ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ମହକ ଓ ଉତ୍ସବ”ର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶିଶୁ ଓ କିଶୋର ମାନଙ୍କ ମଧ୍ୟରେ ଥିବା ପ୍ରତିଭାର ଅନ୍ୱେଷଣ, ଅନ୍ତର୍ନିହିତ ଗୁଣାବଳୀର ବିକାଶ ନିମନ୍ତେ ଆୟୋଜିତ ବଲାଙ୍ଗିର ଜିଲ୍ଲାସ୍ତରୀୟ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀଙ୍କ ବାର୍ଷିକ କ୍ରୀଡା ଉତ୍ସବ ତଥା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ମହକ ଓ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିବସରେ ଉପଜିଲ୍ଲାପାଳ (ପ୍ରଶାସନ) ଡ. ବିଜୟାନନ୍ଦ ସେଠୀ ମଶାଲ ଶୋଭାଯାତ୍ରାର ଶୁଭ ଉଦ୍ଘାଟନ କରିଥିଲେ । ଏହାପରେ ପିଆର ହାଇସ୍କୁଲରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଯୋଗଦାନ କରିଥିଲେ । ପ୍ରତ୍ୟେକ ପିଲାଙ୍କ ମଧ୍ୟରେ ଲୁକ୍କାୟିତ ଭାବେ ପ୍ରତିଭା ରହିଛି, ତାହାର ବିକାଶ ଦାୟିତ୍ୱ ଆମ ହାତରେ ଅଛି । ଦୃଢ ମନୋବଳ ଓ କଠିନ ପରିଶ୍ରମ ମାଧ୍ୟମରେ ଜୀବନରେ ଉନ୍ନତି ହାସଲ କରିପାରିବା, ଉପଯୁକ୍ତ ବୌଦ୍ଧିକ ଓ ଶାରୀରିକ ବିକାଶ ହେଲେ ଯାଇ, ଭିତରେ ଥିବା ଲୁକାୟିତ ପ୍ରତିଭାର ଉନ୍ନତି ଘଟିବ, ଭଲ ମଣିଷ ହୋଇ ସମାଜର ବିକାଶ କ୍ଷେତ୍ରରେ ସାମିଲ ହେବାପାଇଁ ପିଲାମାନଙ୍କୁ ମୁଖ୍ୟଅତିଥି ପରାମର୍ଶ ଦେଇଥିଲେ । ପ୍ରଥମ ଦିନରେ ଦୌଡ଼, ଲମ୍ବା ଡିଆ, କେରମ୍, ଚେସ, ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଦ୍ଵିତୀୟ ଦିନରେ ନାଚ, ଗୀତ, ବକୃତା, ଚିତ୍ରାଙ୍କନ, କୁଇଜ୍ ପ୍ରତିଯୋଗିତା ପ୍ରଭୃତି ଅନୁଷ୍ଠିତ ହୋଇଥିଲା । ଗ୍ରାମ ମଙ୍ଗଳ ପାଠାଗାର, ପାର୍ବତୀ ଗିରି ବାଳ ନିକେତନ, ଗୁରୁକୁଳ ସପ୍ତଶ୍ରୀ ସେବାଶ୍ରମ, ଉତ୍କଳ ବାଲାଶ୍ରମ ଶିଶୁ ଗୃହ ଅନୁଷ୍ଠାନର ଅନ୍ତେବାସୀମାନେ ଏହି ପ୍ରତିଯୋଗିତାରେ କନିଷ୍ଠ ଓ ବରିଷ୍ଠ ବର୍ଗର ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଡ. ଅନୁପମା ପ୍ରଧାନଙ୍କ ସଭାପତିତ୍ଵରେ ଉଦଯାପନି ଉତ୍ସବ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ପବିତ୍ର ବେହେରା, ସମ୍ମାନିତ ଅତିଥି ଭାବେ ଚୁଡ଼ାପାଲି ଗୋଷ୍ଟି ସ୍ୱାସ୍ଥ୍ୟ ଅଧିକାରୀ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଲାଇନ ବାବୁ ପ୍ରମୁଖ ଯୋଗଦାନ କରିଥିଲେ । ମହକ ଓ ଉତ୍ସାହର ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ଵ ହାସଲ କରିଥିବା ପ୍ରତିଯୋଗୀଙ୍କୁ ମୁଖ୍ୟଅତିଥି ଓ ଅତିଥିମାନେ ପୁରସ୍କାର ସ୍ୱରୂପ ପ୍ରମାଣପତ୍ର ଓ ଟ୍ରଫି, ପଦକ ପ୍ରଦାନ କରିଥିଲେ । ପରିଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଆଇନ୍ ପରିବୀକ୍ଷକ ଅଧିକାରୀ ଦିଗମ୍ବର କର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଗ୍ରାମ ମଙ୍ଗଳ ପାଠାଗାର, ପାର୍ବତୀ ଗିରି ବାଳ ନିକେତନ, ଗୁରୁକୁଳ ସପ୍ତଶ୍ରୀ ସେବାଶ୍ରମ, ଉତ୍କଳ ବାଲାଶ୍ରମ ଶିଶୁ ଗୃହ ଅନୁଷ୍ଠାନର କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।