୫ ଏନ୍ଏସି ଓ ୧ ମ୍ୟୁନିସିପାଲିଟି ଗଠନ ପାଇଁ ଅଧିସୂଚନା ଜାରି ହୋଇନାହିଁ : ସରକାରଙ୍କ ଆନ୍ତରିକତା ଉପରେ ସନ୍ଦେହ – ହେମନ୍ତ ପଣ୍ଡା

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାର ଇତିମଧ୍ୟରେ ୩୦ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଓ ୮ଟି ମ୍ୟୁନିସିପାଲିଟି ଗଠନ କରିଥିବା ତଥ୍ୟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡାଙ୍କୁ ପ୍ରଦାନ କରିଛନ୍ତି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ନିର୍ବାଚନ ଶାଖା ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟକୁ ଆଧାର କରି ଶ୍ରୀ ପଣ୍ଡା କହିଛନ୍ତି ଯେ, ନୂତନ ୩୦ଟି ଏନ୍‌ଏସି ଓ ୮ଟି ମ୍ୟୁନିସିପାଲିଟି ଗଠନ କରାଯାଇଥିବା କଥା ସରକାର ଘୋଷଣା କରିଥିଲେ ମଧ୍ୟ ୪ଟି ଏନ୍‌ଏସି ଓ ୧ଟି ମ୍ୟୁନିସିପାଲିଟି ପାଇଁ ଅଧିସୂଚନା ଜାରି କରାଯାଇ ନଥିବା ଜଣାଯାଇଛି । ସୂଚନା ଅଧିକାର ତଥ୍ୟକୁ ଆଧାର କରି ଶ୍ରୀ ପଣ୍ଡା କହିଛନ୍ତି ଯେ, ପୌର ଆଇନ ୧୯୫୦ ଅନୁଯାୟୀ ଗତ ୧୬ ଅଗଷ୍ଟ ଦିନ ୧୨ଟି ନୂତନ ଏନ୍‌ଏସି ଯଥା:- ପାଲଲହଡା, ସିମୂଳିଆ, ବସ୍ତା, ତିହିଡି, ଧୂସୁରି, ବେତନଟି, ବାଙ୍ଗିରିପୋଷି, ଚିତ୍ରଡା, ବିଷମକଟକ, ବାମରା, ରେଙ୍ଗାଲି, ବୀରମହାରାଜପୁର ପାଇଁ ସରକାରୀ ଅଧିସୂଚନା ଜାରି କରିଥିବା ବେଳେ ୧ ସେପ୍ଟେମ୍ବର ଦିନ ୧୩ଟି ଯଥା:- ସୋହେଲା ସାଲେପୁର, ବଡମ୍ବା, ନରସିଂହପୁର, ଗଁଦିଆ, ଜଗନ୍ନାଥପ୍ରସାଦ, ପାତ୍ରପୁର, ନର୍ଲା, ଜୟପାଟଣା, ଟାଙ୍ଗି, ବରିଗୁମ୍ମା ଓ ୨ଟି ମ୍ୟୁନିସିପାଲିଟି ପୋଲସରା, କରଞ୍ଜିଆ ଗଠନ ପାଇଁ ଅଧିସୂଚନା ଜାରି କରିଥିଲେ । କପ୍ତିପଦା ଏନ୍‌ଏସି ପାଇଁ ୮ ସେପ୍ଟେମ୍ବର ଦିନ, ନୂତନ ମ୍ୟୁନିସିପାଲିଟି ଆସ୍କା ପାଇଁ ୧୭ ସେପ୍ଟେମ୍ବର, କବିସୂର୍ଯ୍ୟନଗର ୧୦ ଅକ୍ଟୋବର, ଭଞ୍ଜନଗର ୧୪ ଅକ୍ଟୋବର, ବୌଦ୍ଧଗଡ ୧୬ ଅକ୍ଟୋବର, ଛତ୍ରପୁର ପାଇଁ ଯଥାକ୍ରମେ ୩୦ ଅକ୍ଟୋବର ଦିନ ରାଜ୍ୟ ସରକାର ଅଧିସୂଚନା ଜାରି କରିଥିଲେ । ଅଧିସୂଚନାରେ ସମ୍ପୃକ୍ତ ଏନ୍‌ଏସି ଓ ମ୍ୟୁନିସିପାଲିଟି ଅଞ୍ଚଳରେ ସାମିଲ ହେବାକୁ ଥିବା ରାଜସ୍ୱ ଗ୍ରାମ ଗୁଡିକୁ ଚିହ୍ନଟ କରାଯାଇ ସାମିଲ କରିବା ପାଇଁ ପ୍ରସ୍ତାବ ରଖାଯାଇଛି । କିନ୍ତୁ ବଲାଙ୍ଗିର ଜିଲ୍ଲାର ଲୋଇସିଂହା, ଯାଜପୁରର ଚଣ୍ଡିଖୋଲ, ନୂଆପଡା ଜିଲ୍ଲାର ସିନାପାଲି, କୋମନା, ମୟୁରଭଞ୍ଜ ଜିଲ୍ଲାର ଯଶିପୁର ଏନ୍‌ଏସି ଏବଂ ନୂଆପଡାର ଖରିଆର ରୋଡ ମ୍ୟୁନିସିପାଲିଟି ଗଠନ ପାଇଁ ଅଧିସୂଚନା ଜାରି କରାଯାଇନଥିବା ତଥ୍ୟରୁ ଜଣା ପଡିଛି ବୋଲି ସୂଚନା କର୍ମୀ ପଣ୍ଡା କହିଛନ୍ତି । ନୂଆପଡା ନିର୍ବାଚନ ପ୍ରକ୍ରିୟା ସମାପ୍ତ ହୋଇଥିଲେ ମଧ୍ୟ କେତେକ ଏନ୍‌ଏସି ଓ ମ୍ୟୁନିସିପାଲିଟି ଗଠନ ପାଇଁ ପୌର ଆଇନ ଅନୁଯାୟୀ ଅଧିସୂଚନା ଜାରି କରାଯାଇ ନାହିଁ । ସିନାପାଲି, କୋମନା ଏନ୍‌ଏସି ଓ ଖରିଆର ରୋଡ ମ୍ୟୁନିସିପାଲିଟି ପାଇଁ ନୂଆପଡା ଜିଲ୍ଲାପାଳଙ୍କ ରିପୋର୍ଟ ପ୍ରଦାନ କରିନଥିବା ତଥ୍ୟରୁ ଜଣାଯାଇଛି ।

Leave A Reply

Your email address will not be published.