ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସାହିତ୍ୟ, ପ୍ରକୃତି ଓ ସଂସ୍କୃତିର ଅପୂର୍ବ ମିଳନ ଘଟିଥିଲା ଭାଗ୍ୟଲିପି ମଲ୍ଲଙ୍କ ରଚିତ ଭିନ୍ନ ଏକ ଋତୁ ସମ୍ଭାରରେ । ଛଅଟି ଋତୁକୁ ନେଇ ଏହି ସୁନ୍ଦର ପରିକଳ୍ପନାକୁ ସଙ୍ଗୀତର ରୂପ ଦେଇଥିଲେ ଡ଼ଃ. ଜୟଶ୍ରୀ ଧଳ ଏବଂ ଶାନ୍ତୁନୁ ନାୟକ । ଜୟଶ୍ରୀ ଧଳଙ୍କ ତମେ କେବେ ଆସି କେବେ ଫେରିଯାଅର ଗୀତରେ ଝୁମିଥିଲେ ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ଯୋଗଦେଇଥିବା ଅଗଣିତ ଦର୍ଶକଗଣ । ଏଭଳି ପ୍ରକୃତିମୟ ସଙ୍ଗୀତ ବାରମ୍ବାର କରାଯାଉ ବୋଲି ପ୍ରେକ୍ଷାଳୟର ଦର୍ଶକମାନେ କହୁଥିଲେ । ଭାଗ୍ୟଲିପି ମଲ୍ଲ ଓ ଦେବଦାସ ଛୋଟରାୟଙ୍କ ସଂଯୋଜନା ଦର୍ଶକମାନଙ୍କ ହୃଦୟକୁ ବେଶ୍ ଛୁଇଁ ପାରିଥିଲା । ଆୟୋଜିତ ଏହି ସାଂସ୍କୃତିକ ସନ୍ଧ୍ୟାରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଭାଗ୍ୟଲିପି ମଲ୍ଲଙ୍କ ରଚିତ କବିତା ପୁସ୍ତକ “ଋତୁ ଓ ରାତି” ଆନୁଷ୍ଠାନିକ ଭାବେ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି ବହିଟିକୁ ପକ୍ଷୀଘର ପକ୍ଷରୁ ପ୍ରକାଶିତ କରାଯାଇଥିଲା । ଉକ୍ତ ବହିରେ ଥିବା ଏକ ଗୀତ ପାଉଁଜିର ସିଡିକୁ ମଧ୍ୟ ଉନ୍ମୋଚନ କରାଯାଇଥିଲା । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ମେୟର ସୁଲୋଚନା ଦାସ, ବିଧାୟକ ବାବୁ ସିଂ, ପୂର୍ବତନ ମନ୍ତ୍ରୀ ଅରୁଣ କୁମାର ସାହୁ, ସ୍ତମ୍ଭକାର ଦାସ ବେହନୁର, ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଅବନୀ କୁମାର ସାହୁ, ମମତା ସାମନ୍ତରାୟ, ଜ୍ୟୋସ୍ନାମୟୀ ପରିଡା, ଖଲ୍ଲିକୋଟ ଇଞ୍ଜିନିୟର ପ୍ରଭାତ କୁମାର ଷଡଙ୍ଗୀ ଉପସ୍ଥିତ ଥିଲେ । ଏତଦ ବ୍ୟତୀତ ଓଡ଼ିଶାର ବହୁ ପ୍ରତିଷ୍ଠିତ ଗଣ୍ୟମାନ୍ୟ ବ୍ୟକ୍ତିଗଣ ଯୋଗଦେଇ ଏହି ମେଗା ମଞ୍ଚକୁ ସଭା ମଣ୍ଡିତ କରିଥିଲେ । ମଞ୍ଚରେ ଡ଼ଃ.ଫନି ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ଗଞ୍ଜାମ ଜିଲ୍ଲାର ବିଶିଷ୍ଟ ନାଟ୍ୟକାର ଶ୍ରୀମତୀ ଦୀପିକା ଦାଶ ଏବଂ ଖଲ୍ଲିକୋଟର ସମାଜସେବୀ ତଥା ଡ଼ଃ.ଏ.ପି,ଜେ ଅବଦୁଲ କାଲାମ ଜନକଲ୍ୟାଣ ଚାରିଟେବୁଲ୍ ଟ୍ରଷ୍ଟର ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରାଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦିବଙ୍ଗତ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, କବି ଶଙ୍କର ପରିଡା ଓ କବି ରାଜେନ୍ଦ୍ର ପଣ୍ଡାଙ୍କୁ ଏହି ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଡ଼ଃ.ମୃତ୍ୟୁଞ୍ଜୟ ରଥ ମଞ୍ଚ ସଞ୍ଚାଳନ କରିଥିଲେ ।
Next Post