ବଲାଙ୍ଗିର, (ଦେବାଶିଷ ମିଶ୍ର) : ୮ ଦଫା ଦାବି ନେଇ ଆୟୁଷ ଛାତଛାତ୍ରୀଙ୍କ ଆନ୍ଦୋଳନ ୯ ଦିନରେ ପହଂଚିଛି । କଳା ବ୍ୟାଚ ପରିଧାନ ସହିତ ରାଜ୍ୟର ୭ଟି ଆୟୁଷ ଭେଷଜ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଛାତ୍ରଛାତ୍ରୀଙ୍କ ଦାବି ପୁରଣ ଦିଗରେ କୌଣସି ଆନ୍ତରିକତା ପ୍ରକାଶ ନ ପାଇବା ଛାତ୍ରଛାତ୍ରୀ ଓ ହାଉସ ସର୍ଜନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ତେଜିବାରେ ଲାଗିଛି । ସୂଚନାଯୋଗ୍ୟ ଯେ, ଛାତ୍ରଛାତ୍ରୀଙ୍କ ଆନ୍ଦୋଳନକୁ ବିଭିନ୍ନ ମହଲ ତଥା ସଂଗଠନ ପକ୍ଷରୁ ସମର୍ଥନ ଜାରି ରହିଛି । ଏହି କ୍ରମରେ ବଲାଙ୍ଗିର ନାଗରିକ କମିଟି ପକ୍ଷରୁ ସଭାପତି ତଥା ବିଶିଷ୍ଟ ସମାଜସେବୀ ଶ୍ରୀକର ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି ସ୍ଥାନୀୟ ତୁଳସୀନଗର ସ୍ଥିତ ଆୟୁର୍ବେଦ ମହାବିଦ୍ୟାଳୟ ମୁଖ୍ୟ ଫାଟକରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ଭେଟି ଆଲୋଚନା କରିବା ସହିତ ସମର୍ଥନ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ସାକ୍ଷାତ କରି ନାଗରିକ କମିଟି ପକ୍ଷରୁ ଆୟୁଷ ଛାତ୍ରଙ୍କ ଦାବି ପୁରଣ ନିମନ୍ତେ ଆଲୋଚନା କରାଯାଇଥିଲା ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରେରଣ କରାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଆୟୁଷ ଛାତ୍ରଛାତ୍ରୀଙ୍କ ନ୍ୟାର୍ଯ୍ୟ ଦାବି ପୁରଣ ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ବିଷୟକୁ ନାଗରିକ କମିଟି ପକ୍ଷରୁ ଦୃଢ଼ନିନ୍ଦା କରାଯାଇଛି । ଛାତ୍ର ସଂଗଠନ ପକ୍ଷରୁ ସଭାପତି ଓମ୍ ପ୍ରକାଶ ବେହେରା, ସଂପାଦକ ଅଭିଳାଷ ପଟ୍ଟନାୟକ, ଛାତ୍ର ସଂଘ କର୍ମକର୍ତ୍ତା ଧର୍ମେନ୍ଦ୍ର ଜାଲ, ଅଭିଷେକ ରଥ, ତୃପ୍ତିମୟୀ ମହାପାତ୍ର ପ୍ରମୁଖ ନାଗରିକ କମିଟିର କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଦାବି ପୁରଣ ନ ହେଲେ ଆଗାମୀ ଦିନରେ ଛାତ୍ର ଆନ୍ଦୋଳନ ଭୟାବହ ରୂପ ନେବ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି ।
Next Post