ମିଛ ଜାତିଗତ ପ୍ରମାଣ ପତ୍ର ଦେଇ ବହିଷ୍କୃତ ହେଲେ ମଙ୍ଗଳ ବିଭାଗର ବରିଷ୍ଠ କିରାଣୀ ଲକ୍ଷ୍ମୀପ୍ରିୟା

ମାଲାକାନଗିରି : ମିଛ ଜାତିଗତ ପ୍ରମାଣ ପତ୍ର ଦେଇ ଦୀର୍ଘ ୨୪ ବର୍ଷ ଧରି ଚାକିରି କରୁଥିଲେ ମାଲାକାନଗିରି ମଙ୍ଗଳ ବିଭାଗର ବରିଷ୍ଠ କିରାଣୀ ଲକ୍ଷ୍ମୀପ୍ରିୟା ବେହେରା । ତେବେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ନିକଟରେ ଅଭିଯୋଗ ପରେ ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଇଥିଲା । ତଦନ୍ତରୁ ଜଣାପଡ଼ିଥିଲା ଯେ ଲକ୍ଷ୍ମୀପ୍ରିୟା ଏସ୍‌ଇବିସି ବର୍ଗର ହୋଇଥିବା ବେଳେ ଜଣେ ଅନୁସୂଚିତ ଜନଜାତିର ବ୍ୟକ୍ତିଙ୍କୁ ବିବାହ କରିଛନ୍ତି । ବିବାହ ପରେ ସେ ନିଜ ପ୍ରକୃତ ଜାତିକୁ ଲୁଚାଇ ସ୍ୱାମୀଙ୍କ ଜାତି ଆଧାରରେ ନିଜର ନୂଆ ଜାତି ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ । ତତ୍କାଳୀନ ଜୁନାଗଡ଼ ତହସିଲଦାର ମଧ୍ୟ ବିନା ଯାଞ୍ଚରେ ତାଙ୍କୁ ଅନୁସୂଚିତ ଜନଜାତି ବୋଲି ଦର୍ଶାଇ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଏହି ପ୍ରମାଣପତ୍ର ଦାଖଲ କରି ସଂରକ୍ଷଣ ବର୍ଗରେ ଲକ୍ଷ୍ମୀପ୍ରିୟା ନିଯୁକ୍ତି ପାଇଥିଲେ। କନିଷ୍ଠ କିରାଣୀରୁ ଚାକିରି ଆରମ୍ଭ କରିଥିବା ଲକ୍ଷ୍ମୀପ୍ରିୟା ୟା ଭିତରେ ପଦୋନ୍ନତି ପାଇ ବରିଷ୍ଠ କିରାଣି ହୋଇଯାଇଥିଲେ । ଅଭିଯୋଗ ପ୍ରମାଣିତ ହେଲା ପରେ ଲକ୍ଷ୍ମୀପ୍ରିୟାଙ୍କୁ ବହିଷ୍କାର କରିଛନ୍ତି ଜିଲ୍ଲାପାଳ । ଏହା ସହିତ ସେ ଚାକିରୀ କାଳରେ ନେଇଥିବା ସମସ୍ତ ଟଙ୍କା ଫେରସ୍ତ କରିବାକୁ ନୋଟିସ୍ ହୋଇଛି । ବହିଷ୍କାର ନେଇ ଲକ୍ଷ୍ମୀପ୍ରିୟାଙ୍କ ସରକାରୀ ବାସଭବନ ଆଗରେ ନୋଟିସ୍ ମରାଯାଇଛି । ଅନ୍ୟପଟେ ତତ୍କାଳୀନ ଜୁନାଗଡ ତହିସିଲଦାର କେଉଁ ଆଧାରରେ ତାଙ୍କୁ ଆଦିବାସୀ ପ୍ରମାଣ ପତ୍ର ପ୍ରଦାନ କଲେ ସେନେଇ ତହସିଲଦାରଙ୍କୁ ନୋଟିସ୍ କରିଛି ପ୍ରଶାସନ ।

Leave A Reply

Your email address will not be published.