- ସମ୍ମିଳିତ ଉଦ୍ୟମ ଦ୍ୱାରା ‘ନିରାପଦ କାର୍ଯ୍ୟସ୍ଥଳ ଓ ସବୁଜ ଭବିଷ୍ୟତ’ ଉଦ୍ୟମ ସଫଳ ହେବ
ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଦୂଷଣ ନିରାକରଣ ପୃଥିବୀ ପାଇଁ ଏକ ବିରାଟ ଆହ୍ଵାନ ବୋଲି ଜାତୀୟ ପ୍ରଦୂଷଣ ନିରାକରଣ ଦିବସ ପାଳନ ଅବସରରେ ବିଶିଷ୍ଟ ପରିବେଶ ବିଜ୍ଞାନୀମାନେ ମତପ୍ରକାଶ କରିଛନ୍ତି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଆରଏସପି ସ୍ଥିତ ସିପିଟିଆଇ ଅଡ଼ିଟୋରିୟମ ଠାରେ ଆଜି ପ୍ରଦୂଷଣ ନିରାକରଣ ଦିବସ ପାଳିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରି ଏସପିସିବିର ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକ ତଥା ଆଞ୍ଚଳିକ ଅଧିକାରୀ ଡ. ଅନୁପ କୁମାର ମଲ୍ଲିକ କହିଲେ ଯେ, ଗତ ୧୯୮୪ ମସିହାରେ ଭୋପାଳ ଗ୍ୟାସ ଦୁର୍ଘଟଣା ପରଠାରୁ ଆୟୋଜିତ ହୋଇ ଆସୁଥିବା ଏହି ଦିବସ ପାଳନ ପରିପ୍ରେକ୍ଷୀରେ ପ୍ରଦୂଷଣ ନିୟନ୍ତ୍ରଣ ଓ କାର୍ଯ୍ୟ ସ୍ଥଳରେ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବାକୁ ହେବ । ଯାହାଦ୍ୱାରା ଏଭଳି ଘଟଣାର ପୁନରାବୃତ୍ତି ନହେବ । ଆଗାମୀ ଦିନରେ ବିଭିନ୍ନ କଳ କାରଖାନାର କାର୍ଯ୍ୟସ୍ଥଳୀର ପରିବେଶ ଓ ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେବା ସହ ନିୟମ ଗୁଡିକୁ ଅନୁପାଳନ କରିବା ପାଇଁ ଡ଼ ମଲ୍ଲିକ ପରାମର୍ଶ ଦେଇଥିଲେ । ସମ୍ମିଳିତ ଉଦ୍ୟମ ଦ୍ୱାରା ହିଁ ନିରାପଦ କାର୍ଯ୍ୟସ୍ଥଳ ଓ ସବୁଜ ଭବିଷ୍ୟତର ପରିକଳ୍ପନା ସଫଳ ହୋଇପାରିବ ବୋଲି ସେ କହିଥିଲେ । ଏସପିସିବି ପକ୍ଷରୁ ନିଆ ଯାଉଥିବା ପଦକ୍ଷେପ ସମ୍ପର୍କରେ ସେ ସୂଚନା ଦେବା ସହ ଏ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏଥିରେ ଆରଏସପି ମାଇନିଙ୍ଗ ବିଭାଗ ଇଡି ଇଂ. ଏମ.ପି ସିଂହ, ଏନଏସପିସିଏଲର ସିଜିଏମ ତଥା ବିୟୁଏଚ କେ. ସତ୍ୟନାରାୟଣ, ଫେକ୍ଟ୍ରି ଓ ବୟେଲର ବିଭାଗ ଡେପୁଟି ଡାଇରେକ୍ଟର ବିଭୁ ପ୍ରସାଦ ସମ୍ମାନିତ ଅତିଥି ଭାବେ ମଂଚାସୀନ ରହିବା ସହ ବକ୍ତବ୍ୟ ରଖିଥିଲେ । ସେମାନେ ଆଲୋଚ୍ୟ ବିଷୟ ସମ୍ପର୍କରେ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ । ପରିବେଶ ବିଜ୍ଞାନର ବିଭିନ୍ନ ଉପଚାର ଓ ନିୟନ୍ତ୍ରଣ ସମ୍ପର୍କରେ ଉପସ୍ଥିତ କାରଖାନା ପ୍ରତିନିଧି ମାନଙ୍କୁ ସଚେତନ କରାଇଥିଲେ । ଜନ ସଚେତନତା ସହ ମାନସିକତାର ପରିବର୍ତନ ଦ୍ୱାରା କାରଖାନା ଦୁର୍ଘଟଣା ରୋକାଯିବା ସହ ନିର୍ମଳ ପରିବେଶ ସମ୍ଭବ ହୋଇପାରିବ ବୋଲି ମତ ଦେଇଥିଲେ । ଏହି ଅବସରରେ ଆୟୋଜିତ ବୈଷୟିକ ପର୍ଯ୍ୟାୟରେ ଆରଏସପିର ପରିବେଶ ଇଞ୍ଜିନିୟରିଙ୍ଗ ବିଭାଗ ଜିଏମ ଇଂ. ପ୍ରମୋଦ ଚନ୍ଦ୍ର ଦାଶ, ଜେଏସଡବ୍ଲୁ ଷ୍ଟିଲ ଲିମିଟେଡ଼ର ନାରାୟଣପୋଷି ଆଇରନ ଓ ମାଙ୍ଗାନିଜ ମାଇନ୍ସର ସିନିୟର ଜିଏମ ସୁରେଶ ମହାପାତ୍ର, ଡାଲମିଆ ଭାରତ ଲିମିଟେଡ଼ର ସିନିୟର ଜିଏମ ବିଜୟ କୁମାର ଦାଶ ଓ ଏନଆଇଟି ରାଉରକେଲାର ଡିନ ତଥା ଆଲୁମୁନି ଇଣ୍ଟରନେସନାଲ ରିଲେସନସିପ ପ୍ରଫେସର ଏଚ.ବି. ସାହୁ ପ୍ରମୁଖ ସେମାନଙ୍କର ସନ୍ଦର୍ଭ ମାନ ଉପସ୍ଥାପନା କରିଥିଲେ । ନିଜ ନିଜ କାରଖାନା ଓ ଅନୁଷ୍ଠାନରେ ନେଇଥିବା ପରିବେଶ ସମ୍ପର୍କିତ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ । ଆମ ଦୈନନ୍ଦିନ ଜୀବନରେ ପରିବେଶ ଅନୁକୂଳ କାର୍ଯ୍ୟ କରିବା ପାଇଁ ସେମାନେ ଆହ୍ୱାନ କରିଥିଲେ । ଏହି ଅବସରରେ ପୂର୍ବରୁ ୱାଇଏମ୍ଏଫ୍ଆଇ ତତ୍ତ୍ୱାବଧାନରେ ଆୟୋଜିତ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଡିଇଇ ଇଂ. ରମଣୀ ରଞ୍ଜନ ଦାଶ, ଇଂ. ରଜତ କୁମାର ସେଠୀ,ଡିଇଇ ସି.ଏସ୍.ଚୌହାନ, ଏଇଏସ ପ୍ରଜ୍ଞାଜ୍ୟୋତି ସେନାପତି, ଓଏସଡି ବି. ବି. ମହନ୍ତ, ସ୍ୱେଚ୍ଛାସେବୀ ବିବେକାନନ୍ଦ ଦାସ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଉପ ପରିବେଶ ଯନ୍ତ୍ରୀ ବିଜୟ କୁମାର ଭୋଇ ସଭା ସଂଚାଳନ କରିଥିଲେ । ପ୍ରାରମ୍ଭରେ ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ରୀମାନେ ପଞ୍ଚତତ୍ୱ ଆଧାରିତ ସ୍ୱାଗତ ସଂଗୀତ ଗାନ କରିଥିଲେ । ଶେଷରେ ସହକାରୀ ପରିବେଶ ବୈଜ୍ଞାନିକ ସୌମ୍ୟ ରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ମିଶନ ଲାଇଫ ଶପଥ ପାଠ କରାଯିବା ସହ କପଡାର ବ୍ୟାଗ ବିତରଣ କରାଯାଇଥିଲା । ଏଥିରେ ବିଭିନ୍ନ କଳକାରଖାନା, ଖଣି, ହସ୍ପିଟାଲ, ବ୍ୟବସାୟିକ ପ୍ରତିଷ୍ଠାନର ପ୍ରତିନିଧି, ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ପ୍ରମୁଖ ଉପସ୍ଥିତ ଥିଲେ ।