ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଆନୁକୂଲ୍ୟରେ ୮ତମ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ ପାଳନ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଡେଲାଙ୍ଗ ବ୍ଲକ ସିଡିପିଓ ଜାପାନୀ ମିତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ଡେଲାଙ୍ଗ- ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ତାଙ୍କ ସହିତ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବ୍ରତ କୁମାର ବାରିକ, ମେଡିକାଲ ଅଫିସର ଡ଼. ତପନ କୁମାର ଦାଶ ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିବା ସହ ଆୟୋଜିତ ବିଭିନ୍ନ ପ୍ରକାର ପୋଷକତତ୍ତ୍ୱ ବିଶିଷ୍ଟ ଖାଦ୍ୟର ପ୍ରଦର୍ଶନୀ ବୁଲି ଦେଖିଥିଲ । ପୋଷଣ ଉପରେ ହାଇସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ, ଚିତ୍ରାଙ୍କନ, କୁଇଜ ଓ ବକ୍ତୃତା ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ପ୍ରତିଯୋଗୀମାନଙ୍କୁ ବିଧାୟକ ଶ୍ରୀ ପଟ୍ଟନାୟକ ମାନପତ୍ର, ଉପଢୌକନ ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏଥିସହିତ ଉତ୍ତମ ପୃଷ୍ଟିକର ଖାଦ୍ୟର ମହତ୍ତ୍ୱ ବିଷୟରେ ସଚେତନତା, ରକ୍ତହୀନତା ବିଷୟରେ ସଚେତନତା ହେବା, ସୁସ୍ଥ ଜୀବନ ପାଇଁ ପୃଷ୍ଟିକର ସୁଷମ ଖାଦ୍ୟ ଖାଇବା ସହିତ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦେବା ସହ ଶିଶୁର ଅଭିବୃଦ୍ଧି ନିରୀକ୍ଷଣ କରିବା ଉପରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି, ସବୁଠାରୁ ବଡ଼ ଧନ ହେଉଛି ସ୍ୱାସ୍ଥ୍ୟ, ଉତ୍ତମ ଜୀବନ ପାଇଁ ଖାଆନ୍ତୁ, ଯାହା ସ୍ୱାସ୍ଥ୍ୟ ଏବଂ ସ୍ଥାୟୀତ୍ୱ ପାଇଁ ସନ୍ତୁଳିତ ଖାଦ୍ୟକୁ ପ୍ରୋତ୍ସାହିତ କରିବ । ସମଗ୍ର ଦେଶରେ ପୃଷ୍ଟିହୀନତାର ମୁକାବିଲା ଏବଂ ସାମଗ୍ରିକ ସୁସ୍ଥତାକୁ ପ୍ରୋତ୍ସାହିତ କରିବା, ଶିଶୁ, କିଶୋରୀ, ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମା’ମାନଙ୍କ ମଧ୍ୟରେ ପୃଷ୍ଟିହୀନତାର ମୁକାବିଲା କରିବାକୁ ପ୍ରତିଶୃତିବଦ୍ଧ । ଶେଷରେ ସିଡିପିଓ ଜାପାନୀ ମିତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଆଇସିଡ଼ିଏସ ସୁପରଭାଇଜର, ଷ୍ଟାଫ ସମେତ ୭୦ରୁ ଉର୍ଦ୍ଧ୍ୱ ଅଙ୍ଗନୱାଡି କର୍ମୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।