ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ବଲାଙ୍ଗିର କ୍ୟାମ୍ପସରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ଵ ଫାର୍ମାସିଷ୍ଟ ଦିବସ ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟ ବଲାଙ୍ଗିରଠାରେ ପାଳିତ ହୋଇଯାଇଛି । ପ୍ରଥମେ ସକାଳ ୧୦.୩୦ରେ କ୍ୟାମ୍ପସରୁ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏକ ଶୋଭାଯାତ୍ରା ବାହାରି ଥିଲା । ଏହାକୁ ଉଦଘାଟନ କରିଥିଲେ ନିର୍ଦ୍ଦେଶକ ଡଃ. ପ୍ରଦୀପ କୁମାର ଷଡଙ୍ଗୀ । ଏହି ଶୋଭାଯାତ୍ରା କ୍ୟାମ୍ପସରୁ ଆରମ୍ଭ ହୋଇ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ବାହାରିଥିଲେ । ଏହି ଶୋଭାଯାତ୍ରାରେ ଛାତ୍ରଛାତ୍ରୀମାନେ ଜନସଚେତନତା ବାର୍ତ୍ତା ପ୍ଲା-କାର୍ଡ ଓ ସ୍ଲୋଗାନ ମାଧ୍ୟମରେ ଦେଇଥିଲେ । ପରେ ପରେ କ୍ୟାମ୍ପସ ପରିସରରେ ଦୁଇଟି ଜନସଚେତନତା ନାଟକ ପରିବେଷଣ ହୋଇଥିଲା । ପ୍ରଥମ ନାଟକ ଥିଲା “ଆସ ଆମେ ସଚେତନ୍ ହେମା ଫାର୍ମାସିଷ୍ଟ ଠାନୁ ଉଷୋ ଖାଏମା” ଯାହାକୁ ପରିବେଷଣ କରିଥିଲେ ବି. ଫାର୍ମା ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନେ ଏବଂ ଦ୍ଵିତୀୟ ନାଟକ “ସମିଆ ସରୁଛେ ଫାର୍ମାସୀ କେ ଲୋକ ଚିହ୍ନି ନାଇଁ ପାରୁଛେ” ଡି. ଫାର୍ମା ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କ ଦ୍ୱାରାରା ପରିବେଷଣ ହୋଇଥିଲା । ଉଚ୍ଚକୋଟୀର ଜନସଚେତନତା ଏହି ସମ୍ବଲପୁରୀ ନାଟକରେ ପ୍ରତିଫଳିତ ହୋଇଥିଲା । ଦ୍ୱିତୀୟ ଅଧିବେଶନରେ ବଲାଙ୍ଗିର ଫାର୍ମାସିଷ୍ଟ ସଂଘର ସଭାପତି ରାଧାମାଧବ ମିଶ୍ର, ସଂପାଦକ ବିକାଶ ପଟେଲ ଯୋଗଦାନ କରିଥିଲେ । ଏହି ଅଧିବେଶନରେ ଫାର୍ମାସୀ ବିଭାଗର ଅଧ୍ୟକ୍ଷ ଡଃ. ସନ୍ତୋଷ କୁମାର ଋଣଜିତ, ନର୍ସିଂ ବିଭାଗର ଅଧ୍ୟକ୍ଷା ଡଃ. ଷ୍ଟିଫେନ ରୋଜାଲିନ, ଫାର୍ମାସୀ ଉପାଧ୍ୟକ୍ଷ ଡଃ. ବିଜୟ କୁମାର ମେହେର, ଅଧ୍ୟକ୍ଷ ସୋମନାଥ ଷଡ଼ଙ୍ଗୀ ଓ ମାନବ ସମ୍ବଳ ବିଭାଗର ପ୍ରତିଭା ଶତପଥୀ ଯୋଗଦାନ କରିଥିଲେ । ଅତିଥିମାନେ ଫାର୍ମାସିଷ୍ଟମାନଙ୍କ ଉପାଦେୟତା, କର୍ମ ଓ ଦକ୍ଷତା, ଭବିଷ୍ୟତ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଅତିଥିମାନଙ୍କୁ ନିର୍ଦ୍ଦେଶକ ଡଃ. ପ୍ରଦୀପ କୁମାର ଷଡଙ୍ଗୀ ସମ୍ମାନିତ କରିଥିଲେ । ପରିଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ସାଂସ୍କୃତିକ ବିଭାଗର ଛାତ୍ରଛାତ୍ରୀ ତଥା ଅଧ୍ୟାପିକା ସସ୍ମିତା ସାମଲ, ଧର୍ମେନ୍ଦ୍ର ପ୍ରଧାନ, ଜ୍ୟୋତି ପ୍ରକାଶ ଗୁରୁ, ଡଃ. ରୋଜା ସାହୁ , ସ୍ୱର୍ଣ୍ଣଜିତ ତ୍ରିପାଠୀ, ଦୁର୍ଗାପ୍ରସାଦ ମିଶ୍ର, କିରଣରାଜ ଶତପଥୀ, ସନମପ୍ରିୟା ସାମଲ, ଆଶିଷ କୁମାର ମେହେର ସହଯୋଗ କରିଥିଲେ ।

Leave A Reply

Your email address will not be published.