ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମଙ୍ଗଳବାର ସକାଳୁ ସକାଳୁ ଛତ୍ରପୁର କଲେଜ୍ ଛକ ନିକଟରେ ବାଇକ୍ ଦୁର୍ଘଟଣା ଘଟିଛି । ଜଣେ ଗୁରୁତର ଆହତ ହୋଇଥିବା ବେଳେ ଜଣେ ମୃତ ହୋଇଥିବା ଜଣାଯାଇଛି । ସୂଚନା ଯୋଗ୍ୟ ଯେ, ବାଇକ୍ ଯୋଗେ ଦୁଇଜଣ ଯୁବକ ବେଙ୍ଗଲୁରୁ ସିଟିରୁ ବାଲେଶ୍ଵର ଅଭିମୁଖେ ଯାତ୍ରା କରୁଥିଲେ । ସେମାନେ ବାଲେଶ୍ଵର ଜିଲ୍ଲାର ସିମିଳିଆ ବ୍ଲକ, ଭାୟା ଜାମୁଝାଡିର ଅସ୍ତିଆ ଗ୍ରାମର ଧର୍ମେନ୍ଦ୍ର କର (୨୫) ଓ ସନ୍ଦୀପ ଦାସ (୨୪) ବୋଲି ଜଣାଯାଇଛି । ଏହି ଦୁଇଜଣ ବେଙ୍ଗଲୁରୁରେ ରହି ପିଜି.ରେ ଚାକିରୀ କରୁଥିଲେ । ନଭେମ୍ବର ୩୦ ତାରିଖ ସନ୍ଧ୍ୟା ୪ଟା ସମୟରୁ ବେଙ୍ଗଲୁରରୁ ଏଫ୍.ଜେଡ୍- ୫ ବାଇକ୍ ଯୋଗେ ବାହାରିଥିଲେ । ନିଜ ଗ୍ରାମ ଅସ୍ତିଆ ଅଭିମୁଖେ ଯାଉଥିଲେ । ଯାହାର ଦୂରତା ପ୍ରାୟ ୧୭୦୦ କିଲୋମିଟର ଥିଲା । କିନ୍ତୁ ଦୀର୍ଘ ୩ ଦିନ ଧରି ଦୁହେଁ ବାଇକରେ ଯାତ୍ରା କରି ମଙ୍ଗଳବାର ସକାଳ ୭ଘଣ୍ଟା ସମୟରେ କଲେଜ ଛକ ନିକଟରେ ଥିବା ଜାତୀୟ ରାଜପଥର ଡିଭାଇଡରରେ ବାଡ଼େଇ ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛନ୍ତି । ଫଳରେ ଘଟଣା ସ୍ଥଳରୁ ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା । ହସ୍ପିଟାଲରେ ଧର୍ମେନ୍ଦ୍ର କରଙ୍କୁ ଡ଼ାକ୍ତର ମୃତ ବୋଲି ଘୋଷଣା କରିଛନ୍ତି । ସନ୍ଦୀପ ଦାସଙ୍କ ଚିକିତ୍ସା ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ସନ୍ଦୀପ ଦାସଙ୍କ ଅବସ୍ଥା ସ୍ଥିର ରହିଛି ବୋଲି କୁହାଯାଇଛି । ମେଡ଼ିକାଲ ତରଫରୁ ଦୁହିଁଙ୍କ ପରିବାରକୁ ସୂଚନା ଦିଆଯାଇଥିବା ଜଣାପଡ଼ିଛି ।
Prev Post