csstore

କାର୍ତ୍ତିକ ମାସ ଶେଷ ସୋମବାରରେ ଶୈବପୀଠ ଚଳଚଞ୍ଚଳ : ପଞ୍ଚୁକ ପାଇଁ ସମଗ୍ର ଅଞ୍ଚଳରେ ଧାର୍ମିକ ପରିବେଶ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଧର୍ମର ମାସ କାର୍ତ୍ତିକର ଶେଷ ସୋମବାର ଓ ପଞ୍ଚୁକର ଦ୍ୱିତୀୟ ଦିନରେ ଅଞ୍ଚଳର ପ୍ରତ୍ୟେକ ଶୈବପୀଠ ସମେତ ଶ୍ରୀ ଜଗନ୍ନାଥ ମନ୍ଦିରରେ ପ୍ରତ୍ୟୁଷରୁ ହିଁ ଚଳଚଞ୍ଚଳ ହୋଇ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ପଞ୍ଚୁକ ବ୍ରତ ପାଳନ କରୁଥିବା ଶ୍ରଦ୍ଧାଳୁମାନେ ପ୍ରତିଦିନ ଭୋର ସକାଳୁ ଯାଇ ଶୈବ ପୀଠରେ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । କାର୍ତ୍ତିକ ମାସର ଶେଷ ସୋମବାର ଦିନଟି ଶ୍ରଦ୍ଧାଳୁଙ୍କ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ରହିଛି । ଏହି ପରିପ୍ରେକ୍ଷୀରେ ଟାଉନର ବିରୁପାକ୍ଷ, ରାମେଶ୍ୱର, ଧବଳେଶ୍ୱର, ଜାଲେଶପଟ୍ଟାର ଜଳେଶ୍ୱର ଓ ଚକାପାଦର ବିରୁପାକ୍ଷ ଓ ଡୁଙ୍ଗିର ଶୈବପୀଠ ପ୍ରାଙ୍ଗଣରେ ଶତାଧିକ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି ଲାଗିଥିଲା । ଭୋର୍‌ ସକାଳୁ ଠାକୁରଙ୍କ ସମସ୍ତ ନୀତିକାନ୍ତି ସରିବା ପରେ ମନ୍ଦିର ଦ୍ୱାର ଠାରୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଦେଖିବା ସହ ଶ୍ରଦ୍ଧାଳୁଙ୍କ ନିମନ୍ତେ ପୂଜା କରାଯାଉଥିବା ବେଳେ ଆସନ୍ତା ବୁଧବାର ଦିନ ପୂର୍ଣ୍ଣମୀ ତିଥିରେ କାର୍ତ୍ତିକ ମାସ ଶେଷ ହେଉଥିବାରୁ ଶ୍ରୀ ଜଗନ୍ନାଥ ମନ୍ଦିର ସମେତ ସମସ୍ତ ଦେବାଦେବୀ ମନ୍ଦିରରେ ଅତ୍ୟଧିକ ଗହଳି ଲାଗି ରହିଥିଲା । ପଞ୍ଚୁକ ଆରମ୍ଭ ଦିନ ଠାରୁ ପ୍ରତ୍ୟେକ ଗ୍ରାମାଞ୍ଚଳ ମଣ୍ଡପରୁ ରାଧାକୃଷ୍ଣଙ୍କ ବେଶ ପଡ଼ି କୀର୍ତ୍ତନ ମଣ୍ଡଳୀ ଦଳ ଗୁଡ଼ିକ ସମଗ୍ର ସହରରେ ‘ହରେରାମ ହରେ କୃଷ୍ଣ’ ନାରା ଦେଇ ପରିକ୍ରମା କରିବା ସହ ମନ୍ଦିର ପ୍ରାଙ୍ଗଣରେ ମଧ୍ୟ ନାମ ସଂକୀର୍ତ୍ତନ ସହ ରାଧା କୃଷ୍ଣଙ୍କ ନୃତ୍ୟ ପରିବେଷଣ କରି ଠାକୁରଙ୍କ ଦର୍ଶନ କରିଥିଲେ । ସମସ୍ତ ମନ୍ଦିର କମିଟି ସଦସ୍ୟ ବୃନ୍ଦ ଉପସ୍ଥିତ ରହି ଶ୍ରଦ୍ଧାଳୁ ଶାନ୍ତିଶୃଙ୍ଖଳାର ସହ ଦର୍ଶନ କରିବା ପାଇଁ ଭିଡ଼ ନିୟନ୍ତ୍ରଣ କରିଥିଲେ । ପ୍ରବଳ ଭିଡ଼ ସତ୍ତ୍ୱେ ଶାନ୍ତିଶୃଙ୍ଖଳାର ସହ ଭକ୍ତମାନେ ଠାକୁରଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । କେତେକ ଶୈବପୀଠରେ ଦୂର ଦୂରାନ୍ତରୁ ଆସିଥିବା ଭକ୍ତମାନେ ହବିଷାନ୍ନ କରି ସେବନ କରିଥିଲେ । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ବାହିନୀ ଶାନ୍ତିଶୃଙ୍ଖଳା ରକ୍ଷା କରିବାରେ ନିୟୋଜିତ ଥିଲେ ।

jayashree
Leave A Reply

Your email address will not be published.