ଦଶମ ଆୟୁର୍ବେଦ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦଶମ ଆୟୁର୍ବେଦ ଦିବସ ପାଳନ ଅବସରରେ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଏବଂ ଗବେଷଣା ପ୍ରତିଷ୍ଠାନ ପାଇକମାଲରେ ଆୟୁର୍ବେଦ ଆହାର ଆଧାରିତ “ଆୟୁର ଫୁଡ଼ ଫେଷ୍ଟିଭାଲ” ମଙ୍ଗଳବାର ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିବିଧ ଆୟୁର୍ବେଦ ସମ୍ମତ ସୁସ୍ଥ ଆହାର ସମୁହକୁ ପ୍ରଦର୍ଶନ କରିଥିଲେ । ପଦ୍ମପୁର ଉପଜିଲ୍ଲାପାଳ ସ୍ନେହା ଅରୁଗୁଲ୍ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ ଛାତ୍ରଛାତ୍ରୀ ମାନଙ୍କ ପ୍ରଦର୍ଶନୀ ବୁଲି ଦେଖିବା ସହ ଆୟୁର୍ବେଦର ଉନ୍ନତି ପାଇଁ ନିଜର ମତାମତ ରଖିଥିଲେ ଓ ଛାତ୍ରଛାତ୍ରୀ ମାନଙ୍କୁ ଭଲ ଆୟୁର୍ବେଦ ଚିକିତ୍ସକ ହେବାପାଇଁ ଅନୁପ୍ରାଣିତ କରିଥିଲେ । ମହାବିଦ୍ୟାଳୟର ବିଭିନ୍ନ ବିଭାଗ ଏବଂ ଲୂମ୍ବିନୀ ଭେଷଜ ଉଦ୍ୟାନ ପରିଦର୍ଶନ କରି ଭୁରିଭୁରି ପ୍ରଶଂସା କରିଥିଲେ । ପରିଚାଳନା କମିଟିର ସଭାପତି ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ ଏବଂ ଅଧ୍ୟକ୍ଷ ପ୍ରୋ: ଡ. ଜଗବନ୍ଧୁ ମିଶ୍ର ଆୟୁର୍ବେଦ ଦିବସ ଉତ୍ସବରେ ସମସ୍ତଙ୍କୁ ଦିଗଦର୍ଶନ ଦେଇଥିଲେ । ପରିଚାଳନା କମିଟିର ସଦସ୍ୟ ରୋହିତ ମିଶ୍ର ଏବଂ ବିନୋଦ କାଳିଆ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ପ୍ରୋ. ଡ଼. ଅଭିରାମ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦେଖିବାକୁ ଉତ୍ସାହର ସହିତ ଅନେକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଆସି ସମ୍ମିଳିତ ହୋଇଥିଲେ । ଏହା ପୂର୍ବରୁ ମହାବିଦ୍ୟାଳୟ ଆନୁକୂଲ୍ୟରେ ଆୟୁର୍ବେଦର ପ୍ରସାର ପ୍ରଚାର ପାଇଁ ବିଗତ ଦୁଇ ସପ୍ତାହ ଧରି ସ୍ୱାସ୍ଥ୍ୟ ଶିବିର, ରାଲି, ପଥପ୍ରାନ୍ତ ନାଟକ ଆଦି ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ଶ୍ରେଷ୍ଠ ବିବେଚିତ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କ ଆହାର ପ୍ରଦର୍ଶନୀକୁ ପୁରସ୍କୃତ କରାଯାଇଥିଲା ।

Leave A Reply

Your email address will not be published.