ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବାତ୍ୟା ମୋନ୍ଥା ମୁକାବିଲା କରିବା ଦିଗରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ସଫଳ ହୋଇଛି । ଗଞ୍ଜାମରେ ୩୬୦୦ରୁ ଉର୍ଦ୍ଧ ଜଣଙ୍କୁ ନିରାପଦ ସ୍ଥାନକୁ ଅର୍ଥାତ୍ ବାତ୍ୟା ଆଶ୍ରୟ ସ୍ଥଳ, ଅସ୍ଥାୟୀ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ସମୁଦ୍ର ଅଶାନ୍ତ ରହିଛି । ସମୁଦ୍ର କୂଳିଆ ପୋଡମପେଟା ଗାଁର ତିନୋଟି ଘର ସମୁଦ୍ରର ଜୁଆରରେ ଭାସିଯାଇଛି । ଗଞ୍ଜାମରେ ୯୭୦ ଜଣ ଗର୍ଭବତୀ ମହିଳାଙ୍କୁ ବିଭିନ୍ନ ହସ୍ପିଟାଲରେ ସୁରକ୍ଷିତ ଭାବେ ରଖାଯାଇଛି । ଏସମସ୍ତ ଦିଗରେ ସମୀକ୍ଷା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଓ ସଜାଗ ଅଛି ବୋଲି ଗଞ୍ଜାମ ଜିଲ୍ଲାପାଳ ୱି. କୀର୍ତ୍ତି ଭାସନ୍ ଗଣମାଧ୍ୟମକୁ କହିଛନ୍ତି । ବାତ୍ୟା ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ଗତ ତିନି ଦିନ ଧରି ଲାଗି ରହିଛି ବର୍ଷା । ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବାବେଳେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଡମପେଟା ଗାଁ’ରେ ଗତକାଲି ତିନୋଟି ଘର ସମୁଦ୍ରର ଜୁଆରରେ ଭାସିଯାଇଛି । ପୂର୍ବରୁ ଏହି ଗ୍ରାମ ସମୁଦ୍ର କୂଳରେ ରହିଥିବାବେଳେ ୧୦ ରୁ ୨୦ ମିଟର ଦୂରରେ ରହୁଥିବା ସମୁଦ୍ର ବର୍ତ୍ତମାନ ଗାଁ ମୁହାଁ ହୋଇ ପ୍ରାୟ ୩ଟି ଘର ଭାଙ୍ଗି ଯାଇଥିବା ପ୍ରଶାସନର ଦୃଷ୍ଟି ଗୋଚର ହୋଇଛି । ପୂର୍ବରୁ ପରିବାର ବର୍ଗ ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇ ସୁରକ୍ଷିତ କରାଯାଇଥିବା କହିଛନ୍ତି ଜିଲ୍ଲାପାଳ ଭି. କୀର୍ତ୍ତିଭାସନ । ଏପରିକି ଏହି ଘଟଣା ପରେ ସେଠାରେ ପ୍ରଶାସନର ଏକ ଟିମ୍ ପହଞ୍ଚି ଅନୁଧ୍ୟାନ କରିଛି । ଭାଙ୍ଗିଥିବା ସ୍ଥାନକୁ କେହି ଯେପରି ଯିବେ ନାହିଁ ତାହାକୁ ନେଇ ପଦକ୍ଷେପ ନିଆଯାଇଛି ।
କଳିଙ୍ଗା ଘାଟି ଉପରେ ସ୍ୱତନ୍ତ୍ର ନଜର : ଗତ କିଛି ଦିନ ତଳେ ଗଞ୍ଜାମ ଓ କନ୍ଧମାଳ ସୀମାନ୍ତରେ ରହିଥିବା କଳିଙ୍ଗା ଘାଟିରେ ଭୂସ୍ଫଳନ ଯୋଗୁଁ ଅନେକ ମାତ୍ରାରେ କ୍ଷୟକ୍ଷତି ହୋଇଥିଲା । ସେଠାରେ ନିର୍ମାଣ କାର୍ଯ୍ୟ ଚାଲିଥିବା ଯୋଗୁଁ ଏହି ବାତ୍ୟାକୁ ଦୃଷ୍ଟିରେ ରଖି ସେଠାରେ ମଧ୍ୟ ସ୍ୱତନ୍ତ୍ର ନଜର ରଖିଛି ଜିଲ୍ଲା ପ୍ରଶାସନ । ସେଠାକୁ କାହାରିକୁ ନଯିବା ପାଇଁ ଏକ ସ୍ୱତନ୍ତ୍ର ଅର୍ଡର ଜାରି ହୋଇଥିବା କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଏଥିସହ ଭୂସ୍ଫଳନ ହେବାକୁ ରହିଥିବା କେତେକ ଅଞ୍ଚଳକୁ ଚିହ୍ନଟ କରାଯାଇଥିବା ଜିଲ୍ଲା ପ୍ରଶାସନ କହିଛି ।