ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବେଳାଭୂମିଠାରେ ବୁଧବାର ରାସପୂର୍ଣ୍ଣିମା ଠାରୁ ତିନିଦିନିଆ ବୋଇତ ବନ୍ଦାଣ ଉତ୍ସବ ଆୟୋଜନ କରାଯିବା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସଂସ୍କୃତି ବିଭାଗ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏନେଇ ମଙ୍ଗଳବାର ଗୋପାଳପୁର ପୁରୁଣା ସର୍କିଟ ହାଉସ୍ ଠାରେ ଜିଲ୍ଲାପାଳ ଭି କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ବୋଇତ ବନ୍ଦାଣ ଉତ୍ସବ ନିମନ୍ତେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କାର୍ତ୍ତିକ ପୂର୍ଣ୍ଣିମା ଆମ ଓଡିଆର ପରମ୍ପରା ଓ ଧର୍ମୀୟ ଭାବନା ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ । ପ୍ରାଚୀନତମ କଳିଙ୍ଗର ନୌଚାଳନା ଓ ନୌବାଣିଜ୍ୟ ପରମ୍ପରା ଭାରତ ଇତିହାସର ଏକ ଗୌରବମୟ ଅଧ୍ୟାୟ । ସେହି ସ୍ମୃତି ସ୍ୱରୂପ ଓଡିଆ ଜାତିର ପରମ୍ପରାକୁ ଚିରସ୍ଥାୟୀ କରିବା ଲକ୍ଷ୍ୟ ନେଇ ବୋଇତ ବନ୍ଦାଣ ଉତ୍ସବ ନଭେମ୍ବର ୫ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଗୋପାଳପୁର ବେଳାଭୂମି ଠାରେ ଅନୁଷ୍ଠିତ ହେବ । ଏଥି ନିମନ୍ତେ ଭଜନ ସମାରୋହ, ବୋଇତ ବନ୍ଦାଣ, ତଅପୋଇ ନାଟକ ପରିବେଷଣ, ରଙ୍ଗୋଲି, ଆଲୋଚନା ଚକ୍ର, ହୁଳହୁଳି, ଓଡିଆଣୀ ବେଶ, ଓଡିଆ ଘରର ପାରମ୍ପରିକ ପିଠାପଣା, ପୁଚିଖେଳ ପ୍ରତିଯୋଗିତାମାନ ଅନୁଷ୍ଠିତ ହେବ । ଭଜନ ସମାରୋହ ପ୍ରାତଃ ୩ ଘଟିକା ସମୟ ଠାରୁ ସୁନାମଧନ୍ୟ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ଭଜନ ସମାରୋହ ଅନୁଷ୍ଠିତ ହେବ । ଏଥିରେ ଗଞ୍ଜାମ ଜିଲ୍ଲା ଏବଂ ଓଡିଶାର ପ୍ରତିଷ୍ଠିତ କଳାକାରଗଣ ଭଜନ ସଙ୍ଗୀତ ପରିବେଷଣ କରିବେ । ଗୋପାଳପୁର ବେଳାଭୂମିର ସ୍ଥିର ଜଳରେ ୫ ତାରିଖ ଦିନ ସକାଳ ୫ଘଟିକା ଠାରୁ ୭ ଘଟିକା ମଧ୍ୟରେ ସମବେତ ଆକାରରେ ବୋଇତ ବନ୍ଦାଣ କରି ବୋଇତ ଭସାଣୀ କାର୍ଯ୍ୟକ୍ରମ ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହେବ ଏବଂ ତଅପୋଇ ନାଟିକା ପରିବେଷଣ ହେବ । ପ୍ରତିଦିନ ଅପରାହ୍ନ ସମୟରେ ଗଞ୍ଜାମ ଜିଲ୍ଲାର ଲୋକକଳା, ସ୍ଥାନୀୟ ଲୋକକଳା ଓ ନୃତ୍ୟ ପ୍ରଦର୍ଶିତ ହେବା ସହିତ ଓଡିଶାର ସୁନାମଧନ୍ୟ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଗୋପାଳପୁର ବେଳାଭୂମିରେ ପଲ୍ଲିଶ୍ରୀ ଓ ଖାଦ୍ୟମେଳାର ଆୟୋଜନ କରାଯାଇଛି । ଏହି ଉତ୍ସବଟିକୁ ସରସ ସୁନ୍ଦର କରିବା ପାଇଁ ଜିଲ୍ଲାପାଳ ଶ୍ରୀ କୀର୍ତ୍ତି ଭାସନ୍ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ମହାନଗର ନିଗମ କମିଶନର୍ ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଜିଲ୍ଲା ସଂସ୍କୃତି ଅଧିକାରୀ ଅଦିତି ଆଚାର୍ଯ୍ୟ, ଜିଲ୍ଲା ସୂଚାନ ଓ ଲୋକସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମାକା ଓ ସମସ୍ତ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।
Next Post