ଗଞ୍ଜାମ ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ସମାରୋହ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୬ତମ ଓ ଶାନ୍ତିଦୂତ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ୧୨୧ତମ ଜୟନ୍ତୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ, ଗଞ୍ଜାମ ଓ ଛତ୍ରପୁର ପୌର ପରିଷଦ କର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଛତ୍ରପୁର ସ୍ଥିତ ଇନଡୋର ଷ୍ଟାଡିୟମ୍ ଠାରେ ପାଳିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ପ୍ରାତଃ ୫ ଟା ସମୟରେ ଡାକବାଜିଯନ୍ତ୍ର ମାଧ୍ୟମରେ ଗାନ୍ଧିଜୀଙ୍କ ଅତିପ୍ରିୟ ଭଜନ ରଘୁପତି ରାଘବ ରାଜା ରାମ୍ ସଙ୍ଗୀତ ଧୂନ ପରିବେଷଣ ହୋଇ ସହର ପରିକ୍ରମା କରାଯାଇଥିଲା । ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଛତ୍ରପୁର ପୌର ପରିଷଦ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତିଭାସନ୍, ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ମୃଣାଳିକା ରାଥୋଡ୍, ପୌର ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ଏବଂ ବହୁ ଗଣ୍ୟମାନ୍ୟ ବ୍ୟକ୍ତି / ଅତିଥିଗଣ ଯୋଗଦେଇ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ତାହାଙ୍କ ବିଚାରଧାରା, ନୀତି, ଆଦର୍ଶ, ଜୀବନୀ ସାହିତ୍ୟ ଉପରେ ଆଲୋକପାତ କରିଥିଲେ । ସର୍ବୋପରି ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୀର୍ତ୍ତିଭାସନ୍ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ପ୍ରାରମ୍ଭରେ ସ୍ଥାନୀୟ ରିଜର୍ଭ ପୋଲିସ୍ ପ୍ୟାରେଡ୍ ପଡିଆ ସମ୍ମୁଖରେ ଅବସ୍ଥାପିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ବିଚାରଧାରା, ନୀତି ଓ ଆଦର୍ଶକୁ ଆପଣେଇବା ସହିତ ନିଜ ଘର ଏବଂ ଆଖପାଖ ଅଞ୍ଚଳକୁ ସ୍ୱଚ୍ଛ ଓ ସୁନ୍ଦର କରି ରଖିବାକୁ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ । ଛାତ୍ରଛାତ୍ରୀ ଯୁବ ସମାଜ ଆଗଭର ହେଲେ ସବୁ ଗାଁ ସବୁ ସହର ସଫା ସୁତୁରା ହୋଇ ରହିବା ସହ ସରସ ସୁନ୍ଦର ହୋଇପାରିବ ବୋଲି ଶ୍ରୀ ନାୟକ କହିଥିଲେ । ଅହିଂସା ଓ ସତ୍ୟ ମାର୍ଗର ଜୀବନ ବାସ୍ତବରେ ଏକ ଅନନ୍ୟ ଜୀବନ । ଏହି ମାର୍ଗରେ ଜୀବନ ଅତିବାହିତ କରିବା ସହିତ ସହରକୁ ସ୍ୱଚ୍ଛ ଓ ସୁନ୍ଦର କରି ରଖିବା ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଆଜିର ଯୁବ ସମାଜକୁ ଆହ୍ୱାନ ଜଣାଇଥିଲେ । ସତ୍ୟ, ଅହିଂସା ଓ ଧର୍ମନିରପେକ୍ଷତା ଥିଲା ଗାନ୍ଧିଜୀଙ୍କ ମୂଳମନ୍ତ୍ର । ଏକ ସହଭାଗୀ ସମାଜ ଗଢିବାରେ ଏହି ସବୁ ନୀତି ଆଦର୍ଶର ଆବଶ୍ୟକତା ରହିଛି ବୋଲି ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ମୃଣାଳିକା ରାଥୋଡ୍ ନିଜ ବକ୍ତବ୍ୟରେ କହିଥିଲେ । ସହରର ମାନ୍ୟଗଣ୍ୟବ୍ୟକ୍ତି ବିଶେଷଙ୍କ ଦ୍ୱାରା ଗାନ୍ଧିଜୀଙ୍କ ତୈଳଚିତ୍ର ଓ ଶାସ୍ତ୍ରିଜୀଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଖ୍ୟାତାନାମା କଣ୍ଠଶିଳ୍ପୀ ଗଣେଶ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଛତ୍ରପୁର କଳା ବିକାଶ କେନ୍ଦ୍ରର ଯୁବକଣ୍ଠଶିଳ୍ପୀମାନଙ୍କ ଦ୍ୱାରା ମିଳିତ କଣ୍ଠରେ ବୈଷ୍ଣବ ଜନ ତୋ ସଙ୍ଗୀତ ପରିବେଷଣ କରାଯାଇଥିଲା ଏବଂ ପରେ ପରେ ଦେଶାତ୍ମବୋଧକ ସଙ୍ଗୀତ ଭଜନ ପରିବେଷଣ କରାଯାଇଥିଲା । ସର୍ବଧର୍ମ ପ୍ରାର୍ଥନା ସଭାରେ ପଣ୍ଡିତ ନିରଞ୍ଜନ ତ୍ରିପାଠୀ ପବିତ୍ର ଶ୍ରୀମଦ୍‌ଭାଗବତ ଗୀତା, ମହମ୍ମଦ ଏହେଶାନ୍ ରାଜାକ୍ ପବିତ୍ର କୋରାନ୍ ଓ ରେଭେଣ୍ଡର ସନ୍ତୋଷ ରାୟଙ୍କ ଦ୍ୱାରା ପବିତ୍ର ବାଇବେଲ ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମର ଅଂଶ ଗ୍ରହଣକାରୀ ଏବଂ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ଛତ୍ରପୁରର ବହୁ ବୁଦ୍ଧିଜୀବୀ, ଜନପ୍ରତିନିଧି, ଗଣମାଧ୍ୟମର ପ୍ରତିନିଧି, ସ୍ୱେଚ୍ଛାସେବୀ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ବିଦ୍ୟାଳୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବା ବେଳେ, ପୌର ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.