା କରିଥିଲେ । ସଭାରେ ଅଧ୍ୟାପକ ମଧୁସୂଦନ ପୂଜାରୀ, ନିଶାନ୍ତ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଅଟଳ ପଣ୍ଡାଙ୍କ କାହାଣୀ ଉପରେ ଏକ ଟ୍ରିବୁଟ ସଙ୍ଗୀତ ଏଲ୍‌ଇଡି ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା ଯାହାକି ସମସ୍ତ ଅତିଥି, କଳାକାର, ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରୀଙ୍କୁ ସ୍ତବ୍ଧ କରି ପକାଇଥିଲା ।

Leave A Reply

Your email address will not be published.