ରାଜ୍ୟ ସ୍ତରୀୟ ମାଁ ଭୈରବୀ ମହୋତ୍ସବର ଚତୁର୍ଥ ଦିବସ

-ଶୀତୁଆ ସନ୍ଧ୍ୟାରେ ସମ୍ବଲପୁରୀ ନାଚ ଗୀତ ସାଙ୍ଗକୁ ଚଟପଟି ଖାଦ୍ୟର ମଜା ନେଉଛନ୍ତି ଦର୍ଶକ

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ଭୈରବୀଙ୍କ ନାମରେ ନାମିତ ପଞ୍ଚମ ରାଜ୍ୟ ସ୍ତରୀୟ ମାଁ ଭୈରବୀ ମହୋତ୍ସବ ଚତୁର୍ଥ ଦିବସ । ମାଁ ଭୈରବୀ ସାଂସ୍କୃତିକ ପରିଷଦ, ପୁରୁଣା କଟକ ଦ୍ୱାରା ମିନି ଷ୍ଟାଡିୟମ ପୁରୁଣା କଟକଠାରେ ଚତୁର୍ଥ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ମାଁଙ୍କ ସନ୍ଧ୍ୟା ଆଳତି ଶ୍ରଦ୍ଧାଳୁ ଭକ୍ତ ଓ ମହୋତ୍ସବ ପ୍ରେମୀଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା । ଆଳତି ପରେ ଚତୁର୍ଥ ସନ୍ଧ୍ୟାର ଅତିଥିଭାବେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଯୋଗ ଦେଇଥିବାବେଳେ ମହୋତ୍ସବ କମିଟି ପକ୍ଷରୁ ଅତିଥି ଗଣଙ୍କୁ ସ୍ୱାଗତ, ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଚତୁର୍ଥ ସନ୍ଧ୍ୟାରୁ ଉଦଯାପନୀ ଦିବସ ପର୍ଯ୍ୟନ୍ତ ଏହି ମଞ୍ଚରେ ସିନେ ଅଭିନେତ୍ରୀ, ବରିଷ୍ଠ ବିଶିଷ୍ଟ କଣ୍ଠଶିଳ୍ପୀ, ରାଜ୍ୟ ଓ ରାଜ୍ୟ ବାହାର ବିଭିନ୍ନ ସାଂକୃତିକ ଅନୁଷ୍ଠାନ, ପଶ୍ଚିମ ଓଡ଼ିଶାର କଳା ସଂସ୍କୃତି ସମ୍ବଲପୁରୀ ନୃତ୍ୟ ଓ ଗୀତ ଦର୍ଶକଙ୍କୁ ବିଭୋର କରିବ । ଆଜି ଚତୁର୍ଥ ସନ୍ଧ୍ୟାରେ କଣ୍ଠ ଶିଳ୍ପୀ ଅମରଦାସ, ଓ ଚୁମକି ପାଢ଼ୀଙ୍କ ସମ୍ବଲପୁରୀ ଗୀତ ଦର୍ଶକଙ୍କୁ ମତୁଆଲା କରିଥିଲା । ଏହାଛଡ଼ା ଆଞ୍ଚଳିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷଣ ନୃତ୍ୟ ଗୀତ, ସମ୍ବଲପୁରର ପଞ୍ଚାବାଦ୍ୟ ଓ କଟକ ନଟରାଜ ଏକାଡେମୀର ନୃତ୍ୟ ଗୀତ ପ୍ରଦର୍ଶନ ଦର୍ଶକଙ୍କୁ ବେଶ ଆଦୃତ କରିଥିଲା । ହରଭଙ୍ଗା ବ୍ଲକରେ ହାଡ଼ ଭଙ୍ଗା ଜାଡ ହେଉଥିବା ବେଳେ ମାଁ ଭୈରବୀ ମହୋତ୍ସବରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳୁଛି । ଚତୁର୍ଥ ଦିବସରେ ମହୋତ୍ସବ ନେଇ କମିଟିର ସଭାପତି ଅଶୋକ ଅଗ୍ରୱାଲ, ଆବାହକ ସୁକାନ୍ତ ପଟ୍ଟନାୟକ, ଉପସଭାପତି ଅକ୍ରୁର ସେଠି, ସମ୍ପାଦକ ଅଶୋକ ସେଠି, ସମେତ ମହୋତ୍ସବ କମିଟି, ଭୈରବୀ କ୍ଲବ, ପୋଲିସ ପ୍ରଶାସନ, ଡ୍ରାଇଭର ସଂଘ ଭିଡକୁ ନେଇ ଶାନ୍ତି ଶୃଙ୍ଖଳାର ସହିତ ସହଯୋଗ କରିଥିଲେ ।

Leave A Reply

Your email address will not be published.