ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗତ ରବିବାର ଦିନ ଛତ୍ରପୁର ସହର ସ୍ଥିତ ଅନସ୍ଲୋ ହାଇସ୍କୁଲ ପଡ଼ିଆରେ ଏକ ଭବ୍ୟ ପଥ ସଞ୍ଚାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରୀୟ ସ୍ଵୟଂସେବକ ମଣ୍ଡଳୀ ସେବାଧାରୀଗଣ ପଥ ସଞ୍ଚାଳନ ସହ ନଗର ପରିକ୍ରମା କରିଥିଲେ । ମୁଖ୍ୟ ସଡ଼କ ପାଖରେ ଜନସାଧାରଣ ଭାଗବା ଧ୍ଵଜକୁ ଭବ୍ୟ ସ୍ଵାଗତ କରିବା ସହ ପୁଷ୍ପବର୍ଷା କରିଥିଲେ । ଏହି ଅବସରରେ ମା’ ରାମଚଣ୍ଡୀଙ୍କ ପୀଠର କର୍ଣ୍ଣଧାର ତଥା ଉପଦେଷ୍ଟା ଆଧ୍ୟାତ୍ମିକବାଦୀ ମହାରାଜ କୃଷ୍ଣ ଚନ୍ଦ୍ର ନାୟକ ସାମିଲ୍ ହୋଇ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର କାର୍ଯ୍ୟାବଳୀକୁ ଉଚ୍ଚ ପ୍ରଶଂସା କରିଥିଲେ । ଗୌରିକ ଧ୍ଵଜ ଓ ଘୋଷ ବାଦ୍ୟ ସହ ସ୍ଵୟଂସେବକମାନେ ପରିକ୍ରମା କରିଥିଲେ । ତାଙ୍କର ଆସନ ବ୍ୟାୟାମ, ଯୋଗ, ଦଣ୍ଡ ବ୍ୟାୟାମ ପ୍ରଦର୍ଶନ ନଗରବାସୀଙ୍କୁ ଅଭିଭୂତ କରିଥିଲା । ସନାତନ ଧର୍ମ ପ୍ରଚାରକ, ସମାଜସେବୀ, ଆଧ୍ୟାତ୍ମିକ କାର୍ଯ୍ୟରେ ବିଶେଷ ରୁଚିଶୀଳ ଭାବନାର ପ୍ରତୀକ ତଥା ମୁଖ୍ୟବକ୍ତା ଉମାମାଧବ ମହାନ୍ତି ଯୋଗଦେଇ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ସେବକମାନଙ୍କର ଭୂମିକା ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରିଥିଲେ । ସଂଘର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଓ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇ ସଂଗଠନର ମହତ୍ତ୍ୱ ବିଷୟରେ ଆଲୋକପାତ କରିଥିଲେ । ସଂଘର ଶତାବ୍ଦୀ ପାଳନ ଅବସରରେ ସଂଘର ଅଗ୍ରଗତି, ରାଷ୍ଟ୍ରୀୟ ସ୍ଵୟଂସେବକମାନଙ୍କର ନିଷ୍ଠା ଓ ସମାଜ ପ୍ରତି ସମ୍ୱେଦନଶୀଳତା ବିଷୟରେ ଆଲୋକପୂର୍ଣ୍ଣ ପ୍ରତିପାଦିତ କରାଯାଇଥିଲା । ୧୯୨୫ ଠାରୁ ୨୦୨୫ ପର୍ଯ୍ୟନ୍ତ ସଂଘର କାର୍ଯ୍ୟଶୈଳୀ ଓ ଦେଶପ୍ରତି କରିଥିବା ସେବାକୁ ବିସ୍ତୃତ ଭାବରେ ବ୍ୟାଖ୍ୟା କରାଯାଇଥିଲା । ସମଗ୍ର ଛତ୍ରପୁର ନଗର ଗୌରିକମୟ ପରିବେଶରେ ଜନସାଧାରଣଙ୍କୁ ଉଦ୍ଭାସିତ କରିଥିଲା । ସ୍ଵୟଂ ସେବକମାନଙ୍କ ଶାରୀରିକ ଦକ୍ଷତା ପ୍ରଦର୍ଶନ ସମାଜରେ ଉତ୍ସାହ ଓ ସୁସଙ୍ଗଠିତ ପରିବେଶ ସୃଷ୍ଟି କରିଥିଲା । ଉକ୍ତ କାର୍ଯ୍ୟକ୍ରମଟି ଶୃଙ୍ଖଳିତ ଭାବରେ ସମାହିତ ହୋଇଥିଲା ।
Prev Post