ପୋଷଣ ଓ ପରିବେଶ : ମାଆଙ୍କ ନାମରେ ଗଛଟିଏର ସନ୍ଦେଶ

  • ଝାରସୁଗୁଡ଼ାରେ ଅଷ୍ଟମ ପୋଷଣ ମାସ ଓ ‘ମାଙ୍କ ନାମରେ ଗଛ ଟିଏ ୨.୦’ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ, (ପିଆଇବି) : ସାରା ଦେଶରେ ସେପ୍ଟେମ୍ବର ମାସକୁ ଜାତୀୟ ପୋଷଣ ମାସ ଭାବେ ପାଳନ କରାଯାଉଛି । ଏହା ସହିତ ସମାଜକୁ ସୁସ୍ଥ ଓ ସଚେତନ କରିବା ଉଦ୍ଦେଶ୍ୟରେ “ମାଆଙ୍କ ନାମରେ ଗଛଟିଏ ୨.୦” ସଚେତନତା କାର୍ଯ୍ୟକ୍ରମ ମଧ୍ୟ ପାଳନ କରାଯାଉଛି । ମା’ ଯେପରି ପରିବାରକୁ ପୋଷଣ ଦେଇଥାନ୍ତି, ସେପରି ଗଛ ପୃଥିବୀକୁ ପୋଷଣ ଦିଏ । ମା’ ନିଜ ସନ୍ତାନଙ୍କୁ ଆଶ୍ରୟ ଓ ସୁରକ୍ଷା ଦେଇଥାନ୍ତି, ସେପରି ଗଛ ଆମକୁ ଛାୟା ଓ ପରିବେଶକୁ ସୁରକ୍ଷା ଦିଏ । ମା’ଙ୍କ ପ୍ରତି ସମ୍ମାନ, ଆଗାମୀ ପିଢ଼ିଙ୍କ ପ୍ରତି ଦାୟିତ୍ୱ ଓ ପରିବେଶ ପ୍ରତି ଶପଥ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏହି ଅବସରରେ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ୍ ମୁଖ୍ୟାଳୟରେ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ସମ୍ବଲପୁର ପକ୍ଷରୁ ‘୮ମ ଜାତୀୟ ପୋଷଣ ମାସ’ ଏବଂ “ମାଆଙ୍କ ନାମରେ ଗଛଟିଏ ୨.୦” ଶୀର୍ଷକରେ ଏକ ବିଶାଳ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହି ଅଭିଯାନରେ ପୋଷଣ, ସ୍ୱାସ୍ଥ୍ୟ ଓ ପରିବେଶର ସନ୍ଦେଶ ପ୍ରଚାରିତ ହୋଇଥିଲା । ପୋଷଣ ସଚେତନତାକୁ ପରିବେଶ ସୁରକ୍ଷା ସହିତ ଯୋଡ଼ିବାର ଏହି ପ୍ରୟାସ, କେବଳ ନୂତନତ୍ୱ ନୁହେଁ, ବରଂ ସମୟର ଆବଶ୍ୟକତାକୁ ମଧ୍ୟ ଦର୍ଶାଏ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସହକାରୀ ନିର୍ଦ୍ଦେଶକ ମନମୋହନ ପାଢ଼ୀ । ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ସ୍ଥାନୀୟ ସରପଞ୍ଚ ଆରତୀ ପ୍ରଧାନ । ସେଥିରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ଝାରସୁଗୁଡ଼ା ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ପୂନ୍ୟବତୀ ହେଲେନ, ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଲକ୍ଷ୍ମୀପ୍ରିୟା ବୋହିବାର, ଏବଂ ସମ୍ବଲପୁର ଆକାଶବାଣୀ ଓ ଦୂରଦର୍ଶନର କାର୍ଯ୍ୟକ୍ରମ ପ୍ରମୁଖ ମନିଷ୍ ଭଟ୍ଟାଚାର୍ଯ୍ୟ । ଅନ୍ୟପକ୍ଷରେ ପୋଷଣ ମାସ ସଚେତନତା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟର ସଚେତନ ବାର୍ତ୍ତା ଶୁଣିବାକୁ ମିଳିଲା । ଅତିଥିମାନେ ସନ୍ତୁଳିତ ଆହାର, ପୋଷଣୀୟ ଖାଦ୍ୟର ଆବଶ୍ୟକତା, ଓ ସ୍ୱସ୍ଥ ସମାଜ ପାଇଁ ସଚେତନତା ବିଷୟରେ ଆଲୋକପାତ କରିଥିଲେ । ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ଜୁଗଳ କିଶୋର ଭୋଇ ଏବଂ ଝାରସୁଗୁଡାର ଜିଲ୍ଲାର ପୁଷ୍ଟିକର ଅଧିକାରୀ “ସନ୍ତୁଳିତ ଆହାର ସମୟର ଆବଶ୍ୟକ” ବିଷୟରେ ବୁଝାଇବା ସହ “ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସଠିକ୍ ଖାଦ୍ୟ ଖାଆନ୍ତୁ” ବୋଲି ବାର୍ତ୍ତା ଦେଇଥିଲେ । ଏହି କାର୍ଯ୍ୟକ୍ରମର ମଧ୍ୟଭାଗରେ,ମନମୋହନ ପାଢ଼ୀ ସମସ୍ତଙ୍କୁ ସ୍ୱଚ୍ଛତାର ଶପଥ ପାଠ କରାଇଥିଲେ । ସ୍ୱଚ୍ଛତା ପାକ୍ଷିକ (୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର) ଅବସରରେ ସମସ୍ତେ ହାତ ଉଠାଇ “ସ୍ୱଚ୍ଛତା”ର ପ୍ରତିଜ୍ଞା ନେଇଥିଲେ । ପରେ ଆରମ୍ଭ ହୋଇଥିଲା ଏକ ବିଶାଳ ପଦଯାତ୍ରା । ସେଇ ପଦଯାତ୍ରାରେ ଶତାଧିକ ମହିଳା, କିଶୋରୀ ବାଳିକା, ଅଙ୍ଗନବାଡ଼ି ଓ ଆଶା କର୍ମୀମାନେ, ସହିତ ଗ୍ରାମବାସୀମାନେ “ପୋଷଣ ଓ ପରିବେଶ” ବାର୍ତ୍ତାକୁ ନାରାରେ ପରିଣତ କରିଥିଲେ । ଏଥି ସହିତ କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କର୍ମୀମାନେ ଏବଂ ପରିଦର୍ଶିକାମାନେ ବିଭିନ୍ନ ପ୍ରକାରର ପୋଷଣୀୟ ଖାଦ୍ୟ, ଋତୁଯାତୀୟ ପନିପରିବା, ଫଳ, ନିଜେ ପ୍ରସ୍ତୁତ କରିଥିବା ପୁଷ୍ଟିକର ବ୍ୟଞ୍ଜନ ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମର ପୂର୍ବରୁ, ସେପ୍ଟେମ୍ବର ୧୭ ତାରିଖରେ ସୁସ୍ଥ ଶିଶୁ ପ୍ରତିଯୋଗିତା ଓ ରଙ୍ଗୋଲି ପ୍ରତିଯୋଗିତାରେ ଜିତିଥିବା ଛ’ଜଣ ବିଜେତାଙ୍କୁ ମଞ୍ଚରେ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । ସେଇ ଦିନ “ମାଆଙ୍କ ନାମରେ ଗଛଟିଏ”ର ଦ୍ୱିତୀୟ ପର୍ଯ୍ୟାୟରେ ବ୍ଲକ୍ ଆଇସିଡ଼ିଏସ୍ କାର୍ଯ୍ୟାଳୟ ପରିସରରେ ଫଳଦାୟକ ଗଛର ଚାରା ରୋପଣ ମଧ୍ୟ ହୋଇଥିଲା । ଶେଷରେ, ଝାରସୁଗୁଡ଼ା ଜିଲ୍ଲା ଲୋକକଳା ଓ ନୃତ୍ୟ ଗବେଷଣା କେନ୍ଦ୍ରର କଳାକାରମାନେ ସଙ୍ଗୀତ, ନୃତ୍ୟ ଓ ଲୋକନାଟ୍ୟ ମାଧ୍ୟମରେ ପୋଷଣ ଓ ବୃକ୍ଷରୋପଣର ସନ୍ଦେଶକୁ ସ୍ପଷ୍ଟ ଭାବରେ ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମର ଶେଷରେ ସହାୟକ ନିର୍ଦ୍ଦେଶକ ମନମୋହନ ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ ବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.