csstore

ସରିବାର ନାଁ ଧରୁନି ଏସବିଆଇ ନୂଆ କୋଠାକାମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ଏକବର୍ଷରୁ ଅଧିକ ହେଲା ଲୋଇସିଂହାଠାରେ ଏସ୍‌ବିଆଇ ଶାଖାର ନିଜସ୍ୱ କୋଠା ନିର୍ମାଣ କାମ ଚାଲିଛି । ହେଲେ ଏହା ଆଜି ପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇପାରୁ ନାହିଁ । ଫଳରେ ଅଞ୍ଚଳବାସୀ ବହୁ ହଇରାଣ ହେଉଥିବା ପ୍ରକାଶ କରିଛନ୍ତି । ଏହା କେବେ ଶେଷ ହୋଇ କାର୍ଯ୍ୟକ୍ଷମ ହେବ ତାହା ଜଣାପଡୁ ନାହିଁ । କାମ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଥିବାରୁ ନିକଟ ଭବିଷ୍ୟତରେ ସଂପୂର୍ଣ୍ଣ ହେବା ଆଶା ଦିଶୁନାହିଁ । ଏନେଇ କାମ ତଦାରଖ ଦାୟିତ୍ୱରେ ଥିବା ଯନ୍ତ୍ରୀ ସୌମ୍ୟ ରଞ୍ଜନ ଓଝାଙ୍କୁ ପଚାରିବାରୁ ସେ ମଧ୍ୟ ଠିକ୍ ଭାବେ କ‌ହିପାରି ନଥିଲେ । ଆହୁରି ଦୁଇବର୍ଷରୁ ଅଧିକ ସମୟ ଲାଗି ଯାଇପାରେ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି । ସୂଚନା ଅନୁଯାୟୀ, ଲୋଇସିଂହାଠାରେ ପ୍ରାୟ ୫୦ ବର୍ଷରୁ ଅଧିକ ହେଲା ଏସ୍‌ବିଆଇ ଲୋଇସିଂହା ଶାଖା ସ୍ଥାପିତ ହୋଇଛି । ଏହା ସେହିଦିନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଭଡ଼ାଘରେ ଚାଲିଆସୁଛି । ଏକଦା ଉକ୍ତ ବ୍ୟାଙ୍କ ଲୋଇସିଂହା ଅଞ୍ଚଳରେ ସର୍ବାଧିକ ବ୍ୟବସାୟକରି ଗ୍ରେଡ୍- ୪କୁ ପହଞ୍ଚିଥିଲା । ମାତ୍ର ଭଡ଼ାଘରେ ଉକ୍ତ ବ୍ୟାଙ୍କ ପରିଚାଳିତ ହେଉଥିବା ବେଳେ ସ୍ଥାନ ଅଭାବ ଓ ନିରାପତ୍ତା ସମସ୍ୟା ଚିନ୍ତାଜନକ ହୋଇପଡୁଛି । ଗ୍ରାହକମାନେ ଉପଯୁକ୍ତ ସେବା ନପାଇ ଅନ୍ୟ ବ୍ୟାଙ୍କମାନଙ୍କୁ ଚାଲିଯାଉଥିବାରୁ ବ୍ୟବସାୟ ତଳ ଗ୍ରତେକୁ ଖସିଆସୁଛି । ୨୫ ବର୍ଷରୁ ଅଧିକ ସମୟ ହେଲା ବ୍ୟାଙ୍କର ନିଜସ୍ୱ ଜମି ପଡ଼ିରହିଥିଲେ ହେଁ କୋଠା ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉ ନଥିଲା । ବିଳମ୍ବରେ ହେଲେ ବି ପ୍ରାୟ ୧ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କାମ ଗତବର୍ଷ ଦେଶର ହୋଇ ଅକ୍ଟୋବର ମାସରୁ ଆରମ୍ଭ ହୋଇଥିଲା । ୩୦ ଜୁନ ୨୦୨୫ ସୁଦ୍ଧା ସିଭିଲ କାମ ସଂପୂର୍ଣ ହେବା ନେଇ ଲକ୍ଷ୍ୟ ରହିଥିଲା । ଇତିମଧ୍ୟରେ ଆଉ ମାତ୍ର ୪ ମାସରୁ ଅଧିକ ସମୟ ବିତିଯାଇଥିଲେ ହେଁ ଅନେକ କାମ ବାକିରହିଛି ବୋଲି କାମ ତଦାରଖ ଦାୟିତ୍ୱରେ ଥିବା ଯନ୍ତ୍ରୀ ଶ୍ରୀ ଓଝା ସ୍ୱୀକାର କରିଛନ୍ତି । ଉକ୍ତ ନିର୍ମାଣାଧୀନ ବ୍ୟାଙ୍କ ୩୬ ନମ୍ବର ଜାତୀୟ ରାଜପଥ କଡ଼ରେ ରହିଛି । ପଛପାର୍ଶ୍ଵରେ ଜମି ରହିଥିଲେ ହେଁ ଦୂରଦର୍ଶିତାର ଅଭାବ ଯୋଗୁଁ ସମ୍ମୁଖ ଭାଗରେ ଜମି ଅଧିକ ପରିମାଣରେ ଛଡ଼ାଯାଇ ନଥିବାରୁ ନିକଟ ଭବିଷ୍ୟତରେ ଜାତୀୟ ରାଜପଥର ପ୍ରଶସ୍ତୀକରଣ (୪ ଲେନ୍‌ ରାସ୍ତା) ହେଲେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଉକ୍ତ ବିଲଡିଂର ସମ୍ମୁଖ ଭାଗକୁ ଭାଙ୍ଗିବାକୁ ପଡ଼ିପାରେ ଏବଂ ସମ୍ମୁଖ ଭାଗରେ ପାକିଂ ବ୍ୟବସ୍ଥା ସମସ୍ୟା ହୋଇପାରେ ବୋଲି ଅଞ୍ଚଳବାସୀ ସମେତ ଗ୍ରାହକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।

jayashree
Leave A Reply

Your email address will not be published.